Erasama-Photo-1

ଏରସମାରେ ଲଙ୍କାକାଣ୍ଡ

28

ଏରସମା, ୨୬ା୫(ବୁ୍ୟରୋ): ଏରସମା ବ୍ଲକ ନୂଆଡିହି ପଞ୍ଚାୟତ ସମିତି ସଭ୍ୟଙ୍କ ସନେ୍ଦହଜନକ ମୃତୁ୍ୟକୁ କେନ୍ଦ୍ର କରି ଗୁରୁବାର ଲଙ୍କାକାଣ୍ଡ ଘଟିଛି । ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଉତ୍ତ୍ୟକ୍ତ ଜନତା ଥାନାରେ ଶବ ରଖି ବିକ୍ଷୋଭ ପ୍ରଦର୍ଶନ ସହିତ ଦୁଇଟି ପୋଲିସ ଗାଡ଼ି ଭଙ୍ଗାରୁଜା କରିଛନ୍ତି । ରାସ୍ତାରେ ଟାୟାର ଜାଳି ଅବରୋଧ କରାଯାଇଥିବା ବେଳେ ଉତ୍ତ୍ୟକ୍ତ ଜନତାଙ୍କ କୋପରୁ ଏରସମା ହସ୍ପିଟାଲ ବି ବର୍ତ୍ତି ନାହିଁ । ଅନ୍ୟପକ୍ଷରେ ସାଧାରଣ ଜନତାଙ୍କ ଦାବି ଗ୍ରହଣ କରି ପୋଲିସ କର୍ତ୍ତୃପକ୍ଷ ଆଇଆଇସିଙ୍କୁ ବଦଳି କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି । ଜଣାପଡ଼ିଛି ଯେ ସମିତି ସଭ୍ୟ ରଞ୍ଜନ ସ୍ୱାଇଁ ବୁଧବାର ସନ୍ଧ୍ୟାରେ ସମିତି ବୈଠକରେ ଯୋଗ ଦେବାପାଇଁ ଯାଇଥିଲେ । ବିଳମ୍ବିତ ରାତି ଯାଏଁ ସେ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି ପରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଏରସମା-ଆମ୍ବିକି ରାସ୍ତାର କୁଳିଦା ବ୍ରିଜ୍ ତଳୁ ଉଦ୍ଧାର କରିଥିଲେ । ଗ୍ରାମବାସୀଙ୍କ ସହାୟତାରେ ରଞ୍ଜନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତୁ୍ୟ ହୋଇଥିଲା । ରଞ୍ଜନଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବା ମାତ୍ରେ ଗୁରୁବାର ସକାଳେ ଶହଶହ ଲୋକ ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତା ଅବରୋଧ କରିବା ସହିତ ଏରସମା ଥାନା ଘେରାଉ କରିଥିଲେ । ଉତ୍ତ୍ୟକ୍ତ ଜନତା ଆଇଆଇସିଙ୍କ ଚାମ୍ବରରେ ମୃତ ଦେହ ରଖି ଆନେ୍ଦାଳନ କରିବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଥାନାରେ ଥିବା ପୋଲିସ ବାହିନୀକୁ ନିୟୋଜିତ କରାଯିବା ପରେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା । ଉତ୍ତ୍ୟକ୍ତ ଜନତା ଥାନାରେ ଥିବା ଦୁଇଟି ପୋଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ ଓ ହସ୍ପିଟାଲରେ ପଶି ମଧ୍ୟ ଭଙ୍ଗାରୁଜା କରିଥିଲେ । ଖବର ପାଇ ଜଗତ୍ସିଂହପୁର ଏସ୍ପି ସୁଧା ସିଂହ, ଉପଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଅତିରିକ୍ତ ପୋଲିସ ବାହିନୀ ସହିତ ଏରସମାରେ ପହଞ୍ଚô ଆନେ୍ଦାଳନକାରୀଙ୍କ ସହିତ ଆଲୋଚନା କରିଥିଲେ । ବହୁ ସମୟ ଧରି ଆଲୋଚନା ପରେ ଏସ୍ପି ସୁଦ୍ଧା ସିଂହ ଆଇଆଇସି ଶ୍ରୀ ସ୍ୱାଇଁଙ୍କୁ ବଦଳି କରିବାରୁ ପରିସ୍ଥିତିରେ ସାମାନ୍ୟ ସୁଦ୍ଧାର ଆସିଥିଲା । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହି ଥଲା ଓ ପୋଲିସ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଥିଲା ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯିବା ପରେ ପରିବାରବର୍ଗ ଥାନାରେ ଜଣାଇଥିଲେ ବି ଆଇଆଇସି ଏହାକୁ ଗୁରୁତ୍ୱ ଦେଇ ନଥିଲେ । ଯାହାଫଳରେ ଆସାମୀମାନେ ସହଜରେ ଖସିଯିବାକୁ ସମର୍ଥ ହୋଇଥିଲେ । ଏଥିପାଇଁ ଆଇଆଇସିଙ୍କ ଦାୟିତ୍ୱହୀନତାକୁ ସ୍ଥାନୀୟ ଲୋକେ ଦାୟି କରିଛନ୍ତି । ରଞ୍ଜନଙ୍କୁ ଆକ୍ରମଣ କରାଯିବାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନଥିଲେ ସୁଦ୍ଧା ଏକ ଜମିବାଡ଼ି ବିବାଦ ଏହାର କାରଣ ବୋଲି ପରିବାରବର୍ଗ ଅଭିଯୋଗ କରିଛନ୍ତି । ନିକଟରେ ଏଥିପାଇଁ ଦୁଇ ପରିବାର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ରଞ୍ଜନ ହସ୍ତକ୍ଷେପ କରି ବିବାଦର ସମାଧାନ କରିଥିଲେ । କ୍ଷତିଗ୍ରସ୍ତ ପକ୍ଷ ରାଗ ଶୁଝାଇବାକୁ ଯାଇ ଆକ୍ରମଣ କରିଥାଇ ପାରନ୍ତି ବୋଲି ଆଲୋଚନା ହେଉଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।




Powered by odothemes.com