ଅମର୍ଦ୍ଦାରୋଡ୍ରେ ବ୍ରିଗେଡିୟର ୟୁନିଟ୍, କୋରାପୁଟରେ ଆର୍ମି ନିଯୁକ୍ତି ଅଫିସ

41

ସାମରିକ-ବେସାମରିକ ସମନ୍ୱୟ ସମ୍ମିଳନୀ
ଭୁବନେଶ୍ୱର (ବୁ୍ୟରୋ): ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଉଦ୍ୟମରେ ସାମରିକ ଓ ବେସାମରିକ ସମନ୍ୱୟ ସମ୍ମିଳନୀ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା । ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଅସୀତ୍ ତ୍ରିପାଠୀ ସମ୍ମିଳନୀର ଉଦେ୍ଦଶ୍ୟ ବିଷୟରେ ସୂଚନା ଦେବା ସହ ସାମରିକ ଓ ବେସାମରିକ ସମନ୍ୱୟ ସମ୍ବନ୍ଧିତ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ମେଜର୍ ଜେନେରାଲ୍ ଡିଭିଏସ୍ ରାଣାଙ୍କ ନେତୃତ୍ୱରେ ପ୍ରାୟ ୭ ଜଣ ବରିଷ୍ଠ ସେନା ଅଧିକାରୀ ବୈଠକରେ ଯୋଗଦେଇ ଓଡ଼ିଶାରେ ସାମରିକ ସେବାର ଉପସ୍ଥିତି ଏବଂ ଏଥିନିମନ୍ତେ ଥିବା କେତେକ ଆବଶ୍ୟକତା ଉପସ୍ଥାପନ କରିଥିଲେ । ମୁଖ୍ୟ ଶାସନ ଶ୍ରୀ ପାଢ଼ୀ କହିଥିଲେ ଯେ ଏହି ବୈଠକରେ ସାମରିକ ପ୍ରତିଷ୍ଠାନଗୁଡ଼ିକ ପାଇଁ ଜମି ଯୋଗାଣ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ଉପକୂଳ ସୁରକ୍ଷା, ପୁଲିସ୍ ମିଲିଟାରୀ ସମନ୍ୱୟ ଆଦି ବିଷୟରେ ଆଲୋଚନା ହୋଇଛି । ବାଲେଶ୍ୱର ଜିଲ୍ଲାର ଅମର୍ଦା ରୋଡ଼ଠାରେ ଏକ ବ୍ରିଗେଡିୟର ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା ଏବଂ ଦକ୍ଷିଣ ଓଡ଼ିଶାରୁ ଅଧିକ ଯୁବକମାନଙ୍କୁ ମିଲିଟାରୀରେ ନିଯୁକ୍ତି ଦେବା ବିଷୟରେ ଆର୍ମି ମେଜର ଜେନେରାଲ୍ଙ୍କ ମାଧ୍ୟମରେ ସୁରକ୍ଷା ମନ୍ତ୍ରାଳୟଙ୍କୁ ଅନୁରୋଧ କରାଯାଇଛି । ଆଦିବାସୀ ପିଲାମାନଙ୍କୁ ଆର୍ମିରେ ସାମିଲ କରିବା ନିମନ୍ତେ ଚୟନ ସର୍ତ୍ତରେ କିଛିଟା କୋହଳ କରିବା ପାଇଁ ମଧ୍ୟ ଆମେ ଅନୁରୋଧ କରିଛୁ ।
ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ ଯେ ଗତବର୍ଷ ଆର୍ମିରେ ରାଜ୍ୟର କୋଟାଠାରୁ କମ୍ ନିଯୁକ୍ତି ଦିଆଯାଇଛି । ତାହାକୁ ମିଶାଇ ଚଳିତ ବର୍ଷ ୧୩୦୦ ପିଲାଙ୍କୁ ନିଯୁକ୍ତି ଦିଆଇବା ନିମନ୍ତେ ଗୃହ ବିଭାଗ ଲକ୍ଷ୍ୟ ରଖିଛି । ରାଜ୍ୟରେ ଅଧିକରୁ ଅଧିକ ‘ରିକୁ୍ୟଟ୍ମେଣ୍ଟ୍ ରାଲି’ କରିବା ପାଇଁ ମେଜର ଜେନେରାଲ୍ଙ୍କୁ ଅନୁରୋଧ କରିଛୁ । ଏଥିନିମନ୍ତେ ସଂପୃକ୍ତ ଜିଲ୍ଲା ପ୍ରଶାସନ ଏବଂ ପୁଲିସ୍ ସମସ୍ତ ସହାୟତା ଯୋଗାଇଦେବେ । ଓଡ଼ିଶାରେ ରହୁଥିବା ପୂର୍ବତନ ସାମରିକ କର୍ମଚାରୀ ଏବଂ ସେମାନଙ୍କ ପରିବାରଙ୍କ ଚିକିତ୍ସା ସୁବିଧା ନିମନ୍ତେ ରାଜ୍ୟରେ ଅଧିକ ଇସି, ଏଚ୍ଏସ୍ ହସ୍ପିଟାଲ୍ ଖୋଲିବା ପାଇଁ ମଧ୍ୟ ମେଜର ଜେନେରାଲ୍ଙ୍କୁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ତ୍ରିପାଠୀ କହିଥିଲେ ।
ଉନ୍ନୟନ କମିଶନର ଆର୍. ବାଲକ୍ରିଷ୍ଣନ୍, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ଡ. ମୋନା ଶର୍ମା, ଭାରପ୍ରାପ୍ତ ଅବକାରୀ ସଚିବ ବିଷ୍ଣୁପଦ ସେଠୀ, ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ମେଜର ଜେନେରାଲ୍ ଆର୍. କୋଚ୍ଛାର, ବ୍ରିଗେଡିୟର ଜେଏସ୍ ସାନ୍ଦୁ, କଲୋନେଲ୍ ରୋହିତ ଦାସ, ତଟସୁରକ୍ଷା, ରେଳବାଇ ଏବଂ ଓଡ୍ରାଫ୍ର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।




Powered by odothemes.com