୯ରେ କେରଳ ଛୁଇଁବ ମୌସୁମୀ

31

ନୂଆଦିଲ୍ଲୀ, ୭ ।୬(ଏଜେନ୍ସି): ଆଗାମୀ ଦୁଇ ଦିନ ମଧ୍ୟରେ ଅର୍ଥାତ୍ ୯ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ଆଶା କରାଯାଉଛି । ପଶ୍ଚିମ ଭାରତବାସୀ ଲଗାତାର ପାଞ୍ଚ ଦିନ ଧରି ଭୀଷଣ ଗରମରେ ଅତିଷ୍ଠ ହୋଇପଡିଥିବା ବେଳେ ତାପମାତ୍ରାରେ ସେମିତି କିଛି ବିଶେଷ ପରିବର୍ତ୍ତନ ହୋଇପାରିନାହିଁ । ଭାରତୀୟ ପାଣିପାଗ ସୂତ୍ରରୁ ପ୍ରକାଶ ଯେ କେରଳରେ ୪୮ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପହଞ୍ଚିବ । ଏହା ପୂର୍ବରୁ ମଧ୍ୟ ଜୁନ୍ ୭ସୁଦ୍ଧା ମୌସୁମୀ କେରଳ ତଟବର୍ତ୍ତୀ ଅଞ୍ଚଳରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । କର୍ଣ୍ଣାଟକ, କେରଳ, ଅରୁଣାଚଳ ପ୍ରଦେଶ, ଦକ୍ଷିଣ-କର୍ଣ୍ଣାଟକ ଏବଂ ଲାକ୍ଷାଦ୍ୱୀପରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରାଯାଇଛି । ସେହିଭଳି ତେଲେଙ୍ଗାନା ତଥା ଉତ୍ତର-କର୍ଣ୍ଣାଟକର ମଧ୍ୟବର୍ତ୍ତୀ ଅଞ୍ଚଳଗୁଡିକରେ ମଧ୍ୟ ଘଡଘଡି ସହ ପ୍ରବଳ ଝଡ ତୋଫାନ ହୋଇପାରେ । ପଶ୍ଚିମବଙ୍ଗ, ସିକ୍କିମ୍, ଆସାମ, ମେଘାଳୟ, ମଣିପୁର, ମିଜୋରାମ୍ ଏବଂ ତ୍ରିପୁରାରେ ମଧ୍ୟ ମୁଷଳଧାରାରେ ବର୍ଷା ହେବ ବୋଲି ପାଣିପାଗ ସୂତ୍ରରୁ ପ୍ରକାଶ । ତା’ଛଡା ରାଜସ୍ଥାନର କେତେକାଂଶରେ, ପଶ୍ଚିମ ଏବଂ ପୂର୍ବ ମଧ୍ୟ ପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡୀଗଡ, ଦିଲ୍ଲୀ, ଦକ୍ଷିଣ ଉତ୍ତର ପ୍ରଦେଶ ଏବଂ ଗୁଜୁରାଟରେ ମଧ୍ୟ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ । ଏନେଇ ଓଡ଼ିଶା ତଥା ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ ରହିବା ସହ ବର୍ଷା ହେବାର ସମ୍ଭାବନା ରହିଛି ।




Powered by odothemes.com