IMG_20160528_150514

ଅବ୍ୟବସ୍ଥାଘେରରେ ଭୁବନେଶ୍ୱର ରେଳ ଷ୍ଟେସନ

50

ମନଇଚ୍ଛା ପାର୍କିଂ ପ୍ଲାଟଫର୍ମ ଅପରିଷ୍କାର
ଭୁବନେଶ୍ୱର,୭ା୬(ବୁ୍ୟରୋ): ରାଜଧାନୀ ଭୁବନେଶ୍ୱର ପ୍ରଥମ ସ୍ମାର୍ଟ ସିଟିର ମାନ୍ୟତା ପାଇଲା ସତ ହେଲେ ସ୍ମାର୍ଟ ସିଟି ହେବା ଭଳି ଆଉ ଦେଖାଯାଉନାହିଁ । ସରକାର କି ଜନସାଧାରଣ କାହାର ଏଥିପ୍ରତି ଧ୍ୟାନ ନାହିଁ । ରାଜଧାନୀରେ ସବୁଠୁ ଜନଗହଳିପୂର୍ଣ୍ଣ ପରିବେଶ ମଧ୍ୟରୁ ମାଷ୍ଟରକ୍ୟାଣ୍ଟିନ୍ ରେଳ ଷ୍ଟେସନ୍ ହେଉଛି ଅନ୍ୟତମ । ପ୍ରତିଦିନ ହଜାର ହଜାର ଲୋକଙ୍କ ଯାତାୟାତ ହେଉଥିବା ବେଳେ ଏଥିରେ ରାଜ୍ୟ ତଥା ଦେଶ ବାହାରର ଯାତ୍ରୀ ସାମିଲ ହୋଇଥାନ୍ତି । ଏହି ଷ୍ଟେସନ୍କୁ ରାଜଧାନୀର ମୁଖବନ୍ଧ କହିଲେ ଅତୁ୍ୟକ୍ତି ହେବନି । ଷ୍ଟେସନ୍ ସମ୍ମୁଖ ତଥା ଭିତରକୁ ଯିବା ପାଇଁ ଥିବା ରାସ୍ତାରେ ହେଉଛି ଗାଡି ପାର୍କିଂ । ଷ୍ଟେସନ୍ ଭିତର ତଥା ବାହାରକୁ ଯିବା ଆସିବା କରିବାରେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଯାତ୍ରୀମାନେ । ବଡ ବ୍ୟାଗ୍ ଧରି ଆସିବାର ଥିଲେ ଟେକି କରି ବ୍ୟାଗ୍ ଆଣିବାକୁ ପଡୁଛି । ଏକା ସାଙ୍ଗରେ ଦୁଇ ଜଣ ଲୋକ ମଧ୍ୟ ଆସିବା ସମ୍ବବ ହେଉନାହିଁ । ଷ୍ଟେସନ୍ ଚାରିକଡରେ ପାର୍କିିଂ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଲୋକଙ୍କ ମାନସିକତା ଏବଂ ପ୍ରଶାସନର ଅପାରଗତା କାରଣରୁ ଏଭଳି ହେଉଛି । ଚାରିପଟେ ପାର୍କିିଂ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଲୋକମାନେ ଟିକେ ସମୟ ଦେଇ ଷ୍ଟାଣ୍ଡରେ ରଖିବା ପାଇଁ ଚାହୁନାହାଁନ୍ତି । ସେପଟେ ପୁଲିସ୍, ରେଳବାଇ କର୍ତ୍ତୁପକ୍ଷ ସବୁ ଦେଖି ମଧ୍ୟ ନୀରବଦ୍ରଷ୍ଟା ସାଜୁଛନ୍ତି କ’ଣ ପାଇଁ ବୋଲି ପ୍ରଶ୍ନ ଉଠୁଛି । ପାର୍କିିଂ ବ୍ୟବସ୍ଥାରେ ଏଭଳି ସମସ୍ୟା ରହିଥିବା ବେଳେ ଟିକେଟ୍ କାଉଣ୍ଟର ଫାଙ୍କା ପଡିଛି । ସରକାର ମହିଳାମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ଏମାନଙ୍କ ପାଇଁ ଥିବା ଟିକେଟ କାଉଣ୍ଟର ଘଣ୍ଟା ଘଣ୍ଟା ଧରି ଷ୍ଟାଫ୍ ରହୁନଥିବା ଦେଖିବାକୁ ମିଳିଛି । ଯାହା ଫଳରେ ମହିଳାମାନେ ପୁରୁଷମାନଙ୍କ ପାଇଁ ଥିବା ଲାଇନ୍ରେ ଠିଆ ହୋଇ ଟିକେଟ୍ କାଟିବାକୁ ବାଧ୍ୟ ହେଉଛନ୍ତି । କର୍ତ୍ତୃପକ୍ଷଙ୍କୁ ଏବିଷୟରେ ପଚାରିବାରୁ ସେ କହୁଛନ୍ତି, ଷ୍ଟାଫ୍ମାନଙ୍କ ଅଭାବ ରହିଛି ଜଣଙ୍କୁ ଦୁଇଟା କାଉଣ୍ଟରର କାର୍ଯ୍ୟ କରିବାକୁ ପଡୁଛି । ଦୁଇଟା କାଉଣ୍ଟର କଥା ବୁଝିବାକୁ ହେଲେ ଗୋଟିଏ କାଉଣ୍ଟର କିଛି ସମୟ ଧରି ଫାଙ୍କା ରହିଯାଉଛି । ଷ୍ଟେସନ୍ ଭିତର ଅବସ୍ଥା ଦେଖିଲେ ଆପଣ ବିଶ୍ୱାସ କରିପାରିବେନି ଆପଣ ଷ୍ଟେସନ୍ରେ ଅଛନ୍ତି ନା ବସ୍ତିରେ ଅଛନ୍ତି । ଦୁଇ ମାସ ହେଲାଣି ଗୋଟିଏ ଖୁଣ୍ଟି ଉଠିପାରୁ ନାହିଁ । ପ୍ଲାଟପର୍ମ ଭିତରେ ଗାତ ଖୋଳାହୋଇ ରହିଥିବା ବେଳେ ନିର୍ମାଣ କାର୍ଯ୍ୟ ପାଇଁ ଆସିଥିବା ବାଲି ଓ ଗୋଡି ପଡିରହିଛି । ବାଲି ପଡିଥିବା ସ୍ଥାନ ଏବେ ବୁଲା କୁକୁରମାନଙ୍କ ଆଶ୍ରୟସ୍ଥଳୀ ପାଲଟିଛି । । ଏଭଳି ପରିବେଶ ମଧ୍ୟରେ ଲୋକମାନେ ପାଖରେ ଥିବା ଚେୟାରରେ ବସିବାକୁ ମଧ୍ୟ ଘୃଣା ଅନୁଭବ କରୁଛନ୍ତି । ଏଥିସହିତ ଷ୍ଟେସନ୍ ସମ୍ମୁଖ ଦେଇ ଯାଇଥିବା ଡ୍ରେନ୍ ଉପରେ ପଡ଼ିଥିବା ଲୁହା ଗ୍ରିଲ୍ ଭାଙ୍ଗି ପଡି ରହିଛି । ଯାହା ଦ୍ୱାରା ଟିକେ ଅନ୍ୟମନସ୍କ ହେଲେ ଡ୍ରେନ୍ ଭିତରେ ଗୋଡ ପଶିଯିବାର ସମ୍ଭାବନା ରହିଛି । ବାସ୍ତବରେ ରାଜଧାନୀ ଭୁବନେଶ୍ୱର ଏକ ସ୍ମାର୍ଟସିଟି ହେବାକୁ ହେଲେ ଲୋକମାନଙ୍କ ମାନସିକତାକୁ ପରିବର୍ତ୍ତନ କରିବା ସହିତ ସରକାରଙ୍କ ଏସବୁ ଦିଗ ପ୍ରତି ଧ୍ୟାନ ଦେବା ସହ ଯଥା ସମ୍ଭବ ସମସ୍ୟାର ସମାଧାନ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି ।

ସେଆର କରନ୍ତୁ:



Powered by odothemes.com