subrata-roy_14

ସାହାରାଶ୍ରୀଙ୍କ ସଭା ଭଣ୍ଡୁର

33

ସମାବେଶ ସ୍ଥଳରେ ୧୪୪
କଟକ/ଭୁବନେଶ୍ୱର, ୨୯ ।୫(ବୁ୍ୟରୋ): ନିରୀହ ଜମାକାରୀଙ୍କୁ ୨୪,୦୦୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଠକି ପାରୋଲ୍ରେ ଥିବା ସାହାରାଶ୍ରୀ ସୁବ୍ରତ ରୟ (୬୭)ଙ୍କ ଆଉ ଏକ ମାୟାଜାଲ ଛିଣ୍ଡିଛି । କଟକରେ ଏଜେଣ୍ଟ୍ ଓ କାର୍ଯ୍ୟକର୍ତ୍ତାଙ୍କ ସମ୍ମିଳନୀ ଜରିଆରେ ସାଧାରଣ ଲୋକଙ୍କୁ ପୁଣି ଥରେ ଥୋପ ପକାଇବାକୁ ରୟ କରିଥିବା ଷଡ଼ଯନ୍ତ୍ର ଶେଷ ମୁହୂର୍ତ୍ତରେ ଫସର ଫାଟିଛି । ସୁରକ୍ଷା ଓ ଆଇନଶୃଙ୍ଖଳା ସ୍ଥିତି ଆଶଙ୍କାରେ କମିଶନରେଟ୍ ପୁଲିସ୍ କଟକ ଇନ୍ଡୋର୍ ଷ୍ଟାଡିୟମ୍ ସଭାସ୍ଥଳରେ ୧୪୪ ଧାରା ଜାରି କରିବା ସହ ଉପସ୍ଥିତ କାର୍ଯ୍ୟକର୍ତ୍ତା ଓ ଏଜେଣ୍ଟ୍ଙ୍କୁ ତଡ଼ି ଦେଇଛି । ଉଭୟ କଟକ ଓ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ସୁବ୍ରତ ରହୁଥିବା ହୋଟେଲ୍ରେ ସୁରକ୍ଷା ସୁଦୃଢ଼ କରାଯାଇଥିବା ପୁଲିସ କମିଶନର ୱାଇବି ଖୁରାନିଆ କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଲେ, ସାହାରାଶ୍ରୀଙ୍କ ଜୀବନ ଓ ସଭାସ୍ଥଳରେ ଗୁରୁତର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି ବୋଲି କ୍ରାଇମ୍ବ୍ରାଞ୍ଚ ଡିଜି ବିକେ ଶର୍ମାଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା । ସୂଚନା ପରେ ପୁଲିସ ପ୍ରଶାସନ ତତ୍ପରତା ପ୍ରକାଶ କରିବା ସହ ସଭାସ୍ଥଳରେ ନିଷେଧାଦେଶ ଜାରି କରି ସୁବ୍ରତଙ୍କ କଟକ ଗସ୍ତକୁ ବାରଣ କରିଥିଲା । ପାରୋଲ୍ରେ ଥିବା ଜଣେ ବ୍ୟକ୍ତିଙ୍କୁ ସୁପ୍ରିମ୍କୋର୍ଟଙ୍କ ସର୍ତ୍ତ ଉଲ୍ଲଙ୍ଘନ କରାଯାଇ ସାଧାରଣସଭା କରିବାକୁ କେମିତି ଅନୁମତି ମିଳିଲା ପ୍ରଶ୍ନର ଉତ୍ତରରେ ସେ ଆହୁରି ମଧ୍ୟ କହିଛନ୍ତି, ସୁବ୍ରତ ରୟ ହାଇଦ୍ରାବାଦ ଓ ବିଶାଖାପାଟଣାରେ ଅନୁରୂପ ସଭା କରିଛନ୍ତି । କଟକ ସଭା ପାଇଁ ଅନୁମତି ପ୍ରଦାନରେ ସୁପ୍ରିମ୍କୋର୍ଟଙ୍କ ପାରୋଲ୍ ସର୍ତ୍ତ ଭଙ୍ଗ ହୋଇନାହିଁ । ତାଙ୍କୁ ଡାକବାଜି ଯନ୍ତ୍ର ବ୍ୟବହାର ଅନୁମତି ଦିଆଯାଇ ନଥିଲା । ପୁଲିସ ଓ ଗୁଇନ୍ଦା କାର୍ଯ୍ୟକୁ ନେଇ ବୁଦ୍ଧିଜୀବୀ ମହଲ କିନ୍ତୁ ଆପତ୍ତି ଉଠାଇଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କା ଗୁଇନ୍ଦା ବିଭାଗ ପୂର୍ବରୁ କେମିତି ଜାଣି ପାରିଲାନି ବୋଲି କିଛି ଆଇନଜୀବୀ ଓ ଲୋକ ପ୍ରଶ୍ନ କରିବା ସହ ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସି ସାଧାରଣ ସଭା ଆୟୋଜନ କରିବା ସୁପ୍ରିମ୍କୋର୍ଟଙ୍କ ସର୍ତ୍ତର ଖୋଲା ଉଲ୍ଲଙ୍ଘନ ନୁହେଁ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ, ଆଇନଶୃଙ୍ଖଳା ଦୃଷ୍ଟିରୁ କାର୍ଯ୍ୟକ୍ରମ ବନ୍ଦ କରାଯାଇଥିବାରୁ ସୁବ୍ରତ୍ ପୁଲିସ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, ୪୦୦୦ ପରିବାର ସଦସ୍ୟକୁ ଭେଟି ନପାରିବା ଦୁର୍ଭାଗ୍ୟଜନକ; ମାତ୍ର ପୁଲିସ ନିଶ୍ଚିତ ଅଘଟଣକୁ ଏଡେଇ ପାରିଥିବାରୁ ଧନ୍ୟବାଦର ପାତ୍ର ।
ସୂଚନାଯୋଗ୍ୟ, ମା’ ଛବି ରୟ (୯୨)ଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେବାକୁ ସୁପ୍ରିମ୍କୋର୍ଟ ଜୁଲାଇ ୧୧ ପର୍ଯ୍ୟନ୍ତ ସୁବ୍ରତ୍ଙ୍କୁ ପାରୋଲ୍ ପ୍ରଦାନ କରିଛନ୍ତି । ପାରୋଲ୍ ଅବଧିରେ ସେ ପୁଲିସ୍ ଏସ୍କର୍ଟରେ ଭାରତ ସାରା ବୁଲି ଜମାକାରୀଙ୍କ ଟଙ୍କା ଫେରସ୍ତ ନିମନ୍ତେ ନିଜ ସମ୍ପତ୍ତି ବିକିବାକୁ କ୍ରେତାଙ୍କୁ ଭେଟି ପାରିବେ ବୋଲି ସର୍ତ୍ତ ଥିଲା । ମାତ୍ର ସର୍ତ୍ତ ଉଲ୍ଲଙ୍ଘନ କରି ସାହାରାଶ୍ରୀ ହାଇଦ୍ରାବାଦ ଓ ବିଶାଖାପାଟଣାରେ ଏଜେଣ୍ଟ୍ ଓ କ୍ଷେତ୍ର କର୍ମଚାରୀଙ୍କ ସହ ସଭା କରିଥିଲେ । ଓଡ଼ିଶା ଜମାକାରୀଙ୍କୁ ଥୋପ ପକାଇବାକୁ କଟକ ଇନ୍ଡୋର୍ ଷ୍ଟାଡିୟମ୍ରେ ସଭା ପାଇଁ ସ୍ଥିର କରିଥିଲେ । ଏଥିପାଇଁ ସେ ଦିଲ୍ଲୀ ପୁଲିସ ଏସ୍କର୍ଟରେ ଆସି ଏକ ବିଳାସପୂର୍ଣ୍ଣ ହୋଟେଲ୍ରେ ଅବସ୍ଥାନ କରୁଥିଲେ । ହୋଟେଲରୁ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ତାଙ୍କୁ ସଭାସ୍ଥଳ ନେବାକୁ ସ୍ଥିର ହୋଇଥିଲା । କାର୍ଯ୍ୟକ୍ରମରେ ୪,୦୦୦ରୁ ଊଦ୍ଧ୍ୱର୍ ଏଜେଣ୍ଟ୍ ଓ ଅଧିକାରୀ ଯୋଗ ଦେବାକୁ ସ୍ଥିର ହୋଇଥିଲା । କିଛି ଏଜେଣ୍ଟ୍ ମଧ୍ୟ ୧୪୪ ଧାରା ଘୋଷଣା ପୂର୍ବରୁ ଷ୍ଟାଡିୟମ୍ରେ ପ୍ରବେଶ କରିସାରି ଥିଲେ । ପୁଅ ସୁଶାନ୍ତ ଓ ଅନ୍ୟ ଅଧିକାରୀମାନେ ପ୍ରସ୍ତୁତ ଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ପୁଲିସ ସବୁ ଭଣ୍ଡୁର କରିବା ସହ ୧୪୪ ଧାରା ଜାରି କରିଥିଲା । ସବୁଠାରୁ ଊଲ୍ଲେଖନୀୟ କଥା ହେଲା, ପାରୋଲ୍ ଅବଧିରେ ସୁପ୍ରିମ୍କୋର୍ଟ କିଛି ସର୍ତ୍ତ ରଖିଥିଲେ ହେଁ ସର୍ତ୍ତ ଉଲ୍ଲଙ୍ଘନ କରି ରୟ କିଛି ପ୍ରମୁଖ ଗଣମାଧ୍ୟମରେ ପୂରା ପୃଷ୍ଠାର ବିଜ୍ଞାପନ ଦେଇଥିଲେ । ଜମାକାରୀଙ୍କୁ ପ୍ରଲୋଭିତ କରିବା ଏବଂ ସାହାରା ଗ୍ରୁପ୍ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ଉଦ୍ଦିଷ୍ଟ ବିଜ୍ଞାପନ ପରେ ସାଧାରଣ ସଭା ପାଇଁ ପୁଲିସର୍ ଅନୁମତି ଖଟ୍କା ଲାଗୁଥିବା ଚର୍ଚ୍ଚା ହେଉଛି । ନିରୀହ ଜମାକାରୀଙ୍କ ୨୪,୦୦୦ କୋଟି ବଢ଼ି ଏବେ ୩୦,୦୦୦ କୋଟି ଟଙ୍କା ବା ତଦୁଦ୍ଧ୍ୱର୍ ହେଲାଣି । ଜମାକାରୀଙ୍କ ରାଶିି ଫେରସ୍ତ ପାଇଁ ସମ୍ପତ୍ତି ବିକିବାକୁ ସୁପ୍ରିମ୍କୋର୍ଟ କହିଛନ୍ତି । ଖାଲି ସେତିକି ନୁହେଁ, ୧.୭୬ ଲକ୍ଷ କୋଟି ସମ୍ପତ୍ତିର ମାଲିକ ସତ୍ତ୍ୱେ ଜମାକାରୀଙ୍କ ଟଙ୍କା ନଫେରାଇ ଜେଲ୍ରେ ସଢ଼ିବାକୁ ସର୍ବୋଚ୍ଚ ଅଦାଲତ ମଧ୍ୟ ନାପସନ୍ଦ କରିଛନ୍ତି । ଏବେ ପାରୋଲ୍ ଉଲ୍ଲଙ୍ଘନ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟ ରୟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ଦାବି ହୋଇଛି ।




Powered by odothemes.com