ଗୁଳୁଗୁଳିରେ ବି ଜମିଲା ରାହ୍ଗିରି

IMG_5370-copy

ଭୁବନେଶ୍ୱର, ୨୪ ।୪ (ବୁ୍ୟରୋ): ବେଶ୍ କିଛିଦିନ ହେଲାଣି ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛନ୍ତି ରାଜଧାନୀବାସୀ । ମୁଣ୍ଡଫଟା ଟାଣ ଖରାରେ ପଦାକୁ ବାହାରିବା କଷ୍ଟକର ହୋଇପଡୁଛି । ଏଭଳି ସ୍ଥିତିରେ ରାଜଧାନୀବାସୀଙ୍କୁ ରାହଗିରି ସତେ ଯେମିତି ଖୁସିର ରାହା ଦେଖାଉଛି । ପ୍ରତି ରବିବାର ଭଳି ଏଥର ମଧ୍ୟ ୧୫ତମ ରାହଗିରି ଦିବସ ପାଳନ ହୋଇଛି । ନିଜର ବ୍ୟସ୍ତବହୁଳ ଜୀବନର ପରିଧି ଭିତରୁ ବାହାରି କିଛି ସମୟ ଖୁସିରେ ସମୟ ବିତାଇବା ପାଇଁ ସକାଳୁ ସକାଳୁ ରାଜଧାନୀର ଜନପଥ ରୋଡ଼ରେ ଭିଡ଼ ଲାଗିଥିଲା । ସବୁଥର ଭଳି ଏଥରବି ବିଭିନ୍ନ ଖେଳକୁଦ ସାଙ୍ଗକୁ ନାଚ, ଗୀତ, ଯୋଗ ଇତ୍ୟାଦି ହୋଇଥିଲେ ମଧ୍ୟ ଘରୋଇ ଆବର୍ଜନାକୁ ନେଇ ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାର ଘରକରଣା, ସୌନ୍ଦର୍ଯ୍ୟ ପ୍ରାସାଧନ ସାମଗ୍ରୀ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଘରୋଇ ଆବର୍ଜନାରୁ ପ୍ରସ୍ତୁତ କରାଯାଇଥିବା ଅନେକ ଚିତ୍ତାକର୍ଷକ ଦ୍ରବ୍ୟକୁ ଦେଖିବାକୁ ପାଇଁ ଲୋକମାନଙ୍କ ଗହଳି ଲାଗିଥିଲା । ଅନାବଶ୍ୟକ ପ୍ଲାଷ୍ଟିକ ବୋତଲ, ପୁରୁଣା ଖବରକାଗଜକୁ ନେଇ ପ୍ରସ୍ତୁତ ହୋଇଥିବା କାଗଜ ହାତୀକୁ ରାହଗିରିର ମୁଖ୍ୟ ଫାଟକରେ ଲଗାଯାଇଥିଲା ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା । ଏଥରକ ରାହଗିରିରେ ଭୁବନେଶ୍ୱରସ୍ଥିତ ଆର୍ଟ ୟା କ୍ରାଫ୍ଟ ଏବଂ ଆପାରେଲ ଟ୍ରେନିଂ ଆଣ୍ଡ ଡିଜାଇନିଂ ସେଣ୍ଟରର ମିଳିତ ସହଯୋଗରେ ପୁରୁଣା ଖବରକାଗଜକୁ ନେଇ ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାର ଅଳଙ୍କାର ପ୍ରଦର୍ଶିତ ହୋଇଥିଲା । ଯାହାକୁ ଦେଖଣାହାରି ଅତି ଆନନ୍ଦର ସହ ଉପଭୋଗ କରୁଥିଲେ । ଦିନକୁଦିନ ରାହଗିରିରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି । ନିତିଦିନିଆ ଜୀବନରେ ଅନେକ ସମୟରେ ବ୍ୟବହାର କରାଯାଉଥିବା ଜିନିଷଗୁଡ଼ିକୁ ବ୍ୟବହାର କରି ଫୋପାଡ଼ି ଦିଆଯାଉଛି । ସେ ଅବ୍ୟବହୃତ ଜିନିଷକୁ କିଛି କଳାକୌଶଳ ପ୍ରୟୋଗ କଲେ ତାହା କୌଣସି ନା କୌଣସି ଏକ ଉତ୍ତମ ବସ୍ତୁରେ ପରିଣତ ହୋଇପାରିବ ବୋଲି ଆର୍ଟ ୟା କ୍ରାଫ୍ଟର ଜଣେ କଳାକାର କହିଛନ୍ତି ।