ଓଡ଼ିଶାରେ ନାହିଁ ମୋଦି ଚମକ

35

ଭୁବନେଶ୍ୱର, ୨ା୬(ବୁ୍ୟରୋ): ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେଲା ପରେ ଆଜିଥିଲା ତାଙ୍କର ଚତୁର୍ଥ ଓଡ଼ିଶା ଗସ୍ତ । ତେବେ ଭାଷଣକୁ ମୂଳ ପୁଞ୍ଜି କରି ୨୦୧୪ ନିର୍ବାଚନରେ ବିଜେପିକୁ ଲୋକସଭାରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ପରିଣତ କରିବାରେ ନରେନ୍ଦ୍ର ମୋଦିଙ୍କର ଉଲ୍ଲେଖନୀୟ ଭୂମିକା ଥିଲା । ମାତ୍ର ଓଡ଼ିଶାରେ ଏହା ଯେ ପ୍ରଭାବଶୂନ୍ୟ ବୋଲି ଯାହା ଗତ ନିର୍ବାଚନ ଫଳ ପ୍ରମାଣିତ କରିଥିଲା ଏବେ ବି ସେହି ଧାରା ରାଜ୍ୟରେ ବଜାୟ ରହିଥିବା ଆଜିର ବାଲେଶ୍ୱର ସମାବେଶ ପ୍ରମାଣ କରିଛି । ଏପରିକି ଶଦ୍ଦ ସଂଯୋଜନା ଓ ନିଜସ୍ୱ କହିବା ଶୈଳୀରେ ଲୋକଙ୍କୁ ସଭାସ୍ଥଳରେ ବାନ୍ଧି ରଖିବାର ଯେଉଁ ଦକ୍ଷତା ଶ୍ରୀ ମୋଦିଙ୍କର ଥିଲା ତାହା ବାଲେଶ୍ୱର ସଭାରେ ପରିଲକ୍ଷିତ ହୋଇ ନାହିଁ । ପ୍ରଧାନମନ୍ତ୍ରୀ ଭାଷଣ ଦେବା ଆରମ୍ଭ କରିବା ମାତ୍ରେ ସଭାସ୍ଥଳରେ ଥିବା ଲୋକମାନେ ପଡ଼ିଆ ଛାଡ଼ି ଚାଲିବା ଆରମ୍ଭ କରିଥିଲେ । ସ୍ରୋତ ଭଳି ଲୋକମାନେ ସଭାସ୍ଥଳ ଛାଡ଼ି ଚାଲି ଯାଇଥିବାରୁ ସଭାମଞ୍ଚରେ ଥିବା ରାଜ୍ୟ ବିଜେପି ନେତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲା । ତେବେ ନିଜ ପରିପକ୍ୱ ରାଜନେତା ଭାବେ ମୋଦି ଏଥିରେ ଆଦୌ ବିଚଳିତ ନଥିବା ତାଙ୍କ ଆଚରଣରେ ପ୍ରଦର୍ଶନ କରିବା ସହ ପ୍ରାୟ ଏକ ଘଣ୍ଟା କାଳ ନିଜ ଅଭିଭାଷଣ ଜାରି ରଖିଥିଲେ । ଏପିରିକି ମୋଦିଙ୍କ ଭାଷଣ ଶେଷ ହେବାବେଳକୁ ସଭାସ୍ଥଳରେ ପ୍ରାୟ ୪ରୁ ୫ହଜାର ଲୋକ ଥିବା ଲକ୍ଷ୍ୟ କରାଯାଇଥିଲା ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ବାଲେଶ୍ୱରରେ ବିକାଶ ସମାବେଶ ଆଜି ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଥିଲା । ପ୍ରାରମ୍ଭରୁ ସମାବେଶ ସ୍ଥଳରେ ଜନସମାଗମ ଆଖିଦୃଶିଆ ନଥିଲା ହେଲେ ଧିରେ ଧିରେ ସଭାସ୍ଥଳରେ ଲୋକଙ୍କ ଗହଳି ବୃଦ୍ଧି ପାଇଥିଲା । ପ୍ରଧାନମନ୍ତ୍ରୀ ୧୧ଟା ୧୦ ମିନିଟ୍ରେ ସଭାମଞ୍ଚରେ ପହଞ୍ଚôଥିଲେ ଓ ୧୧ଟା ୧୯ ମିନିଟ୍ରେ ସେ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । ତେବେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ପାଇଁ ସ୍ୱାଗତ ଭାଷଣକୁ ମାତ୍ର ଗୋଟିଏ ବାକ୍ୟରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ସୀମିତ ରଖି ପ୍ରଧାନମନ୍ତ୍ରୀଙ୍କୁ ଭାଷଣ ଦେବାକୁ ଆମନ୍ତ୍ରଣ କରିଥିଲେ । ପୂର୍ବ ସଭା ଭଳି ସେ ଓଡ଼ିଆରେ ଦୁଇପଦ କହିବା ସହ ବାଲେଶ୍ୱରର ମନିଷୀମାନଙ୍କ ସ୍ମୃତିଚାରଣ କରି ସେମାନଙ୍କୁ ନମସ୍କାର ଜଣାଇଥିଲେ । ମୋଦି ସଭାକୁ ଆସିବା ପୂର୍ବରୁ ରାଜ୍ୟ ବିଜେପିର ନେତୃବୃନ୍ଦ ସେମାନଙ୍କ ଅଭିଭାଷଣ ଜାରି ରଖିଥିଲେ । ତେବେ ସେ ସମୟରେ ସଭାସ୍ଥଳରେ ଲୋକମାନେ ଉପସ୍ଥିତ ଥିଲେ । ମାତ୍ର ପ୍ରଧାନମନ୍ତ୍ରୀ ଭାଷଣ ଦେବା ଆରମ୍ଭ କରିବା ମାତ୍ରେ ଲୋକମାନେ ପଡ଼ିଆ ଛାଡ଼ିବା ଆରମ୍ଭ କରିଥିଲେ । ଯଦିଓ ଅସହ୍ୟ ଗୁଳୁଗୁଳି ଏହାର ଏକ କାରଣ ବୋଲି ଉଲ୍ଲେଖ କରାଯାଇ ପାରେ, ହେଲେ ଭାଷଣରେ କୌଣସି ନୂତନତ୍ୱ ନଥିବା କି ରାଜ୍ୟ ପାଇଁ କିଛି ଠୋସ୍ ଘୋଷଣା ନଥିବା ମଧ୍ୟ ଅନ୍ୟତମ କାରଣ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ତେବେ ବିଜେପିର ବଡ଼ପୁଞ୍ଜି ବୋଲି କୁହାଯାଉଥିବା ନରେନ୍ଦ୍ର ମୋଦିଙ୍କ ଭାଷଣ ପ୍ରତି ଓଡ଼ିଶାବାସୀଙ୍କ ଅନାଗ୍ରହ ଏବେ ରାଜ୍ୟ ନେତାଙ୍କ ମଧ୍ୟରେ ଭାଳେଣି ପକାଇଛି । ବିଜେପିରେ ଏବେ ଦେଖାଯାଇଥିବା ତୀବ୍ର ଅନ୍ତଦ୍ୱର୍ନ୍ଦ୍ୱ ମଧ୍ୟ ଏହାର ଅନ୍ୟତମ କାରଣ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି । ସେହିଭଳି ବାଲେଶ୍ୱର ସଭାରେ ୫ଲକ୍ଷ ଲୋକଙ୍କ ସମାବେଶ ହେବ ବୋଲି ଦଳପକ୍ଷରୁ ଘୋଷଣା କରାଯାଇଥିଲା । ହେଲେ ସଭାସ୍ଥଳରେ ଜନସମାଗମ ୫୦ ହଜାର ନଟପିବା ମଧ୍ୟ ଏବେ ଏକ ଆଲୋଡ଼ନ ସୃଷ୍ଟି କରିଥିବା ଜଣାପଡ଼ିଛି ।




Powered by odothemes.com