ଚଳଚଞ୍ଚଳ ବାଲେଶ୍ୱର, ଜୋସ୍‌ରେ ବିଜେପି

baleswar-modi-program-pre-arrangements-and-mok-testing-of-helicaptor-landing-(5)

ବାଲେଶ୍ୱର, ୩୧ା୫(ଆପ୍ର): ଦିନକ ପରେ ବାଲେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ । ବାଲେଶ୍ୱର ସମେତ ସମଗ୍ର ଉତ୍ତର ଓଡିଶାରେ ବିଜେପି ସଙ୍ଗଠନ ଖୁବ୍‌ ଚଳଚଞ୍ଚଳ । ସଭାସ୍ଥଳରେ ୫ ଲକ୍ଷ ଲୋକଙ୍କ ସମାବେଶ କରିବା ପାଇଁ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଦଳର ଛାମୁଆ ସଙ୍ଗଠନର ନେତାମାନେ ଦଳ ଦଳ ହୋଇ ଘରକୁ ଘର ବୁଲି ଲୋକଙ୍କୁ ନିମନ୍ତ୍ରଣ ଦେବା ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମାବେଶକୁ ଆସିବା ପାଇଁ ନିମନ୍ତ୍ରଣ ପତ୍ର ଦେଉଛନ୍ତି । ଉତ୍ତର ଓଡିଶାର ସବୁ ଜିଲ୍ଲାରେ ବିଜେପି ସଙ୍ଗଠନଗୁଡିକ ସଭାସ୍ଥଳକୁ ଲୋକ ଆଣିବା ପାଇଁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ରେମୁଣା ନିର୍ବାଚନମଣ୍ଡଳୀକୁ ବାଦ୍‌ ଦେଲେ ସମଗ୍ର ଉତ୍ତର ଓଡିଶାରେ ବିଜୁ ଜନତା ଦଳର ଅଖଣ୍ଡ ପ୍ରଭାବ ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସମାବେଶ ଏବେ ବିଜେପି ନେତାଙ୍କ ମଧ୍ୟରେ ଜୋସ୍‌ ଆଣି ଦେଇଛି । କେବଳ ରେମୁଣା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପିର ଗୋବିନ୍ଦ ଚନ୍ଦ୍ର ଦାସ ବିଧାୟକ ଅଛନ୍ତି । ଉତ୍ତର ଓଡିଶାର ଅବଶିଷ୍ଟ ସବୁ ବିଧାନସଭା ଓ ଲୋକସଭା ଆସନରେ ବିଜେଡି ନେତା ନିର୍ବାଚିତ ହୋଇଛନ୍ତି । ତେଣୁ ବିଜେଡି ଦୁର୍ଗରେ ବିଜେପିର ସମାବେଶ ଦଳୀୟ ନେତାଙ୍କ ପାଇଁ ଯେତିକି ଉତ୍ସାହ ଆଣିଦେଇଛି, ଅଣ-ବିଜେପି ଦଳର ସଙ୍ଗଠନ ଭିତରେ ଅପେକ୍ଷାକୃତ ନିରୁତ୍ସାହ ଭାବ ସୃଷ୍ଟି କରିଛି । ଯେହେତୁ ଆସନ୍ତାବର୍ଷ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ, ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତରୁ ବିଜେପି ଲାଭବାନ ହେବ ବୋଲି ଆଶା କରୁଛି ।
କେନ୍ଦ୍ରରେ ବିଜେପି ସରକାରର ଦୁଇବର୍ଷ ପୂର୍ତ୍ତି ଉତ୍ସବ ପାଳନ ପାଇଁ ଚୟନ ହୋଇଥିବା ସ୍ଥାନ ମଧ୍ୟରେ ବାଲେଶ୍ୱର ବଛାଯାଇଥିବାରୁ ବିଜେପିର ଫୋକସ ସ୍ପଷ୍ଟ ହୋଇଛି । ଉତ୍ତର ଓଡିଶାକୁ ବିଜେପି ଗୁରୁତ୍ୱ ଦେବା ଆରମ୍ଭ କରିଛି । ୨୦ ବର୍ଷ ପରେ ଦେଶର ପ୍ରଧାନମନ୍ତ୍ରୀ ବାଲେଶ୍ୱର ଆସୁଛନ୍ତି ଏବଂ ବିକାଶ ମନ୍ତ୍ରରେ ମୋଦି ଉତ୍ତର ଓଡିଶାବାସୀଙ୍କୁ ଉଦବୁଦ୍ଧ କରିବେ ବୋଲି ଦଳ ପକ୍ଷରୁ କୁହାଯାଉଛି । ୫ଲକ୍ଷ ସ୍ରୋତାଙ୍କୁ ସଭାସ୍ଥଳକୁ ଆଣିବାପାଇଁ ୫୦ହଜାରରୁ ଊଦ୍ଧ୍ୱର୍ ଯାନବାହନ ବ୍ୟବସ୍ଥା କରାଯାଇଥିବା ବେଳେ ଡମ୍ପର, ଟ୍ରକ୍ ଓ ମିନି ଟ୍ରକ୍କୁ ମଧ୍ୟ ଦଳ ଛାଡିନାହିଁ । ପ୍ରତ୍ୟେକ୍ ପଞ୍ଚାୟତ ଓ ବୁଥରୁ କିଭଳି ଲୋକମାନେ ଆସିବେ, ସେଥିପାଇଁ ଦଳ ପକ୍ଷରୁ କର୍ମୀମାନେ ଦିନରାତି ଏକ କରିଦେଇଛନ୍ତି । କେଉଁ ପଞ୍ଚାୟତରୁ କେତେ ଲୋକ ଆସିବେ, ତାଙ୍କର ନାମ ଏବଂ ମୋବାଇଲ ନମ୍ବର ସହିତ ଏକ ଖସଡା ପ୍ରସ୍ତୁତ କରି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖରେ ଦାଖଲ କରିବାକୁ ଦଳ ପକ୍ଷରୁ ପଞ୍ଚାୟତ ସଭାପତିଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ସହର ଠାରୁ ମଫସଲ ଯାଏ ସବୁଠି ଦଳ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ମୋଦିଙ୍କ ଗସ୍ତକୁ ସଫଳ କରିବା ପାଇଁ ପ୍ର·ର ଜୋରଦାର ·ଲିଛି । ମୋଦି ବାହିନୀର ସମରସଜ୍ଜା ଉତ୍ତର ଓଡ଼ିଶାରେ ବିଜେପିର ସ୍ଥିତିକୁ ଅଧିକ ମଜଭୁତ୍ କରିବ ବୋଲି ଦଳୀୟ ନେତାମାନେ ଆଶା କରିଛନ୍ତି । ମୋଦିଙ୍କ ବାଲେଶ୍ୱର ଗସ୍ତରେ ଦଳ ଭୟଭୀତ ନୁହେଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ପୂର୍ବତନ ବିଜେପି ବିଧାୟକ ତଥା ଏବେର ବିଜେଡି ବିଧାୟକ ଜୀବନ ପ୍ରଦୀପ ଦାଶ ଉତ୍ତର ଓଡିଶାର ବିକାଶରେ କେନ୍ଦ୍ର ଅବହେଳା କରିଛି ବୋଲି କହିଛନ୍ତି । ୪ ବର୍ଷ ତଳେ ଉପା-୨ ସରକାର ବାଲେଶ୍ୱରରେ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରଥିଲା ବେଳେ ରାଜ୍ୟ ସରକାର ମାଗଣା ଜମି ଯୋଗାଇ ଦେଇଥିଲେ । ଏକ ରେଫରାଲ୍ ହସ୍ପିଟାଲ ଓ ଏକ ସାଟେଲାଇଟ୍ ସେଣ୍ଟର ପ୍ରତିଷ୍ଠା କରିବାକୁ ନିଷ୍ପତି ନିଆଯାଇଥିଲେ ହେଁ ଏଯାଏଁ କାମ ଆରମ୍ଭ ହୋଇପାରିନାହିଁ । ତାମୁଳିଆ ରେଳବାଇ ଅଣ୍ଡରବ୍ରିଜ ପାଇଁ ରେଳମ ନ୍ତ୍ରଣାଳୟ ଅର୍ଥ ମଂଜୁର କରିପାରିନଥିବାରୁ ଠିକାଦାର ବକେୟା ବିଲ୍ ନପାଇ କାମ ବନ୍ଦ କରିଦେଇଛି । ଦ୍ୱିତୀୟରେ, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଏହା ବ୍ୟତୀତ କୋଷ୍ଟ କେନାଲର ପୁନରୁଦ୍ଧାର, ସୁବର୍ଣ୍ଣରେଖା ଓ ଜିଲ୍ଲାରେ ପ୍ରବାହିତ ଅନ୍ୟାନ୍ୟ ବନ୍ୟା ପ୍ରବଣ ନଦୀ ଗୁଡ଼ିକର ମୁହାଣ ଖନନ, ମେଗା ଜଳ ସେଚନ ପ୍ରକଳ୍ପ , ୱେକ୍୍ରଅପ୍ ଯୋଜନାରେ ଉତର ଓଡ଼ିଶାକୁ ସାମିଲ କରାନଯିବା ଆଦି ବିଭିନ୍ନ ପ୍ରସଙ୍ଗ ଥିଲେ ମଧ୍ୟ କେନ୍ଦ୍ର ସରକାର ଏଦିଗରେ ଦୃଷ୍ଟି ଦେଉ ନାହାନ୍ତି । ପ୍ରଧାନମନ୍ତ୍ରୀ ବାଲେଶ୍ୱର ଗସ୍ତ ପୂର୍ବରୁ ଉତ୍ତର ଓଡ଼ିଶାର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ସମସ୍ୟା ସମାଧାନ ସମ୍ପର୍କରେ ଘୋଷଣା ନକଲେ, ତାଙ୍କର ଗସ୍ତ ସଫଳ ହେବ ନାହିଁ ବୋଲି ବିଜେଡି ସାଂସଦ ରବୀନ୍ଦ୍ର ଜେନା କହିଛନ୍ତି । ଅପରପକ୍ଷରେ ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଅରୁଣ ଦେ କହିଛନ୍ତି କି ପ୍ରଧାନମନ୍ତ୍ରୀ ବାଲେଶ୍ୱର ନଆସି ଏଠାରେ ସ୍ଥାୟୀ ଭାବେ ଘର କରି ରୁହନ୍ତୁ । ଫଳରେ ଉତର ଓଡ଼ିଶାର ସାମଗ୍ରୀକ ବିକାଶ ପାଇଁ କେନ୍ଦ୍ର ସରକାର ଅଧିକ ଯତ୍ନବାନ ହେବେ । କେବଳ ବିିଭିନ୍ନ ପ୍ରକଳ୍ପ ଓ ଯୋଜନା ପ୍ରଣୟନ କଲେ ହେବ ନାହିଁ । ତୃଣମୂଳ ସ୍ତରରେ ଏ ଦିଗରେ ରାଜ୍ୟସରକାର ଓ ପ୍ରଶାସନ ଯୋଜନାଗୁଡ଼ିକ କିଭଳି ରୂପାୟନ କରୁଛନ୍ତି, ତାହା ଉପରେ ମୋଦି ସରକାର ସମୀକ୍ଷା କରିବା ଆବଶ୍ୟକ ।
ପ୍ରଧାନମନ୍ତ୍ରୀଙ୍କ ସମାବେଶ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏସ୍ପିଜି ପକ୍ଷରୁ ସଭାସ୍ଥଳ ଏବଂ ସଭାସ୍ଥଳକୁ ସଂଲଗ୍ନ କରୁଥିବା ସମସ୍ତ ରାସ୍ତାଗୁଡ଼ିକର ନିରାପତ୍ତା ପ୍ରତି ଧ୍ୟାନ ଦିଆଯାଇଛି । ବିଭିନ୍ନ ସ୍ଥାନରେ ସିସି ଟିଭି କ୍ୟାମେରା ଲଗାଯାଇଥିବା ବେଳେ ରାସ୍ତାରେ ଯାଉଥିବା ଯାନବାହନ ଓ ହୋଟେଲ ଯାଂଚ ପାଇଁ ପୋଲିସ୍ ମୁତୟନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ଭାଳିବା ପାଇଁ ୪ଜଣ ଏସ୍ପି, ୫ଜଣ ଡିଏସ୍ପି , ୩୫ଜଣ ଇନିସ୍ପେକ୍ଟର, ଶତାଧିକ ସବ୍ଇନିସ୍ପେକ୍ଟର, ଏଏସ୍ଆଇ ଓ ୬୦ପ୍ଲାଟୁନ ସଶସ୍ତ୍ର ପୋଲିସ୍ ବାହିନୀ ମୁତୟନ କରାଯାଉଛି । ଏସ୍ପିଜି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ନେଇ ଜିଲ୍ଲା ଅଧିକ୍ଷକଙ୍କ ସହ ଚୂଡ଼ାନ୍ତ ଆଲୋଚନା କରିବା ସହ ସୁରକ୍ଷା ସମ୍ପର୍କିତ ୧୯ଟି ସର୍ତାବଳୀ ପାଳନ କରାଯାଇଛି କି ନାହିଁ ସେ ସମ୍ପର୍କରେ ସରଜମିନ ସମୀକ୍ଷା କରିଛି ।