ନୂଆ ମେଡିକାଲ କଲେଜରେ ହୋଇପାରିଲାନି ନାମଲେଖା

48

ଭୁବନେଶ୍ୱର, ୩ା୬(ତଥ୍ୟ): ଓଡିଶାରେ ଯେତେସବୁ ନୂଆ ମେଡିକାଲ କଲେଜ ଖୋଲିବାପାଇଁ ଘୋଷଣା କରାଯାଇଥିଲା ସେଥିରୁ କୌଣସି ଗୋଟିକରେ ହେଲେ ବି ଏବର୍ଷ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ଲାଗି ନାମଲେଖା ହୋଇପାରୁନାହିଁ । କେବେସୁଦ୍ଧା ଏସବୁ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ ସେ ସଂକ୍ରାନ୍ତରେ ବି କେହି ସ୍ପଷ୍ଟଭାବେ କହିପାରୁ ନାହାନ୍ତି ।
ରାଜ୍ୟରେ ଏବେ ସରକାରଙ୍କର କଟକ, ବୁର୍ଲା ଓ ବ୍ରହ୍ମପୁରରେ ତିନିଟି ମେଡିକାଲ କଲେଜ ଥିବାବେଳେ ବେସରକାରୀ ଉଦ୍ୟମରେ ଭୁବନେଶ୍ୱରରେ ତିନିଟି ଓ ରାଉରକେଲାରେ ଗୋଟିଏ ମେଡିକାଲ କଲେଜ ରହିଛି । କଳାହାଣ୍ଡିରେ ଥିବା ସର୍ଦ୍ଦାର ରାଜାସ୍‌ ମେଡିକାଲ କଲେଜ ଗତବର୍ଷରୁ ବନ୍ଦହୋଇ ସାରିଛି । ଏହାଛଡା କେନ୍ଦ୍ର ସରକାର ଭୁବନେଶ୍ୱରରେ ପ୍ରତିଷ୍ଠା କରିଥିବା ଏମସ୍‌ ବି ଚାଲିଛି ।  ୟୁପିଏ ସରକାର ସମୟରେ ବଲାଙ୍ଗିର, ବାଲେଶ୍ୱର ଓ ବାରିପଦାସ୍ଥିତ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ମେଡିକାଲ କଲେଜରେ ପରିଣତ କରିବାପାଇଁ ଘୋଷଣା କରାଯାଇଥିଲା । ରାଜ୍ୟ ସରକାରଙ୍କ ଦାବି ପରେ ପୁରୀ ଓ କୋରାପୁଟକୁ ଏଥିରେ ସାମିଲ କରାଯାଇଥିଲା । ଏହି ପାଞ୍ଚଟି ସରକାରୀ ମେଡିକାଲ କଲେଜ ଲାଗି କେନ୍ଦ୍ର ସରକାର ୭୫ ପ୍ରତିଶତ ଓ ରାଜ୍ୟ ସରକାର ୨୫ ପ୍ରତିଶତ ଅର୍ଥ ବ୍ୟୟକରିବା ଲାଗି ସର୍ତ୍ତଥିଲା । ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ନାଗାଲ୍ୟାଣ୍ଡ ଏବଂ ଆଣ୍ଡାମାନ ଓ ନିକୋବରରେ ଏହି ଢାଞ୍ଚାରେ ନୂଆ ମେଡିକାଲ କଲେଜ ପାଇଁ ତିନିବର୍ଷ ତଳେ ଘୋଷଣା କରାଯାଇଥିବାବେଳେ ସେଠାରେ ଏବର୍ଷ ଏମ୍‌ବିବିଏସ୍‌ରେ ନାମାଙ୍କନ ହେଉଛି । କିନ୍ତୁ କାମ ଅଧାପନ୍ତରିଆ ଭାବେ ରହୁଥିବାରୁ ଏହି ପାଞ୍ଚଟିଯାକ ମେଡିକାଲ କଲେଜପାଇଁ ଶିଳାନ୍ୟାସ ହୋଇଥିଲେ ମଧ୍ୟ ୨୦୧୬-୧୭ ଶିକ୍ଷାବର୍ଷରେ ନାମାଙ୍କନ ହେବାରନାହିଁ ।
ଏହାଛଡା କେନ୍ଦୁଝରରେ ଆଉଏକ ମେଡିକାଲ କଲେଜପାଇଁ ମଧ୍ୟ ଘୋଷଣା କରାଯାଇଥିଲା । ସେଠାରେ ସେମିତି କିଛି ବିଶେଷ ଅଗ୍ରଗତି ହୋଇନାହିଁ । ତାଳଚେର ଅଞ୍ଚଳରେ ଏମ୍‌ସିଏଲ୍‌ ଏକ ମେଡିକାଲ କଲେଜ କରିବବୋଲି ପୂର୍ବରୁ ଘୋଷଣା ହୋଇଥିବାବେଳେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସାଧାରଣ ନିର୍ବାଚନବେଳେ ଓ ତାହାପରେ ତାଙ୍କ ରାଉରକେଲା ଗସ୍ତବେଳେ ସେଠାରେ ଏକ ମେଡିକାଲ କଲେଜ ହେବବୋଲି ଘୋଷଣା କରିଥିଲେ । ଦୁଇବର୍ଷ ବିତି ଯାଇଥିଲେ ବି ଏହି ମେଡିକାଲ କଲେଜ ଆରମ୍ଭ ହୋଇପାରିନାହିଁ । ପୂର୍ବରୁ ଇଏସ୍‌ଆଇ ଓଡିଶାରେ ଏକ ମେଡିକାଲ କଲେଜ କରିବବୋଲି ଘୋଷଣା କରିବାପରେ ରାଜ୍ୟ ସରକାର ଭୁବନେଶ୍ୱର ଉପକଣ୍ଠରେ ଜମି ଯୋଗାଇଥିଲେ । ଏବେ ଏହା ଶୀତଳଭଣ୍ଡାରରେ ପଡିଛି । ନବେ ଦଶକରେ ପଶ୍ଚିମଓଡିଶା ବିକାଶ ପରିଷଦ ବଲାଙ୍ଗିରରେ ମେଡିକାଲ କଲେଜ ପାଇଁ ଟେଣ୍ଡର ଡାକି ନିର୍ମାଣକାମ ଆରମ୍ଭ କରିଥିଲା । କୋଡିଏବର୍ଷ ଭିତରେ ଏ କାମ ସରୁନାହିଁ ।
ରାୟଗଡା ଓ ଗଜପତିରେ ଆଉ ଦୁଇଟି ମେଡିକାଲ କଲେଜ ପିପିପି ମୋଡ୍‌ରେ ହେବବୋଲି କୁହାଯାଇଥିବାବେଳେ ସେ କ୍ଷେତ୍ରରେ ମଧ୍ୟ କିଛି ଅଗ୍ରଗତି ନାହିଁ । ବାଲେଶ୍ୱରରେ ଭୁବନେଶ୍ୱର ଏମ୍ସର ଏକ ସାଟେଲାଇଟ୍‌ କ୍ୟାମ୍ପସ ହେବବୋଲି ୟୁପିଏ ସରକାର ସମୟର ଘୋଷଣା ଅନୁଯାୟୀ ରାଜ୍ୟ ସରକାର ଜମି ଦେଇଛନ୍ତି । ବାଲେଶ୍ୱର ଏମ୍ସ ପଡିଆରେ ସମ୍ପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ କାର୍ଯ୍ୟକ୍ରମରେ ଭାଷଣ ଦେଇଯାଇଥିଲେ ମଧ୍ୟ ଏଠି ଏମ୍ସ କାମ କେବେ ଆରମ୍ଭହେବ ସେ ସଂକ୍ରାନ୍ତରେ କିଛି ସୂଚନା ନାହିଁ । ବାଙ୍ଗାଲୋରର ନିମ୍‌ହାନ୍ସ ଢାଞ୍ଚାରେ ଏକ ସୁପର ସ୍ପେଶିଆଲିଟି ଇନ୍‌ଷ୍ଟିଟୁ୍ୟଟ ଅଫ୍‌ ମେଣ୍ଟାଲ ହେଲ୍‌ଥ ଆଣ୍ଡ ନୁ୍ୟରୋ ସାଇନ୍ସପାଇଁ ରାଜ୍ୟ ସରକାର ବାରଙ୍ଗ ତହସିଲରେ ୧୮ ଏକର ଜମି ଏବଂ ରିଜିଓନାଲ ଇନ୍‌ଷ୍ଟିଟୁ୍ୟଟ ଅଫ୍‌ ପାରା ମେଡିକାଲ ସାଇନ୍ସ ପାଇଁ ଭୁବନେଶ୍ୱର ଉପକଣ୍ଠରେ ୧୦ ଏକର ଜମି ଯୋଗାଇଥିଲେ ବି ଏ କ୍ଷେତ୍ରରେ ସେଭଳି କିଛି ଅଗ୍ରଗତି ଘଟିନାହିଁ । ଭୁବନେଶ୍ୱରରେ ଥିବା କ୍ୟାପିଟାଲ ହସ୍ପିଟାଲକୁ ପିଜିଆଇଏମ୍‌ଏସ୍‌ ମାନ୍ୟତା ଦେବାପାଇଁ ମଧ୍ୟ ବହୁବର୍ଷ ତଳୁ କୁହାଯାଉଥିଲେ ବି ଏହା ଘୋଷଣାରେ ରହିଯାଇଛି ।

ସେଆର କରନ୍ତୁ:



Powered by odothemes.com