ମାନବ ସମାଜର ଦୁଃଖ ଲାଘବ ରେଡ଼କ୍ରସ୍ର ମୁଖ୍ୟ ଉଦେ୍ଦଶ୍ୟ

jayadev-bhawan-re-BISWA-REDCROSS-DIBASA-ku-rajyapal-udghatn-karuchanti-(6)

ଭୁବନେଶ୍ୱର, ୮ା୫(ବୁ୍ୟରୋ): ମାନବ ସମାଜର ଦୁଃଖ ଓ ଯନ୍ତ୍ରଣା ଲାଘବ ହେଉଛି ରେଡ୍କ୍ରସ୍ ପ୍ରତିଷ୍ଠାର ମୁଖ୍ୟ ଉଦେ୍ଦଶ୍ୟ । ଏହାର ପ୍ରତିଷ୍ଠାତା ତଥା ପ୍ରଥମ ନୋବେଲ୍ ଶାନ୍ତି ପୁରସ୍କାର ସମ୍ମାନିତ ସାର୍ ହେନରୀ ଡ଼ୁନାଣ୍ଟଙ୍କର ସ୍ୱପ୍ନ ଓ ପ୍ରୟାସ । ବିଶ୍ୱର କୋଣ ଅନୁକୋଣରେ ନିଜର ସେବା ପହଞ୍ଚାଇ ସମସ୍ତଙ୍କ ଦୁଃଖ ଲାଘବ କରୁ । ରେଡ୍କ୍ରସ୍ ବିଶ୍ୱର ୧୯୦ଟି ଦେଶରେ ନିଜର କାର୍ଯ୍ୟକ୍ରମ ଜାରି ରଖି ଅନେକ ଉତ୍ସର୍ଗୀକୃତ ସ୍ୱେଚ୍ଛାସେବୀ ସୃଷ୍ଟି କରିପାରିଛି ଓ ନିଃସ୍ୱାର୍ଥପର ଏବଂ କୌଣସି ଭେଦଭାବ ନ ରଖି ସେବା ପ୍ରଦାନ କରିଆସିଛି ଏବଂ ସମସ୍ତଙ୍କର ବିଶ୍ୱଭାଜନ ହେବା ଏହି ଆନ୍ତର୍ଜାତୀକ ମାନବୀୟ ସେବା ପ୍ରଦାନକାରୀ ସଂଗଠନର ସବୁଠୁ ବଡ଼ ପରିଚୟ ବୋଲି ରାଜ୍ୟପାଳ ତଥା ଓଡ଼ିଶା ରାଜ୍ୟ ରେଡ୍କ୍ରସ୍ର ସଭାପତି ଡ. ଏସ୍.ସି. ଜମିର୍ କହିଛନ୍ତି । ସ୍ଥାନୀୟ ଜୟଦେବ ଭବନରେ ଓଡ଼ିଶା ରାଜ୍ୟ ରେଡ୍କ୍ରସ୍ ପକ୍ଷରୁ ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି । ସେ କହିଲେ, ରାଜ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ମାଧ୍ୟମରେ ରେଡ୍କ୍ରସ୍ ଅଧିକ ସ୍ୱେଚ୍ଛାସେବକ ବିଦ୍ୟାଳୟ, ମହାବିଦ୍ୟାଳୟସ୍ତରରେ ସୃଷ୍ଟି ପାଇଁ ଚେଷ୍ଟା କରୁଛି । ସ୍ୱେଚ୍ଛାସେବକମାନଙ୍କର ନବକଳେବର ରଥଯାତ୍ରା ତଥା ଅନ୍ୟାନ୍ୟ ସମୟରେ ପ୍ରଦାନ କରିଥିବା ଉଚ୍ଚକୋଟୀର ସେବା ଅତ୍ୟନ୍ତ ପ୍ରଶଂସନୀୟ । ଏହାସହ ଚଳିତବର୍ଷର ବିଶ୍ୱ ରେଡ୍କ୍ରସ୍ ଦିବସର ଅନୁଚିନ୍ତା ‘ସବୁଠି ସମସ୍ତଙ୍କ ପାଇଁ’ ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ । ଉତ୍ସବରେ ଯୋଗଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସୂଚନା ଓ ଲେକସମ୍ପର୍କ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଲେ, ରେଡ୍କ୍ରସ୍ ଉପରେ ଥିବା ଜନସାଧାରଣଙ୍କର ଆସ୍ଥା ଓ ବିଶ୍ୱାସକୁ ବଞ୍ଚେଇ ରଖିବା ପାଇଁ ସମସ୍ତେ ସଂକଳ୍ପ ନେବା ଆବଶ୍ୟକ । ସାମାଜିକ ବ୍ୟବସ୍ଥାରେ ବର୍ତ୍ତମାନ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହାକୁ ପୂରଣ କରିବା ପାଇଁ ଅଧିକ ସଂଖ୍ୟାରେ ସ୍ୱେଚ୍ଛାସେବକମାନଙ୍କର ଆବଶ୍ୟକତା ରହିଛି ବୋଲି କହିଥିଲେ । ରାଜ୍ୟରେ ରେଡ୍କ୍ରସ୍ ପରିଚାଳିତ ରକ୍ତ ଭଣ୍ଡାରମାନଙ୍କର କାର୍ଯ୍ୟକୁ କ୍ରିୟାଶୀଳ କରିବା ପାଇଁ ଓ ଇ-ବ୍ଲଡ ବ୍ୟାଙ୍କିଙ୍ଗ୍ ଭାବରେ ସଂଯୋଗ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି ବୋଲି ସେ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଯୋଗଦେଇ ଓଡିଶାରେ ବର୍ତ୍ତମାନ ୨୦ ଲକ୍ଷ ସ୍ୱେଚ୍ଛାସେବକ ଅଛନ୍ତି ଏବଂ ସବୁ ସ୍କୁଲ ଓ କଲେଜକୁ ରେଡକ୍ରସ କାର୍ଯ୍ୟକ୍ରମ ସମ୍ପ୍ରସାରଣ କରି ୮୦ ଲକ୍ଷ ସ୍ୱେଚ୍ଛାସେବକ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଥିଲେ । ଓଡିଶା ରାଜ୍ୟ ରେଡକ୍ରସର ଉପସଭାପତି ପ୍ରଫେସର ଡ. ଆଶା ହଂସ ରେଡକ୍ରସ ଜଳବାୟୁ ପରିବର୍ତ୍ତନ ଉପରେ ଅଧିକ ଧ୍ୟାନ ଦେଇ ଏହାକୁ ପ୍ରତିହତ କରିବା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଜୋର୍ ଦେଇଥିଲେ । ଶାଖାର ଅବତୈନିକ ସଚିବ ଡ. ଚକ୍ରଧର ପଣ୍ଡା ସ୍ୱାଗତ ଭାଷଣ ଦେଇଥିବାବେଳେ ଯୁଗ୍ମ ସମ୍ପାଦକ ଗୋବିନ୍ଦଚନ୍ଦ୍ର ମହାନ୍ତି ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଭିନ୍ନକ୍ଷମମାନଙ୍କୁ ସିଲେଇ ମେସିନ ଓ ଗ୍ରଇଣ୍ଡର ମେସିନ ଏବଂ ‘ସହାୟ’ର ଶ୍ରେଷ୍ଠ ସ୍ୱେଚ୍ଛାସେବିକା ଭାବେ ପଦ୍ମିନୀ ସାହୁଙ୍କୁ ଗଭର୍ଣ୍ଣସ କପ ପ୍ରଦାନ ସହିତ ଜୁନିୟର ଓ ୟୁଥ ରେଡକ୍ରସର ଶ୍ରେଷ୍ଠ କାଉନସେଲର ଏବଂ ସ୍ୱେଚ୍ଛାସେବକମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପ୍ରାରମ୍ଭରେ ରାଜ୍ୟପାଳ ରେଡକ୍ରସର ରାଜ୍ୟରେ ଗ୍ରହଣ କରିଥିବା କାର୍ଯ୍ୟକ୍ରମମାନଙ୍କର ଏକ ଚିତ୍ର ପ୍ରଦର୍ଶନୀକୁ ବୁଲି ଦେଖିିବା ସହିତ ଶେଷରେ ଚଳିତବର୍ଷର ଅନୁବ୍ନ୍ାକୁ ନେଇ ହୋଇଥିବା ସ୍ୱାକ୍ଷର ଅଭିଯାନରେ ସାମିଲ ହୋଇଥିଲେ ।