ଜିଦ୍ ଆଗରେ ଜନତାଙ୍କ ସ୍ୱାର୍ଥ ତୁଚ୍ଛ

30

୮ କୋଟି ପାଇଁ ଗଲାଣି ଅଢ଼େଇ କୋଟି
ଭୁବନେଶ୍ୱର, ୮ା୫(ବୁ୍ୟରୋ): ନିଜ ନିଜ ଜିଦ୍ରେ ଅଟଳ ରହିବା ଯୋଗୁଁ ବର୍ବାଦ୍ ହେଲାଣି ଅଢେଇ କୋଟି ଟଙ୍କା । ୫ ଦିନ ହେଲାଣି ବିଧାନସଭା ଚାଲିପାରୁନାହିଁ । ଦିନକୁ ୫୦ ଲକ୍ଷ ହିସାବରେ ପ୍ରାୟ ଅଢେଇ କୋଟି ଟଙ୍କା ରାଜ୍ୟ ତହବିଲ୍ରୁ ଖର୍ଚ୍ଚ ସରିଲାଣି । ହେଲେ ୮ କୋଟିର ଅଡୁଆ ଏପର୍ଯ୍ୟନ୍ତ ଛିଡିପାରୁନାହିଁ । ଯଦି ଏହିଭଳି ଅବସ୍ଥା ଲାଗିରୁହେ, ତାହେଲେ ୮ କୋଟି ପାଇଁ ୧୦ କୋଟି ଟଙ୍କା ରାଜ୍ୟ ତହବିଲ୍ରୁ ବରବାଦ୍ ହେବା ପ୍ରାୟ ନିଶ୍ଚିତ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି । ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ବିରୋଧୀ ଦଳ ନେତାଏ ଲୋକଙ୍କ ସମସ୍ୟାକୁ ଭୁଲି ଚିଟ୍ଫଣ୍ଡ କମିଶନ ଅଧ୍ୟକ୍ଷ ଏମ୍ଏମ୍ ଦାସ ବିଜେଡି ଆଇନଜୀବୀ ସାମ୍ମୁଖ୍ୟରେ ଦେଇଥିବା ମନ୍ତବ୍ୟକୁ ଗଣ୍ଠିକରି ତାଙ୍କ ଇସ୍ତଫା ପାଇଁ ଅଡିବସିଛନ୍ତି । ଜଷ୍ଟିସ୍ ଦାସ ତାଙ୍କ ମତକୁ ନିଜ ବ୍ୟକ୍ତିଗତ ମତ କହି ସ୍ପଷ୍ଟୀକରଣ ଦେଇଥିଲେ ବି ତାହାକୁ ବିରୋଧୀ ଗ୍ରହଣ କରିବାକୁ ନାରାଜ୍ । ତଦନ୍ତ କମିଶନଙ୍କ ରିପୋର୍ଟ ନଆସୁଣୁ ତାହା ସରକାରଙ୍କୁ ସୁହାଇବ ବୋଲି ବିରୋଧୀ ଆଗୁଆ ଭବିଷ୍ୟବାଣୀ କରି ହଙ୍ଗାମା କରୁଛନ୍ତି । ଏଭଳି ହଙ୍ଗାମା ପଛରେ ସେଭଳି କିଛି ଠୋସ୍ ଯୁକ୍ତି ନଥିଲେ ବି ନିଜର ଜିଦ୍ ଯେଭଳି ପୂରଣ ହୁଏ, ସେଥିପାଇଁ ବିଧାନସଭାର ଗରିମାକୁ କ୍ଷୁଣ୍ଣ କରିବାକୁ ଦ୍ୱିଧା ପ୍ରକାଶ କରୁନାହାନ୍ତି । ଅଧ୍ୟକ୍ଷଙ୍କ ବହିଷ୍କାର ପ୍ରସଙ୍ଗକୁ ଗଣ୍ଠି କରିଥିବା ବିରୋଧୀ ସେଥିରୁ ଏକ ଖିଅ ବାହାର କଲେ । ବିଜେଡିର ଏସ୍ବିଆଇ ଆକାଉଣ୍ଟରେ ଜମା ହୋଇଥିବା ୮ କୋଟି ଟଙ୍କା ଚିଟ୍ଫଣ୍ଡ କମ୍ପାନୀରୁ ଆସିଛି ବୋଲି ପ୍ରଶ୍ନ ଆଳରେ ଅଭିଯୋଗ ଆଣିଲେ । ଶ୍ରୀକୃଷ୍ଣ ପାଢୀ ନାମକ ବ୍ୟକ୍ତି କିଏ, ସେ ସମ୍ପର୍କରେ ସଠିକ୍ ଖୋଳତାଡ ନକରି ତାଙ୍କୁ ଚିଟ୍ଫଣ୍ଡ ଅଭିଯୁକ୍ତ ସହ ଯୋଡିଲେ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଦାବି କଲେ । ଆଇନ ମନ୍ତ୍ରୀ ଏହାର ଜବାବ ରଖିଲେ । ସେଥିରେ ସେମାନେ ଏବେ ସନ୍ତୁଷ୍ଟ ନହୋଇ ବିଧାନସଭାକୁ ଅଚଳ କରିବାରେ ଲାଗିଛନ୍ତି । ଦୁଇଦିନ ଧରି ସର୍ବଦଳୀୟ ମାରାଥନ ବୈଠକ ବସିଲେ ବି କିଛି ନିର୍ଯ୍ୟାଶ ବାହାରିନାହିଁ । ରାଜ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି । ପାନୀୟ ଜଳ ସଙ୍କଟରେ ସହରାଞ୍ଚଳଠାରୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକେ ଅତିଷ୍ଠ ହେଲେଣି । ସେ ପ୍ରସଙ୍ଗକୁ ବିରୋଧୀ ଅଣଦେଖା କରିଛନ୍ତି । ରାଜ୍ୟରେ ୭୦ ଭାଗ ଲୋକ କୃଷି ଉପରେ ନିର୍ଭର କରୁଥିବାବେଳେ କୃଷି ବିଭାଗ ଖର୍ଚ୍ଚ ଦାବି ଆଲୋଚନା ହୋଇପାରିଲାନାହିଁ; ଯାହା ଗିଲୋଟିନ୍ରେ ପାରିତ ହେବ । ସେଭଳି ଗ୍ରାମାଞ୍ଚଳ ଲୋକଙ୍କ ସମସ୍ୟା ସହ ଜଡିତ ପଞ୍ଚାୟତିରାଜ ବିଭାଗ ଖର୍ଚ୍ଚ ଦାବି ମଧ୍ୟ ଆଲୋଚନା ହୋଇପାରିଲାନାହିଁ । ଗୃହ ନିର୍ମାଣରେ ବ୍ୟାପକ ଦୁର୍ନୀତି ହେଉଥିବା ବିରୋଧୀ ସବୁବେଳେ ଅଭିଯୋଗ କରନ୍ତି । ହେଲେ ପଞ୍ଚାୟତିରାଜ ବିଭାଗ ଖର୍ଚ୍ଚଦାବିକୁ ଆଲୋଚନା କରାଇଦେଲେନି । ଯୋଜନା ସଂଯୋଜନା ବିଭାଗ ଖର୍ଚ୍ଚଦାବି ପାଇଁ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହେଲା । ରାଜ୍ୟର ଦଳିତ ଓ ଆଦିବାସୀମାନଙ୍କ ଦାବି ପୂରଣ ପାଇଁ ଏଇ କିଛିଦିନ ତଳେ ଏହି ବର୍ଗର ବିଧାୟକମାନେ ଆମରଣ ଅନଶନରେ ବସିଥିଲେ । ହେଲେ ସେ ବିଭାଗ ଖର୍ଚ୍ଚ ଦାବିର ଆଲୋଚନାରେ ସହଯୋଗ କଲେନାହିଁ । ୮ କୋଟି ଲାଗି ଏବେ ବଳିପଡୁଛି ରାଜ୍ୟବାସୀଙ୍କ ସ୍ୱାର୍ଥ ବୋଲି ଆଲୋଚନା ହେଉଛି । ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରୁଥିବା ବିରୋଧୀଙ୍କୁ ଜନତା ତରାଜୁରେ ତଉଲିବେ ବୋଲି ମଧ୍ୟ ଆଲୋଚନା ପର୍ଯ୍ୟାଲୋଚନା ହେଉଛି ।

ସେଆର କରନ୍ତୁ:



Powered by odothemes.com