Khandapara-Mahila-Naka-Dharana

ପାନୀୟଜଳ ସମସ୍ୟା: ମହିଳାଙ୍କ ବିକ୍ଷୋଭ

39

ଖଣ୍ଡପଡ଼ା (ଆପ୍ର):ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ବନମାଳୀପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ପୂର୍ବାହ୍ନ ୯ ଟା ଠାରୁ ପାନୀୟ ଜଳ ସମସ୍ୟାର ସମାଧାନ ଦାବିରେ ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମର ମହିଳାମାନେ ଧାରଣା ଦେବା ସହ ପାଟିତୁଣ୍ଡ କରି ବିକ୍ଷୋଭ ପ୍ରଦର୍ଶନ କରିବା ଯୋଗୁଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟିହୋଇଥିଲା । ଖବରପାଇ ସ୍ଥାନୀୟ ସରପଞ୍ଚ ଶରତଚନ୍ଦ୍ର ସାହୁ ଓ ପଞ୍ଚାୟତ କର୍ତ୍ତୁପକ୍ଷ ଘଟଣାସ୍ଥଳରେ ପହଞ୍ଚି ଧାରଣାରତ ମହିଳାମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ଓ ସେମାନେ ଧାରଣାରୁ ଓହରିଯାଇଥିଲେ । ମିଳିଥିବା ସୂଚନା ମୁତାବକ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଳ ଯୋଗାଣ କାର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ପଞ୍ଚାୟତବାସୀଙ୍କୁ ବାରମ୍ବାର ଜଳଯୋଗାଣରେ ଅବ୍ୟବସ୍ଥା ଦେଖା ଦେଇଥିବା ଅଭିଯୋଗ ହେଉଛି । ବାରମ୍ବାର ଦାବି ସତ୍ୱେ ସମସ୍ୟାର ସମାଧାନ ଦିଗରେ ପଞ୍ଚାୟତ କର୍ତ୍ତୁପକ୍ଷ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କର୍ତ୍ତୁପକ୍ଷ, ବ୍ଲକ୍ ପ୍ରଶାସନ ଦୃଷ୍ଟି ନଦେବାରୁ ଏହାର ପ୍ରତିବାଦରେ ବିଭିନ୍ନ ଗ୍ରାମର ମହିଳାମାନେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଜଣାଯାଇଛି । ଧାରଣାସ୍ଥଳରେ ସରପଞ୍ଚ ଶ୍ରୀ ସାହୁ ପହଞ୍ଚି ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶୃତି ଦେବା ପରେ ମହିଳାମାନେ ଗରା, ବାଲ୍ଟି ଧରି ଧାରଣାରୁ ଓହରି ଯାଇଥିବା ଜଣାଯାଇଛି । ଏ ସମ୍ପର୍କରେ ବନମାଳୀପୁର ସରପଞ୍ଚଙ୍କୁ ଯୋଗାଯୋଗ କରିବାରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥାକୁ ସ୍ୱୀକାର କରିବା ସହ ଏଥି ନିମନ୍ତେ ଜଳଯୋଗାଣ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com