ତଥ୍ୟଭିତ୍ତିକ ଲେଖା ଜୀବନଶୈଳୀକୁ ପ୍ରଭାବିତ କରିଥାଏ

Srujana-tarafa-roo-teeno-tii-bahi-lokarparnya-I&PR-re11

ଭୁବନେଶ୍ୱର ୨୯ ।୫ (ବ୍ୟୁରୋ): ଓଡ଼ିଆ ସମାଲୋଚନାରେ ଅଣ-କାଳ୍ପନିକ ରଚନାକୁ ନୁ୍ୟନମାନର ବୋଲି ସାଧାରଣତଃ ବିବେଚନା କରାଯାଉଥିବାରୁ ଅତିଥି ଓ ସମୀକ୍ଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କୌଣସି ଭାଷା ଓ ସାହିତ୍ୟର ଅଭିବୃଦ୍ଧିରେ ତଥ୍ୟଭିତ୍ତିକ ଲେଖା ଯଥା-ସମାଲୋଚନାମୂଳକ ପ୍ରବନ୍ଧ, ଜୀବନୀ, ନାଟକ ଓ ଭ୍ରମଣ କାହାଣୀର ଗୁରୁତ୍ୱ ଅନସ୍ୱୀକାର୍ଯ୍ୟ ଏବଂ ଏଭଳି ଲେଖା ମାଧ୍ୟମରେ ହିଁଁ ଆମେ ଗୋଟିଏ ଜାତିର ଜୀବନଶୈଳୀ, ଇତିହାସ ଓ ସଂସ୍କୃତିକୁ ଜାଣିବାର ସୁଯୋଗ ପାଇଥାଉ ବୋଲି ଅତିଥିମାନେ ମତ ପ୍ରଦାନ କରିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ସଭାଗୃହରେ ବିଶିଷ୍ଟ ଚିତ୍ରଶିଳ୍ପୀ, ଲେଖକ ଓ କଳା ଐତିହାସିକ ଡ଼ ଦିନନାଥ ପାଠୀଙ୍କ ତିନୋଟି ଅଣକାଳ୍ପନିକ ପୁସ୍ତକର ଲୋକାର୍ପଣ ଉତ୍ସବରେ ଯୋଗଦେଇ ଅତିଥିମାନେ ଚିତ୍ରକଳା, ଚିତ୍ରଭାଷା, ଆତ୍ମଜୀବନୀ, କ୍ଷୁଦ୍ରଗଳ୍ପ ଓ ଚିତ୍ର ସମାଲୋଚନା କ୍ଷେତ୍ରରେ ଏହି ପୁସ୍ତକର ଠିକ୍ ଉପାଦେୟ ହେବ ବୋଲି ଆଶା ପ୍ରକଟ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ଡକ୍ଟର ସୀତାକାନ୍ତ ମହାପାତ୍ର ଓ ସ୍ୱନାମଧନ୍ୟ ଅନୁବାଦକ ଓ ଇଂରାଜୀ ସାହିତ୍ୟର ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କବି ରକ୍ଷକ ନାୟକ ଓ ଭାଷାବିତ୍‌ ଦେବାଶିଷ ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ପ୍ରଫେସର ନିତ୍ୟାନନ୍ଦ ଶତପଥି ସଭାପତିତ୍ୱ କରିଥିଲେ । ବିଶ୍ୱମୁକ୍ତି ଓ ସୃଜନ ପ୍ରକାଶନ ସଂସ୍ଥା ଦ୍ୱାରା ତିନୋଟି ବହି ପ୍ରକାଶିତ ହୋଇଛି । ଏହି ପୁସ୍ତକ ‘ଭାଗବତର ଚିତ୍ର ଭାଷା’, ‘ଚିତ୍ର ଚିନ୍ତନ’ ଓ ‘ପୁଞ୍ଜିକୟାଁର ଫକୀର’କୁ ଯଥାକ୍ରମେ ଡ଼. ବାବଜୀ ଚରଣ ପଟ୍ଟନାୟକ, ଅଧ୍ୟାପକ ବିଶ୍ୱରଞ୍ଜନ ଓ ଦାଶ ବେନ୍ହୁର୍ ଲୋକର୍ପଣ କରିଥିବା ବେଳେ ଡ଼. ବସନ୍ତ କୁମାର ପଣ୍ଡା, ଅସିତ ମହାନ୍ତି ଓ ସୂର୍ଯ୍ୟ ମିଶ୍ର ପୁସ୍ତକଗୁଡ଼ିକର ସମୀକ୍ଷା କରିଥିଲେ ।