Kendriya-trade-union-ahawanare-nirman-sramik-mananka-unit-3-srama-commissioner-nka-office-samu-kahre-bikhyab--(6)

ରାଜ୍ୟ ନିର୍ମାଣ ଶ୍ରମିକଙ୍କ ବିକ୍ଷୋଭ

36

ଭୁବନେଶ୍ୱର, ୨୬ ।୪ (ବୁ୍ୟରୋ): ସାରା ରାଜ୍ୟର ନିର୍ମାଣ ଶ୍ରମିକମାନେ ପୁଣି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଜି କେନ୍ଦ୍ରୀୟ ଟ୍ରେଡ୍ୟୁନିୟନ ମାନଙ୍କ ମିଳିତ ମଞ୍ଚ ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ଶ୍ରମ କମିଶନ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ବିକ୍ଷୋଭ ଶୋଭାଯାତ୍ରା ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ୍ରୁ ଆରମ୍ଭ କରି ଶ୍ରମ କମିଶନ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୨୨ଦଫା ଦାବିରେ ରାଜନୈତିକ ଉଦେ୍ଦଶ୍ୟରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପାଣ୍ଠିରୁ ବ୍ୟବହାର କରାନଯାଉ, ମାସିକ ୧୮ହଜାର ଟଙ୍କା ଧାର୍ଯ୍ୟ କରାଯାଉ, ମାସିକ ପେନ୍ସନ୍ ୩ହଜାର ଟଙ୍କା ଓ ମହିଳାମାନଙ୍କର ବୟସ ସୀମା ୫୫ବର୍ଷକୁ ବୃଦ୍ଧି କରାଯାଉ । ପ୍ରୋଭିଡେଣ୍ଟ୍ଫଣ୍ଡ୍ ଓ ଗ୍ରାଚୁ୍ୟଇଟି ବ୍ୟବସ୍ଥା କରାଯାଉ, ଦୁର୍ଘଟଣା ଜନିତ ମୃତୁ୍ୟ ପାଇଁ ୩ଲକ୍ଷ ଓ ଦୁର୍ଘଟଣା ଜନିତ ଅସହାୟତା ପାଇଁ ୨ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଉ, ଚିକିତ୍ସା ସହାୟତା ପାଇଁ ସମସ୍ତ ହିତାଧିକାରୀଙ୍କୁ ୧ଲକ୍ଷ ଟଙ୍କା ସହିତ କିଡ୍‌ନୀ, ହାର୍ଟ ଓ କ୍ୟାନ୍ସର ଭଳି ଦୂରାରୋଗର ସମସ୍ତ ଖର୍ଚ୍ଚ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ବହନ କରୁ । ନିର୍ମାଣ ଶ୍ରମିକଙ୍କ ସନ୍ତାନ ସନ୍ତତିଙ୍କ ଶିକ୍ଷା ବୃତ୍ତି ପାଇଁ ଛାତ୍ରବୃତ୍ତି ସହାୟତା ବୃଦ୍ଧି, ଅନ୍ତେଷ୍ଟିକ୍ରିୟା ପାଇଁ ୧୦ହଜାର ଟଙ୍କା ସହାୟତା, ରାଜ୍ୟ ତଥା ଜିଲ୍ଲାରେ ଶ୍ରମ ଦପ୍ତରରେ ଖାଲିଥିବା ପଦବୀ ତୁରନ୍ତ ପୂରଣ କରାଯାଉ, ନିର୍ମାଣ ଶ୍ରମିକମାନଙ୍କ କ୍ଷେତ୍ରରେ ସମସ୍ତ ଶ୍ରମ ଆଇନ୍ ଗୁଡିକୁ ତୁରନ୍ତ ଲାଗୁ କରାଯାଉ, ପ୍ରତ୍ୟେକ ଜିଲ୍ଲାରେ ନିର୍ମାଣ ଶ୍ରମିକ ଆଶ୍ରୟ ସ୍ଥଳୀ ସ୍ଥାପନ କରାଯାଉ ଓ ସିମେଣ୍ଟ, ଇଟ୍ଟା, ଇସ୍ପାତ, ରଙ୍ଗ, ବାଲି ଇତ୍ୟାଦିର ଦର କମାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ପଦକ୍ଷେପ ନିଅନ୍ତୁ ବୋଲି ସଂଘ ଦାବି ଜଣାଇଛି । ଏଥି ସହିତ ସଂଘ ସ୍ମାରକ ପତ୍ର ପ୍ରଦାନ କରିଛି । ଏହି ବିକ୍ଷୋଭ ସଭାରେ ବିଏମଏସ୍ର ବସନ୍ତ ସାହୁ, ଆଇଏନ୍ଟିୟୁସିର ସାଧାରଣ ସଂପାଦକ କିଶୋର ଜେନା, ଏଆଇଟିୟୁସର ସାଧାରଣ ସଂପାଦକ ରାମକୃଷ୍ଣ ପଣ୍ଡା, ସିଆଇଟିୟୁର ବିଷ୍ଣୁ ମହିନ୍ତି, ଏଆଇସିସିଟିୟୁର ରାଜ୍ୟ ସଂପାଦକ ମହେନ୍ଦ୍ର ପରିଡା, ଏଆଇୟୁଟିୟୁସିର ସାଧାରଣ ସଂପାଦକ ଜୟସେନ ମେହେର ପ୍ରମୁଖ ନେତୃତ୍ୱ ନେଇଥିଲେ ।




Powered by odothemes.com