ସଫଳତା: ଏସ୍ସିବିରେ ୧ଠଠତମ କିଡ୍ନୀ ପ୍ରତିରୋପଣ

kidney

ବିଶ୍ୱରେ ପ୍ରତି ୧ଠଠଟି କିଡ୍ନୀ ପ୍ରତିରୋପଣରେ ୪୦ ଜଣଙ୍କ ମୃତୁ୍ୟ, ଭାରତରେ ୩୫, ଏସ୍ସିବିରେ ୧୪
କଟକ,୨୭ା୪(ବୁ୍ୟରୋ): ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍ସିବି) ମେଡିକାଲ କଲେଜରେ ବୁଧବାର ୧୦୦ତମ କିଡ଼ନୀ ପ୍ରତିରୋପଣ କରାଯାଇଛି । ଆଜି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅନ୍ତର୍ଗତ ବାଲୁଗାଁର ତରୁଣ କୁମାର ସ୍ୱାଇଁ(୪୧)ଙ୍କ କିଡ଼ନୀ ସଫଳ ଭାବେ ପ୍ରତିରୋପଣ କରାଯାଇ ଥିବା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୂତ୍ରାଶୟ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ତେବେ ତରୁଣଙ୍କ ପତ୍ନୀ ସୋଫିଆ (୩୫) କିଡ଼ନୀ ପ୍ରଦାନ କରିଥିଲେ । ୨୦୧୨ ମସିହାରେ ଏସ୍ସିବିରେ ପ୍ରଥମ ଥର ପାଇଁ କିଡ଼ନୀ ପ୍ରତିରୋପଣର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ତେବେ ଦୀର୍ଘ ୪ବର୍ଷ ପରେ ଆଜି ଏହାର ସଂଖ୍ୟା ଶହେକୁ ବୃଦ୍ଧି ହେଉଛି ବୋଲି ଡା. ହୋତା କହିଛନ୍ତି । ୨୦୧୨ ମାର୍ଚ୍ଚ ୧୯ରେ ପ୍ରଥମେ ଗଞ୍ଜାମ ଜିଲ୍ଲାର ଅରୁଣ ପ୍ରଧାନଙ୍କ କିଡ୍ନୀ ପ୍ରତିରୋପଣ କରାଯାଇଥିଲା । ସେତେବେଳେ ତାଙ୍କର ମା’ କାକା ପ୍ରଧାନ କିଡ଼ନୀ ପ୍ରଦାନ କରିଥିଲେ । ସେହିପରି ଉକ୍ତ ଦିନ ମୟୂରଭଞ୍ଜ ଜିଲ୍ଲାର ସୁଶାନ୍ତ ମହାକୁଡଙ୍କର ମଧ୍ୟ ପ୍ରତିରୋପଣ କରାଯାଇଥିଲା । ସୁଶାନ୍ତଙ୍କ ଭଉଣୀ ମଞ୍ଜୁ ମହାକୁଡ କିଡ଼ନୀ ପ୍ରଦାନ କରିଥିଲେ ବୋଲି ଡା. ଶ୍ରୀ ହୋତା କହିଛନ୍ତି । କିଡ଼ନୀ ବିଭାଗର ମୁଖ୍ୟ ପ୍ରଫେସର ଡା. ମୁକ୍ତ ମିଞ୍ଜ କହିଛନ୍ତି ଯେ, ଆଗାମୀ ଦିନରେ ରୋଗୀଙ୍କ କିଡ଼ନୀ ପ୍ରତିରୋପଣ ଅତି ଉତ୍ତମ ରୂପେ କରାଯାଇ ଏସସିବି ମେଡିକାଲରେ ଏକ ରେକର୍ଡ ସୃଷ୍ଟି କରିବାକୁ ଆମ ଟିମ ପ୍ରସ୍ତୁତ ହେଉଛି । ଆମ ଦେଶରେ କିଡ଼ନୀ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ । ଏହି ରୋଗ ହେଲେ କେବଳ ଡାଏଲେସିସ ଓ ପ୍ରତିରୋପଣ ଦ୍ୱାର ରୋଗୀଙ୍କ ଚିକିତ୍ସା କରାଯାଏ । ପ୍ରତି ପାଞ୍ଚ ମିନିଟରେ ଦୁଇଟି ରୋଗୀ କିଡିନୀ ରୋଗୀ ମୃତୁ୍ୟବରଣ କରନ୍ତି । ସେହିପରି ଭାରତରେ ପ୍ରତି ଏକ ବର୍ଷ ମଧ୍ୟରେ ଦୁଇ ଲକ୍ଷ ମୃତୁ୍ୟବରଣ କରିବା ସହ ପ୍ରତିଦିନ ୫୪୭ କିଡ଼ନୀ ରୋଗୀଙ୍କ ମୃତୁ୍ୟ ହୋଇଥାଏ । ଏହାର କାରଣ ଗରିବ ରୋଗୀଙ୍କ ପାଖରେ ପ୍ରତିରୋପଣ କରିବା ପାଇଁ ପଇସାର ଅଭାବ ହେତୁ ଏହି ରୋଗରେ ମୃତୁ୍ୟ ବରଣ କରିଥାନ୍ତି । ସରକାରଙ୍କ ପକ୍ଷରୁ ବ୍ୟାପକ ମାତ୍ରାରେ ସଚେତନତା କରାଗଲେ କିଡ଼ନୀ ରୋଗ କମିଯିବ । ସେହପରି ବିପିଏଲ୍ ପରିବାରଙ୍କ ପାଇଁ ଏସ୍ସିବରେ ରାଜ୍ୟସରକଙ୍କ ପକ୍ଷରୁ ଚିକିତ୍ସା ହେବାପାଇଁ ସହାୟତା ପ୍ରଦାନ କରାଯାଇଛି । ପ୍ରତିରୋପଣ ପାଇଁ ମାତ୍ର ଏକ ଲକ୍ଷରୁ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଯାହାକି ଗୋଟିଏ ଘରୋଇ ମେଡିକାଲ ଠାରୁ ୧୦ ଗୁଣା କମ୍ । ତେବେ ଓଡ଼ିଶା ସରକାର ଓଏଟିଏଫ ଫଣ୍ଡ ଦ୍ୱାରା ଗରିବଙ୍କ ପାଇଁ ବିନା ମୂଲ୍ୟରେ କୀଡନୀ ରୋଗୀଙ୍କ କୀଡନୀ ପ୍ରତିରୋପଣ କରାଯାଇଥାଏ । ସୂଚନାଯୋଗ୍ୟ ଯେ, ୧୦୦ ଜଣଙ୍କ କିଡ଼ନୀ ପ୍ରତିରୋପଣ କରାଯାଇଥିବା ବେଳେ ସେଥି ମଧ୍ୟରୁ ପୁରୁଷ ୯୩ ଜଣ ଓ ମହିଳା ୭ ଜଣ ରହିଛନ୍ତି । କିଡ଼ନୀ ପ୍ରଦାନ କ୍ଷେତ୍ରରେ ମହିଳା ମାନେ ୮୬ଟି ଓ ପୁରୁଷ ମାନେ ୧୪ଟି ପ୍ରଦାନ କରିଛନ୍ତି । ରୋଗୀଙ୍କୁ କିଡ଼ନୀ ପ୍ରଦାନ କରିଥିବା ସମ୍ପର୍କୀୟ ମାନଙ୍କ ମଧ୍ୟରେ ରୋଗୀଙ୍କ ମା’ଙ୍କ ସଂଖ୍ୟା ୪୩, ସ୍ତ୍ରୀଙ୍କ ସଂଖ୍ୟା ୨୪, ଭେଉଣୀଙ୍କ ସଂଖ୍ୟା ୧୦ ଖୁଡୀଙ୍କ ସଂଖ୍ୟା ୩, ବାପାଙ୍କ ସଂଖ୍ୟା ୯, ଭାଇଙ୍କ ସଂଖ୍ୟ ୨ ଓ ରୋଗୀଙ୍କ ଦୂର ସମ୍ପକୀୟଙ୍କ ମଧ୍ୟରେ ୩ଜଣ ପୁରୁଷ ଓ ୬ ଜଣ ମହିଳା ରହିଛନ୍ତି । ଆଗକୁ ରୋବୋଟିକ ସର୍ଜରୀ ମାଧ୍ୟମରେ କିଡ଼ନୀ ପ୍ରତିରୋପଣ କରାଯିବାର ବ୍ୟବସ୍ଥା କରାଯାଉଛି ବୋଲି ମେଡିକାଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ସୂଚନା ପ୍ରଦାନ କରାଯାଇଛି । ପ୍ରକାଶ ଥାଉ କି, ଗତ ୪ବର୍ଷରୁ ଆଜି ପର୍ଯା୍ୟନ୍ତ ୧୦୦ ଜଣ କିଡ଼ନୀ ପ୍ରଦାନକାରୀ ସୁସ୍ଥ ରହିଛନ୍ତି । ସେହିପରି ୧୦୦ ପ୍ରତିରୋପଣ କାରୀଙ୍କ ମଧ୍ୟରୁ ୧୪ ଜଣ ରୋଗୀଙ୍କ ମୃତୁ୍ୟ ହୋଇଥିବା ଏସ୍ସିବି କର୍ତ୍ତୃପକ୍ଷ କହିଛନ୍ତି । ତେବେ ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ସାରା ବିଶ୍ୱରେ ପ୍ରତି ୧୦୦ ଜଣ ପ୍ରତିରୋପଣ କାରୀଙ୍କ ମଧ୍ୟରେ ୪୦ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଭାରତରେ ଏହା ପ୍ରତି ୧୦୦ ଜଣ ମଧ୍ୟରେ ୩୫ ଜଣ ରହିଛନ୍ତି । ହେଲେ ସେହି ଅନୁପାତରେ ଏସ୍ସିବିରେ ୧୦୦ ଜଣ ମଧ୍ୟରେ ୧୪ ଜଣଙ୍କ ମୃତୁ୍ୟ ହୋଇଥିବା ନେଇ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ତେବେ ରୋଗୀଙ୍କ ପାଇଁ ସରକାର ଚିକିତ୍ସା ଏବଂ ୬ମାସ ପର୍ଯ୍ୟନ୍ତ ଔଷଧ ଯୋଗାଉଛନ୍ତି । ହେଲେ ୬ମାସ ପରେ ସେମାନେ ଔଷଧ କିଣିବା ପାଇଁ ସକ୍ଷମ ହେଉନାହାନ୍ତି । ଯେଉଁମାନେ ଆମକୁ ୬ ମାସ ପରେ ରିପୋର୍ଟ କରିଛନ୍ତି ସେମାନେ ଜୀବିତ ରହିଥିବା ଆମେ ରିପୋର୍ଟରେ ଦର୍ଶାଇଛୁ । ହେଲେ ଅନ୍ୟମାନଙ୍କ କଥା ଆମେ ଜାଣିନୁ ବୋଲି କର୍ତ୍ତୃପକ୍ଷ କହିଥିଲେ ।