bhanjakala-mandap-shree-jayadev-rastriya-samaroha-re-sarba-bharatiya-yuba-sastriya-nrutya-prativa-chayan-samaroha-(3)

ଆରମ୍ଭ ହେଲା ଶ୍ରୀଜୟଦେବ ରାଷ୍ଟ୍ରୀୟ ସମାରୋହ

48

ଭୁବନେଶ୍ୱର,୨୬ା୫(ବୁ୍ୟରୋ): ନ୍ୟାସନାଲ୍ କଲ୍ଚରାଲ୍ ମିଶନ୍ ଓ ଦେବଦାସୀ ନୃତ୍ୟ ମନ୍ଦିର ପକ୍ଷରୁ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଶ୍ରୀଜୟଦେବ ରାଷ୍ଟ୍ରୀୟ ସମାରୋହ ଓ ୧୦ମ ନବୀନ କଳାକାର ଉଦ୍ଘାଟିତ ହୋଇଯାଇଛି । ୫ ଦିନ ଧରି ଚାଲିବାକୁ ଥିବା ଏହି ସମାରୋହରେ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନବୀନ କଳାକାର ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବଭାରତୀୟସ୍ତରର ଯୁବ ଶାସ୍ତ୍ରୀୟ ନୃତ୍ୟ ପ୍ରତିଭାମାନେ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମ୍କୁମ୍ ମହାନ୍ତି, କୁଚିପୁଡ଼ି ନୃତ୍ୟଶିଳ୍ପୀ ପି. ରମାଦେବୀ, ଓଡ଼ିଶୀ ସଙ୍ଗୀତ ଗୁରୁ ରାମହରି ଦାସ, ଓଡ଼ିଶୀ ଓ ହିନ୍ଦୁସ୍ଥାନୀ ସଙ୍ଗୀତ ଗୁରୁ ଭାଗିରଥୀ ନାୟକଙ୍କୁ ‘ଗୀତଗୋବିନ୍ଦ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଏଥିସହିତ ଭାରତନାଟ୍ୟମ୍ ଶିଳ୍ପୀ ରେବତୀ ଶ୍ରୀନିବାସ, ଓଡ଼ିଶୀ ନୃତ୍ୟଶିଳ୍ପୀ ପୌଷାଳୀ ମୁଖାର୍ଜୀଙ୍କୁ ‘ଅଷ୍ଟପଦୀ ସମ୍ମାନ’ ଏବଂ ଓଡ଼ିଶୀ ସଙ୍ଗୀତ ଗୁରୁ ବିଜୟ କୁମାର ଜେନାଙ୍କୁ ‘ଶ୍ରୀ ଜୟଦେବ ରାଷ୍ଟ୍ରୀୟ ପୁରସ୍କାର’ ପ୍ରଦାନ କରାଯାଇଥିଲା । ସନ୍ଧ୍ୟାରେ ଅତିଥିଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଶଶୀଭୂଷଣ ବେହେରା, ରାଜସ୍ୱ ପରିଷଦ ସଦସ୍ୟ ଅଶୋକ କୁମାର ତ୍ରିପାଠୀ, ନାଲ୍କୋର ପୂର୍ବତନ ସିଏମ୍ଡ଼ି ଡ. ଏସ୍.କେ. ତାମୋଟିଆ ପ୍ରମୁଖ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ଜୟଦେବଙ୍କ ଗୀତଗୋବିନ୍ଦର ବିଭିନ୍ନ ଅଷ୍ଟପଦୀକୁ ନୃତ୍ୟ ମାଧ୍ୟମରେ ଶିଳ୍ପୀମାନେ ପରିବେଷଣ କରି ଦର୍ଶକଙ୍କୁ ମୁଗ୍ଧ କରିଥିଲେ । ପ୍ରଥମେ ରୂପଶ୍ରୀ ମହାପାତ୍ର ଏବଂ ଝିଅ ଦେବରୂପା ଦାସଗୁପ୍ତା ମାହାରୀ ନୃତ୍ୟ ଭେଟିି ଦେଇଥିଲେ । ପରେ ପରେ ପୌଷାଳୀ ମୁଖାର୍ଜୀଙ୍କ ଦଳ ପକ୍ଷରୁ ଓଡ଼ିଶୀ ପରିବେଷଣ କରାଯାଇଥିଲା । ସେହିପରି ପି. ରମାଦେବୀ କୁଚିପୁଡ଼ି, କବିତା ମହାନ୍ତି ଓଡ଼ିଶୀ, ସୌମ୍ୟା ବୋଷ, ବିପାଞ୍ଚି ଦାସ, ସଚ୍ଚିକାନ୍ତ ପ୍ରଧାନ ପ୍ରମୁଖ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଏ.ପି. ନୈବେଦ୍ୟ କୁଚିପୁଡ଼ି, ଖିଲେଶ୍ୱରୀ ପଟେଲ ଓ ତମନ୍ନା ନାୟର ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରିଥିଲେ । ସନ୍ଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ନିଦେ୍ର୍ଦଶକ ଜଗବନ୍ଧୁ ଜେନା, ଆୟୋଜକ କମିଟି ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ରିସେପ୍ସନ୍ କମିଟି ଅଧ୍ୟକ୍ଷ ନାଗାର୍ଜୁନ ସେଠୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଡ. ମୃତୁ୍ୟଞ୍ଜୟ ରଥ ।




Powered by odothemes.com