28.05

ବ୍ରହ୍ମ ବିଭ୍ରାଟକୁ ନେଇ ହଟ୍ଟଗୋଳ

45

ଦ୍ୱିତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକ
ପୁରୀ,୨୮ା୫(ବୁ୍ୟରୋ): ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟକୁ ବର୍ଷେ ପୂରିବାକୁ ଯାଉଛି । ହେଲେ ଏପର୍ଯ୍ୟନ୍ତ ତଦନ୍ତ ରିପୋର୍ଟ ଦାଖଲ କରାଯାଇ ପାରିନି । ରିପୋର୍ଟର ସ୍ଥିତି କ’ଣ, କେଉଁମାନେ ଦୋଷୀ ଓ ଦୋଷୀଙ୍କ ପ୍ରତି କି’ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସଂପର୍କରେ ଜାଣିବା ପାଇଁ ଜଗନ୍ନାଥ ପ୍ରେମୀ ମହଲରେ ଉକ୍ରଣ୍ଠା ଲାଗି ରହିଥିବା ବେଳେ ଏହାକୁ କେନ୍ଦ୍ର କରି ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ତୀବ୍ର ହଟ୍ଟଗୋଳ ସୃଷ୍ଟି ହୋଇଛି । ପରିସ୍ଥିତି ଏପରି ହୋଇଥିଲା ଯେ, ତଦନ୍ତ ରିପୋର୍ଟ ତୁରନ୍ତ ଦାଖଲ କରାନଗଲେ ସ୍ନାନଯାତ୍ରା ଓ ରଥଯାତ୍ରାରେ ସହଯୋଗ ନକରିବା ପାଇଁ ସେବାୟତମାନେ ଧମକ ଦେଇଥିଲେ । ଘଟଣାରେ ଶ୍ରୀ ମନ୍ଦିର ପରିଚାଳନା କମିଟିର ସଭାପତି ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ ହସ୍ତକ୍ଷେପ କରି ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ(ଏସ୍ଜେଟିଏ)କୁ ନିଦେ୍ର୍ଦଶ ଦେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲେ ବିି ରିପୋର୍ଟ ପ୍ରକାଶରେ ଅହେତୁକ ବିଳମ୍ବ ସର୍ବୋପରି ସେବାୟତଙ୍କ ଧମକକୁ ନେଇ ଶ୍ରଦ୍ଧାଳୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । କେନ୍ଦ୍ରାଞ୍ଚଳ ଆର୍ଡିସି ଏବି ଓତାଙ୍କ ଅଧ୍ୟକ୍ଷତାରେ ଶନିବାର ଏଠାରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା ଦ୍ୱିତୀୟ ସମନ୍ୱୟ କମିଟି ବୈଠକ । ବୈଠକ ଆରମ୍ଭ ହେବା ମାତ୍ରେ ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ ଉଠାଇ ଦଦନ୍ତ ରିପୋର୍ଟର ସ୍ଥିତି ବିଷୟରେ ଜାଣିବାକୁ ଚାହିଁଥିଲେ । ବ୍ରହ୍ମ ପରିବର୍ତ୍ତନ ବିଳମ୍ବ କାରଣକୁ ନେଇ ଗତ ବର୍ଷ ଜୁନ୍ ୨୪ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ଦୁଇଜଣ ଦଇତାପତି କାଶୀନାଥ ଦାସମହାପାତ୍ର ଏବଂ ଜୟକୃଷ୍ଣ ଦାସମହାପାତ୍ରଙ୍କୁ ସସ୍ପେଣ୍ଡ କରିଥିଲା । ଏଥି ସହିତ ଚାରି ବାଡ଼ଗ୍ରାହୀ, ୫ଜଣ ବରିଷ୍ଠ ଦଇତାପତି, ଦେଉଳକରଣ, ବିଶ୍ୱକର୍ମା, ମୁକ୍ତିମଣ୍ଡପ ପଣ୍ଡିତଙ୍କୁ ଜେରା କରାଯାଇଥିଲା । ଇତିମଧ୍ୟରେ ବର୍ଷେ ବିତିଥିଲେ ବି ରିପୋର୍ଟ ଦାଖଲ କରାଗଲା ନାହିଁ । ଏହା ଫଳରେ ତଦନ୍ତ ପରିସରରେ ଥିବା ସେବାୟତମାନେ ସେମାନଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଥିବା ବେଳେ ତଦନ୍ତ ରିପୋର୍ଟ ବିଳମ୍ବ ଯୋଗୁ ସାଧାରଣରେ ଉକ୍ରଣ୍ଠା ପ୍ରକାଶ ପାଇଛି । ଶ୍ରୀ ଦାସ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ, ତୁରନ୍ତ ରିପୋର୍ଟ ପ୍ରକାଶ କରାଯାଇ ଦୋଷୀଙ୍କ ପ୍ରତି ଦଣ୍ଡ ବିଧାନ ଓ ପାଉଣା ପ୍ରଦାନ କରାନଗଲେ ସେବାୟତମାନେ ସ୍ନାନଯାତ୍ରା ଏବଂ ରଥଯାତ୍ରାରେ ସହଯୋଗ କରିବେ ନାହିଁ ।
ଅନ୍ୟପକ୍ଷରେ ଆର୍ଡିସି ଶ୍ରୀ ଓତା ଗଣମାଧ୍ୟକୁ ସୂଚନା ଦେଇ କହିଛନ୍ତି,ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ ଆଲୋଚନା ପରିସରଭୁକ୍ତ ନଥିଲା । ରଥଯାତ୍ରା କିପରି ସୁରୁଖୁରୁରେ ସମ୍ପନ୍ନ ହେବ ସେ ନେଇ ଆଲୋଚନା କରାଯାଇଥିଲା । ରଥଯାତ୍ରା ପାଖେଇ ଆସୁଥିବା ବେଳେ ଡ୍ରେନେଜ୍ ଓ ରାସ୍ତା କାମରେ ବିଳମ୍ବ ହେଉଥିବାରୁ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା । ଜୁନ୍ ୩୦ ସୁଦ୍ଧା ରାସ୍ତା ଓ ଡ୍ରେନ୍ କାମ ଶେଷ କରିବାକୁ ଆର୍ଡିସି ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏଥି ସହିତ ଭୀଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ଆଇନ ଶୃଙ୍ଖଳା ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିିବ ବୋଲି ଏସ୍ପି ସାର୍ଥକ ସଡ଼ଙ୍ଗି କହିଛନ୍ତି । ବୈଠକରେ ପୁରୀ ବିଧାୟକ ମହେଶ୍ୱର ମହାନ୍ତି, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।




Powered by odothemes.com