congress

ଓଡ଼ିଶା ବିକାଶର ଅନ୍ୟତମ ବିନ୍ଧାଣୀ ଥିଲେ ଜାନକୀ ବଲ୍ଲଭ

6

ଭୁବନେଶ୍ୱର (ବୁ୍ୟରୋ): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଥିଲେ ଓଡିଶା ରାଜନୀତିର ପ୍ରବାଦ ପୁରୁଷ । ରାଜନୀତି, ସାହିତ୍ୟ ଓ ସାମ୍ବାଦିକତାର ସେ ଥିଲେ ଅପୂର୍ବ ସଙ୍ଗମ । ଓଡିଶାରେ ସାମଗ୍ରୀକ ବିକାଶର ସେ ଥିଲେ ଅନ୍ୟତମ ବିନ୍ଧାଣୀ । ଓଡିଶାରେ କୃଷି, ଜଳସେଚନ ଓ ଶିଳ୍ପର ବିକାଶ ସହ ଓଡିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିବ ବୋଲି ସ୍ୱର୍ଗତ ଶ୍ରୀ ପଟ୍ଟନାୟକଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବିଶିଷ୍ଟ ବ୍ୟକ୍ତି ତଥା ବରିଷ୍ଠ କଂଗ୍ରେସ ନେତାମାନେ ମତବ୍ୟକ୍ତ କରିଛନ୍ତି । ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ରମଣ୍ଡପଠାରେ ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପ୍ରାରମ୍ଭରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଧର୍ମପନôୀ ପୂର୍ବତନ ସାଂସଦ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ବିଶିଷ୍ଟ ଅର୍ଥନୀତିଜ୍ଞ ଡକ୍ଟର ବୈଦ୍ୟନାଥ ମିଶ୍ର ଜାନକୀବାବୁଙ୍କ ସହିତ ତାଙ୍କର ବିତିଥିବା ଦୀର୍ଘ ବର୍ଷ ସମ୍ପର୍କର ସ୍ମୃତିଚାରଣ କରି କହିଲେ, ଜାନକୀ ବାବୁ ଉଭୟ ସାମାଜିକ ଏବଂ ରାଜନୈତିକ ଜୀବନରେ ଜଣେ ପ୍ରତିଶ୍ରୁତିବଦ୍ଧତା ସଂପନ୍ନ ବ୍ୟକ୍ତି ଥିଲେ । ସେହିପରି ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ କହିଲେ ଯେ, କଠୋର ସାଧନା ଓ ଅଧ୍ୟବସାୟ ଜାନକୀବାବୁଙ୍କର ସଫଳତାର ରହସ୍ୟ ଥିଲା । ଜାନକୀବାବୁ ଓଡ଼ିଶାର ସୁପୁତ୍ର ଥିଲେ । ସେ ଛାଡ଼ି ଯାଇଥିବା ଅଧୁରା କାର୍ଯ୍ୟକୁ ସମ୍ପୂ୍ର୍ଣ୍ଣ କରିବାକୁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ପଦ୍ମଶ୍ରୀ ତୁଳସୀ ମୁଣ୍ଡା କହିଥିଲେ । ବର୍ଷିୟାନ୍ ଭୂଦାନ କର୍ମୀ କୃଷ୍ଣ ସିଂହ କହିଲେ ଯେ, ଜାନକୀବାବୁ ଜ୍ଞାନର ଭଣ୍ଡାର ଥିଲେ । ଜୟନ୍ତୀ ପଟ୍ଟନାୟକଙ୍କ ଏକ ଲିଖିତ ଭାଷଣକୁ ତାଙ୍କ ସୁପୁତ୍ର ପୃଥ୍ୱୀବଲ୍ଲଭ ପଟ୍ଟନାୟକ ପଢିଥିଲେ । ବରିଷ୍ଠ କଂଗ୍ରେସ ନେତା କାହ୍ନୁଚରଣ ଲେଙ୍କା, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ଜଗନ୍ନାଥ ପଟ୍ଟନାୟକ, ରମାକାନ୍ତ ମିଶ୍ର, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, ସସ୍ମିତା ବେହେରା, ଗୁରୁପଦ ନନ୍ଦ ଓ ସାବିତ୍ରୀ ଚୌଧୁରୀ ପ୍ରମୁଖ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ସ୍ମୃତିଚାରଣ କରିବା ସହ ତାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସ୍ୱର୍ଗତ ପଟ୍ଟନାୟକଙ୍କ ସ୍ମୃତିରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ହରିଚନ୍ଦନଙ୍କ ଦ୍ୱାରା ସଂପାଦିତ ୬୦୦ ପୃଷ୍ଠା ସମ୍ବଳିତ ଏକ ପୁସ୍ତକ “ଜନନାୟକ ଜାନକୀବଲ୍ଲଭ’ ଉନ୍ମୋଚିତ ହୋଇଥିଲା । ପିସିସି ଉପସଭାପତି ଡ.ଯୁଧିଷ୍ଠିର ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ କୈଳାସ ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ପିସିସି ସାଧାରଣ ସଂପାଦକ ଶୁଭେନ୍ଦୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।




Powered by odothemes.com