medical-re-cuttack-re-kala-bayisakhi-re-(2)

କାଳବୈଶାଖୀର ତାଣ୍ଡବ: ଉଡ଼ିଲା ଛପର, ଭାଙ୍ଗିଲା ଗଛ

39

କଟକ,୨୫ା୫(ବୁ୍ୟରୋ): ଦିନରେ ଥିଲା ଅସମ୍ଭବ ଗରମ, ଘରୁ ବାହାରିବା ଥିଲା ମୁସ୍କିଲ । ତଥାପି ମଝିରେ ମଝିରେ ଲାଇନ ଯାଉଥିଲା ଓ ଆସୁଥିଲା । ଘର ମଧ୍ୟରେ ଲୋକମାନେ ଫ୍ୟାନ ବ୍ୟବହାର କରିଥିଲେ ବି ଗରମରୁ ମୁକ୍ତି ପାଇନଥିଲେ । ଦେହରୁ ବୋହୁଥିଲା ଗମଗମ ଝାଳ । ଆଉ ଅପରାହ୍ଣରେ ମାଡିଆସିଲା ଝଡ଼ବର୍ଷା । ପ୍ରାୟ ଅଧଘଣ୍ଟା କାଳ ଛେଚିଥିଲା । କିଛି ସମୟ ବର୍ଷା ବିରତି ନେବା ପରେ ସଂଧ୍ୟାରେ ପୁଣି ଝିପିଝିପି ବର୍ଷା ହୋଇଥିଲା । ସହର ମାଟିକୁ ଭିଜାଇ ଦେଇଥିଲା । ଲୋକମାନେ ତାତିରୁ ଆଶ୍ୱସ୍ତ ହୋଇଥିଲେ । ହେଲେ ଏହି ଝଡବର୍ଷା ଯୋଗୁଁ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜୋର୍‌ରେ ବର୍ଷା ଓ ପବନ ଯୋଗୁଁ ଅନେକ ସ୍ଥାନରେ ବଡ଼ ବଡ଼ ବିଜ୍ଞାପନ ହୋର୍ଡିଂ ସହିତ ବସ୍ତି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଘରର ଚାଳ ଛପର ଉଡ଼ିଯାଇଛି । ଏହାଛଡା ବହୁ ସ୍ଥାନରେ ବଡ଼ ବଡ଼ ଗଛ ସହିତ ଡାଳ ଭାଙ୍ଗି ବିଦୁ୍ୟତ୍‌ ତାର ଉପରେ ପଡି ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଗୋଟିଏ ସ୍ଥାନରେ ସହରକୁ ବିଦୁ୍ୟତ୍‌ ଯୋଗାଣ ହେଉଥିବା ୩୩/୧୧ କେଭି ଉପରେ ଏକ ଗଛ ଭାଙ୍ଗିପଡ଼ିବା ସହିତ ଅନେକ ସ୍ଥାନରେ ଡାଳ ପଡି ତାର ଛିଣ୍ଡିଯିବାରୁ ସହରରେ ବିଦୁ୍ୟତ୍‌ ସେବା ବନ୍ଦ ରହିଛି । ଠିକ ଅପରାହ୍ଣ ୩.୩୦ ସମୟରେ ଉତ୍ତର-ପଶ୍ଚିମ ଆକାଶରେ ହଠାତ୍‌ କଳାହାଣ୍ଡିଆ ହୋଇ ମେଘ ମାଡିଆସିବା ସହିତ ଧୂଳିଝଡ଼ ଆରମ୍ଭ ହୋଇଯାଇଥିଲା । ଏହାର ମାତ୍ର କିଛି ସମୟ ପରେ ଜୋର୍‌ରେ ମେଘ ସହିତ ପବନ ଅବ୍ୟାହତ ରହିଥିଲା । ଏଭଳି ଅବସ୍ଥା ପ୍ରାୟ ୩୦ମିନିଟ୍‌ ଧରି ଲାଗିରହିବା ଯୋଗୁଁ ସହରରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା । ଏପଟେ ସହରର ବହୁ ସ୍ଥାନରେ ଡ୍ରେନରୁ ବାହାରି କୁଡ଼ କୁଡ଼ ଭାବେ ଗଦା ହୋଇଥିବା ପଙ୍କ ରାସ୍ତାରେ ଖେଳାଇ ହୋଇଯିବା ସହିତ ଧୋଇ ହୋଇଯାଇ ପୁନର୍ବାର ଡ୍ରେନ ମଧ୍ୟକୁ ପଶିଯାଇଛି । ଜାଇକା କାର୍ଯ୍ୟ ଯୋଗୁୁଁ ଅନେକ ଡ୍ରେନ୍‌ ମାଟି ପଶି ଜାମ୍‌ ହୋଇଥିବାରୁ ବର୍ଷା ଜଳ ନିଷ୍କାସନରେ ମଧ୍ୟ ଘୋର ସମସ୍ୟା ଦେଖାଦେଇଥିଲା । ବର୍ଷା ଓ ପବନ ଯୋଗୁଁ ସହରର ମୁଖ୍ୟତଃ ମର୍କତନଗର, ବାଦାମବାଡି, ମହାନଦୀବିହାର, ତୁଳସୀପୁର ପୁଲିସ କଲୋନୀ, ରାଉସାପାଟଣା, ଖପୁରିଆ ଶିଳ୍ପାଞ୍ଚଳ, ଆନନ୍ଦ ବିହାର, କ୍ୟାପିଟାଲ ସିନେମା ପାଖ, ପଟ୍ଟାପୋଲ, ସୂତାହାଟ, ପେଟିନ ସାହି, ଭଗତପୁର, ସେମିନାରୀ ସ୍କୁଲ ନିକଟ, ମଙ୍ଗଳାବାଗ, ମହମ୍ମଦିଆ ବଜାର, ଷ୍ଟୁଆର୍ଟ ପାଟଣା, ଚାନ୍ଦିନୀଚୌକ ନିକଟ, ପ୍ରଭାତ ସିନେମା ସମ୍ମୁଖ ଆଦି ତଳିଆ ଅଞ୍ଚଳର ବସ୍ତିବାସିନ୍ଦାଙ୍କ ଅବସ୍ଥା ବାର୍‌ ବାଜିଥିଲା । ପବନରେ ଅନେକ ଲୋକଙ୍କର ଘର ଉପରୁ ଚାଳ ଉଡିଯାଇଥିବା ବେଳେ ବର୍ଷା ଯୋଗୁଁ କେତେକଙ୍କ ଘରେ ନର୍ଦ୍ଦମା ମିଶ୍ରିତ ପାଣି ଭିତରକୁ ପଶିଯାଇଥିଲା । ହଠାତ୍‌ ଏଭଳି ଅବସ୍ଥାକୁ ନେଇ ବସ୍ତିବାସିନ୍ଦା ଏକପ୍ରକାର ଭୟଭୀତ ହୋଇପଡ଼ି କେବଳ ଭଗବାନଙ୍କୁ ଡାକୁଥିଲେ । ବାଦାମବାଡି ବସ୍‌ଷ୍ଟାଣ୍ଡ ମଧ୍ୟ ବର୍ଷା ପବନରେ ଅତି କଦର୍ଯ୍ୟ ହୋଇପଡିଥିଲା । ମୁଖ୍ୟ ବସ୍‌ଷ୍ଟାଣ୍ଡ ସମେତ ଅନୁଗୋଳ, ପୁରୀ ଓ ପାରାଦୀପ ବସ୍‌ଷ୍ଟାଣ୍ଡର ଅବସ୍ଥା ଶୋଚନୀୟ ହୋଇପଡିଛି । ମାତାମଠ ମଠ ନିକଟରେ ସହରକୁ ମଧ୍ୟକୁ ଆସିଥିବା ଏକ ୩୩/୧୧କେଭି ଉପରେ ଗଛ ପଡିବାରୁ ତାର ଛଡ଼ିଯାଇଛି । ଫଳରେ ଏହାଦ୍ୱାରା ସହରର ୭୦ଭାଗରୁ ଊଦ୍ଧ୍ୱର୍ ଅଞ୍ଚଳ ଏହାଦ୍ୱାରା ପ୍ରଭାବିତ ହୋଇଛି । ଏହାଛଡ଼ା ଶିଶୁଭବନ, ବାଦାମବାଡ଼ି, ମର୍କତନଗର, ମହାନଦୀ ବିହାର, ବିଡ଼ାନାସୀ ଏବଂ ଉଭୟ ମହାନଦୀ ଓ କାଠଯୋଡି ନଦୀ ରିଂ ବନ୍ଧର ଅନେକ ସ୍ଥାନରେ ଗଛ ଓ ଡାଳ ଭାଙ୍ଗିପଡ଼ି ବିଦୁ୍ୟତ୍‌ ତାର ଉପରେ ପଡ଼ିଛି । ବିଭାଗୀୟ କର୍ମଚାରୀମାନଙ୍କ ସହାୟତାରେ ଭାଙ୍ଗିଯାଇ ଗଛ ଓ ଡାଳକୁ କଟାଯାଇ ବିଦୁ୍ୟତ୍‌ ଚାର୍ଜ କରାଯାଇଛି । ମାତ୍ର ଆହୁରି କେତେକ ସ୍ଥାନରେ ଡାଳ ଓ ଗଛ ଭାଙ୍ଗି ତାର ଉପରେ ପଡିଥିବାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ବିଦୁ୍ୟତ୍‌ ଯୋଗାଣ ସମ୍ଭବପର ହୋଇନଥିଲା ।




Powered by odothemes.com