Basti-Basinda-Mancha-Pakhyaru-jilapalanka---residential-office--Gherau-(6)

ଜିଲ୍ଲାପାଳଙ୍କୁ ଘେରିଲେ ବସ୍ତିବାସିନ୍ଦା

52

କଟକ,୨ା୬(ବୁ୍ୟରୋ): ଆଜି ମେହନ୍ତର ବସ୍ତି ଭାଙ୍ଗିବା ନେଇ ଜିଲ୍ଲାପାଳ ବାସ ଗୃହ ଘେରିଥିଲେ ବସ୍ତିବାସିନ୍ଦା । ସକାଳେ ମହାନଗର ନିଗମ ପକ୍ଷରୁ କୌଣସି ନୋଟିସ ନଦେଇ ଅଚାନକ କାଫଲା ବଜାର ମହାନ୍ତିପଡା ହରିଜନ ବସ୍ତିର କିଛି ଅଂଶକୁ ଭାଙ୍ଗିଥିବା ବେଳେ ବାକି ଅଂଶ ଆସନ୍ତାକାଲି ଭାଙ୍ଗିବାକୁ କୁହାଯାଇଛି । ଏହି ବେଆଇନ୍ ବସ୍ତି ଭଙ୍ଗାକୁ ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ ଦୃଢ ନିନ୍ଦା କରିବା ସହ ମଞ୍ଚ ନେତୃତ୍ୱରେ ଶତାଧିକ ଲୋକ ଜିଲ୍ଲାପାଳଙ୍କ ବାସଭବନ ଅଫିସ୍ ସମ୍ମୁଖରେ ପ୍ରତିବାଦ ବିକ୍ଷୋଭ କରିଥିଲେ । ଦୀର୍ଘ ୪୦ରୁ ୫୦ବର୍ଷ ଧରି ରହିଆସୁଥିବା ଦଳିତ ସୁଇପରମାନେ ମହାନଗର ନିଗମ ଅଧୀନରେ ଓ ବେସରକାରୀ ଭାବେ ବିଭିନ୍ନ ସୁଇପର କାମ ଓ ମୂଲ ମଜୁରି ଲାଗି ଚଳିଆସୁଥିଲେ । ସାମାଜିକ ଦୃଷ୍ଟିରୁ ସୁଇପରମାନଙ୍କୁ କଟକ ସହରରେ କେହି ଭଡା ଘରେ ଆଶ୍ରୟ ଦିଅନ୍ତିନାହିଁ । ସେହି ଦୃଷ୍ଟିରୁ ସେମାନେ ବସ୍ତିରେ ଘର କରି ରହିବାକୁ ବାଧ୍ୟ ହୁଅନ୍ତି । ଦେଶର ସମ୍ବିଧାନିକ ଅଧିକାର ଦୃଷ୍ଟିରୁ ପ୍ରତ୍ୟେକ ନାଗରିକର ମୁଣ୍ଡ ଗୁଞ୍ଜିବାର ଅଧିକାର ରହିଛି, କୌଣସି ଲୋକକୁ ବେଘର କରିବା ପୂର୍ବରୁ ତାକୁ ଥଇଥାନ କରିବା କଥା, ଦେଶର ସମ୍ବିଧାନର ଆଇନ ରହିଛି, ବିଭିନ୍ନ କାଗଜପତ୍ରରେ ସୁପ୍ରିମ କୋର୍ଟ ଓ ବିଭିନ୍ନ ହାଇକୋର୍ଟ ମଧ୍ୟ ଅନୁରୂପ ନଦେ୍ର୍ଦଶ ମଧ୍ୟ ଦେଇଛନ୍ତି । ଏହି ବେଆଇନ ବସ୍ତି ଭଙ୍ଗକୁ ତୁରନ୍ତ ବନ୍ଦ କରାଯାଇ ଓ ଭାଙ୍ଗିଥିବ ଘର ଗୁଡିକର କ୍ଷତିପୂରଣ ଦିଆଯାଉ ଓ ସେମାନଙ୍କୁ ଥଇଥାନ କରାଯାଉ ବୋଲି ମଞ୍ଚ ପକ୍ଷରୁ ଦାବି କରାଯାଇଛି । ବସ୍ତିବାସିନ୍ଦାଙ୍କ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ତେବେ ପ୍ରଶାସନ ଭାଙ୍ଗିବାରୁ ଯଦି କ୍ଷାନ୍ତ ନ ହୁଅନ୍ତି, ତାହେଲେ କଟକ ସହରର ବସ୍ତିବାସିନ୍ଦାମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com