ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ, ଘୋଷଣାକୁ ଅପେକ୍ଷା

38

ଭୁବନେଶ୍ୱର, ୨୬ା୫(ବୁ୍ୟରୋ): ଖାଲି ହେଉଥିବା ରାଜ୍ୟସଭାର ତିନିଟି ଆସନ ପାଇଁ ବିଜେଡ଼ି ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଛି । ଆସନ୍ତାକାଲି କିମ୍ବା ଶନିବାର ଦଳ ପକ୍ଷରୁ ଏହା ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ତେବେ ପ୍ରାର୍ଥୀଙ୍କ ନାମ ଘୋଷଣାରେ ଯେତିକି ବିଳମ୍ବ ହେଉଛି ଆଶାୟୀମାନଙ୍କ ହୃତ୍କମ୍ପ ସେତିକି ବୃଦ୍ଧି ପାଇବାରେ ଲାଗିଛି ।  ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆନୁଗ୍ୟତକୁ ମାପକାଠି ଭାବେ ବିବେଚନା କରାଯାଇ ଏଥର ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରାଯାଇଛି । ବିଜେଡି ଏଥର କୌଣସି ଅଣରାଜନୈତିକ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ନପଠାଇବାକୁ ନିଷ୍ପତ୍ତି ନେଇଛି । ଏହାକୁ ମୁଖ୍ୟ ଆଧାର କରି ଦଳର କିଛି ନେତାଙ୍କ ସଂପର୍କରେ ବ୍ୟାପକ ବିଚାର ଆଲୋଚନା କରାଯାଇଛି । ଉପକୂଳ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରୁ ଜଣେ ଲେଖାଁଏ ନେତାଙ୍କୁ ରାଜ୍ୟସଭାକୁ ପଠାଯିବ । ଏହାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳର କିଛି ଟାଣୁଆ ନେତାଙ୍କ ନାମକୁ ‘ସର୍ଟଲିଷ୍ଟ୍’ କରାଯାଇଥିଲା । ଏହି ନେତାମାନଙ୍କର ଅତୀତ, ବର୍ତ୍ତମାନର କାର୍ଯ୍ୟଶୈଳୀକୁ ତର୍ଜମା କରାଯିବା ସହ ଭବିଷ୍ୟତରେ ଦଳ ଏମାନେ କିଭଳି ସହାୟକ ହୋଇ ପାରିବେ ତାହା ମଧ୍ୟ ଆଲୋଚନା ହୋଇଛି । ଉଭୟ ବିଜେପି ଓ କଂଗ୍ରେସରୁ ସମାନ ଦୂରତ୍ୱ ବାଜୟ ରଖିବା ହେଉଛି ବିଜେଡ଼ିର ଆଭିମୁଖ୍ୟ । ଏହି ଆଭିମୁଖ୍ୟକୁ ବ୍ରତ ଭାବେ ଗ୍ରହଣ କରି କାର୍ଯ୍ୟ କରିବାର ସଙ୍କଳ୍ପ ନେଇଥିବା ନେତାଙ୍କୁ ପ୍ରାର୍ଥୀ କରିବାକୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଛନ୍ତି । ତାହାକୁ ମଧ୍ୟ ଅନ୍ୟ ଏକ ମାନଦଣ୍ଡ ଭାବେ ବିବେଚନା କରାଯାଇଛି । ଏହାଛଡ଼ା ପ୍ରାର୍ଥୀ କରାଯାଇଥିବା ନେତା ଯେଭଳି ତାଙ୍କ ନିଜ ଜିଲ୍ଲାର ବିଜେଡ଼ି ନେତୃବର୍ଗଙ୍କ ଦ୍ୱାରା ଗ୍ରହଣୀୟ ହେଉଥିବେ ତାହା ମଧ୍ୟ ବିଚାର କରାଯାଇଛି । ପ୍ରାର୍ଥୀଙ୍କୁ ନେଇ ଯେଭଳି ଦଳ ମଧ୍ୟରେ ଅସନ୍ତୋଷ ଦେଖା ନଯିବ ସେ ସଂପର୍କରେ ମଧ୍ୟ ବିଭିନ୍ନ ମହଲରୁ ରିପୋର୍ଟ ସଂଗ୍ରହ କରାଯାଇଛି । ଯେହେତୁ ଆସନ୍ତା ୩୧ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ, ତେଣୁ ଶନିବାର ସୁଦ୍ଧା ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ନିଶ୍ଚିତ । ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହାକୁ ପ୍ରାର୍ଥୀ କରିବେ ତାହା ପ୍ରାୟତଃ ଚୂଡାନ୍ତ ହୋଇସାରିଥିବାରୁ ଦଳର ଆଶାୟୀ ନେତାମାନେ ଲବି କରିବା ଦୌଡରୁ ଏବେ ନୀରବ ହୋଇଯାଇଥିବା ଲକ୍ଷ୍ୟ କରାଯାଉଛି । ଏହାସତ୍ତ୍ୱେ ବି କିଛି ନେତା ନବୀନ ନିବାସ ଯାଇ ନିଜ ସପକ୍ଷରେ ଲବି କରିଥିବାର ଜଣାପଡିଛି ।
ସୂଚନାଯୋଗ୍ୟ, ରାଜ୍ୟସଭା ସାଂସଦଭାବେ ପ୍ୟାରୀମୋହନ ମହାପାତ୍ର, ଭୂପିନ୍ଦର ସିଂ ଓ ବୈଷ୍ଣବ ପରିଡ଼ାଙ୍କ କାର୍ଯ୍ୟକାଳ ଜୁଲାଇରୁ ଶେଷ ହେଉଛି । ଏହି ତିନିନେତାଙ୍କୁ ପୁର୍ନବାର ପ୍ରାର୍ଥୀ କରାଯିବାର ସମ୍ଭାବନା କ୍ଷୀଣ । ଏମାନଙ୍କ ସ୍ଥାନରେ ତିନିଜଣ ନୂଆମୁହଁ ପଠାଇବାକୁ ସ୍ଥିର ହୋଇଛି ।




Powered by odothemes.com