ବର୍ଦ୍ଧିତ ଟୋଲ୍ ଫି ସ୍ଥଗିତ

toll-gate

ଭୁବନେଶ୍ୱର, ୪ା୬(ବୁ୍ୟରୋ): ଜାତୀୟ ରାଜପଥରେ ଥିବା ଟୋଲ୍ ଗେଟ୍ଗୁଡ଼ିକରେ ବର୍ଦ୍ଧିତ ଫି ଆଦାୟ କରିବା ପାଇଁ ଗତ ୧୮ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ବର୍ତ୍ତମାନ ସ୍ଥଗିତ କରାଯାଇଛି । ଟୋଲ୍ ଫି’ରେ ରିହାତି ଦେବା ନେଇ ୧୦ ଦିନ ମଧ୍ୟରେ ରାଜ୍ୟ ସରକାର କେନ୍ଦ୍ରକୁ ରିପୋର୍ଟ ଦେବେ ବୋଲି ପରିବହନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି ।  ବର୍ଦ୍ଧିତ ଟୋଲ୍ ଫି’କୁ ନେଇ ବସ୍ ମାଲିକ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ଜାତୀୟ ରାଜପଥରେ କରାଯାଇଥିବା ଟୋଲ୍ ଗେଟ୍ଗୁଡ଼ିକ ବେଆଇନ୍ ଭାବେ ନିର୍ମାଣ ହୋଇଛି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯିବା ସହ ବସ୍ ଚଳାଚଳ ବନ୍ଦ କରିବାକୁ ମଧ୍ୟ ଚେତାବନୀ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ବସ୍ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ମନ୍ତ୍ରୀ କହିଛନ୍ତି ଯେ ଟୋଲ୍ ଗେଟ୍ରେ ଗାଡ଼ିଚାଳକଙ୍କୁ ରିହାତି ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ୧୦ ଦିନ ମଧ୍ୟରେ ରିପୋର୍ଟ ଦିଆଯିବ । ରିପୋର୍ଟ ପରେ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ପଦକ୍ଷେପ ନେବେ । ସେ ପର୍ଯ୍ୟନ୍ତ ବର୍ଦ୍ଧିତ ଫି ଆଦାୟକୁ ସ୍ଥଗିତ ରଖାଯାଇଛି । ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଟୋଲଗେଟ୍ଗୁଡ଼ିକ ଆଇନ୍ର ଉଲଙ୍ଘନ କରି ସ୍ଥାପନ କରାଯାଇଛି । ବସ୍ୟାତ୍ରୀଙ୍କ ଉପରେ ଟୋଲ୍ ଫି ଆଦାୟ କରିବାକୁ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହାକୁ ପ୍ରତ୍ୟାହାର କରନ୍ତୁ । ତେବେ ସରକାରଙ୍କ ପକ୍ଷରୁ କ’ଣ ରିପୋର୍ଟ ଦିଆଯିବ ଓ ଏନ୍ଏଚ୍ଏଆଇର ନିଷ୍ପତ୍ତି ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ତେବେ ଆଜି ଓଡ଼ିଶା ଗସ୍ତରେ ଆସିଥିବା ଏନ୍ଏଚ୍ଏଆଇର ଅଧ୍ୟକ୍ଷ ରାଘବ ଚନ୍ଦ୍ରା ମଧ୍ୟ ଏ ସମ୍ପର୍କରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଟୋଲ୍ ଗେଟ୍ ଉଠାଇବା ଓ ଟୋଲ୍ ଫି ନେଇଥିବା ସମ୍ପର୍କରେ ଆଜି ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇଛି । ରାଜ୍ୟ ସରକାର ଓ ଏନ୍ଏଚ୍ଏଆଇ ଏ ସମସ୍ୟାର ସମାଧାନ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ରାଜ୍ୟ ପକ୍ଷରୁ ଏକ ବିସ୍ତୃତ ପ୍ରସ୍ତାବ ଦିଆଗଲେ ତାହା ଉପରେ ନିଷ୍ପତ୍ତି ନିଆଯିବ । ରାଜ୍ୟବାସୀଙ୍କୁ ଯେଭଳି ସୁହାଇବ ତଦନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।