ସିଟି ବସ୍ସେବା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

33

କଟକ (ବୁ୍ୟରୋ): କଟକ ସହର ଓ ତାର ଉପକଣ୍ଠକୁ ଆସନ୍ତାକାଲି ଠାରୁ ମୋଟି ବସ ସେବା ଆରମ୍ଭ ହେବ । ଏହି ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟରେ ୩୦ଟି ସିଟି ବସ୍‌ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ବସ୍‌ରେ ଯାତାୟାତ କଲେ ପ୍ରତି ୩ କି.ମିକୁ ୭ଟଙ୍କା, ୩ରୁ ୬ କି.ମି ପର୍ଯ୍ୟନ୍ତ ୮ଟଙ୍କା, ୬ରୁ ୯ କି.ମି ୧୦ ଟଙ୍କା, ୯ରୁ ୧୨ କି.ମି ୧୨ ଟଙ୍କା ଏବଂ ୩୦ କି.ମିରୁ ଉଦ୍ଧ୍ୱର୍ ଗଲେ ୪୭ ଟଙ୍କା ଭଡ଼ା ଦେବାକୁ ପଡ଼ିବ ବୋଲି ଧାର୍ଯ୍ୟ ହୋଇଛି । ସହରର ୫୦ କି.ମି ପରିଧି ମଧ୍ୟରେ ବସ୍‌ଗୁଡ଼ିକ ଚଳାଚଳ କରିବ ବୋଲି ସିଏମସି କମିଶନର ଜ୍ଞାନ ଦାସ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ପ୍ରତି ମାସରେ ଏହି ବସ ଠାରୁ ପାର୍କିଂ ଫିସ ଆଦାୟ କରାଯିବ । ବସ୍‌ ଚଳାଚଳର ଧାର୍ଯ୍ୟ ଫି ମାସକୁ ୫ ହଜାର ୪୦ ଟଙ୍କା କଟକ ଅର୍ବାନ୍‌ ଟ୍ରାନ୍ସପୋର୍ଟ ସର୍ଭିସ୍‌ ଲିମିଟେଡ୍‌ (ସିୟୁଟିଏସ୍‌ଏଲ୍‌) ଦେବ ବୋଲି ଚୁକ୍ତିନାମାରେ ଦର୍ଶାଯାଇଛି । ଏହି ସିଟି ବସ୍‌ରେ ୨୬ ସିଟ୍‌ ରହିଛି, ତେବେ କୌଣସି ଯାତ୍ରୀଙ୍କୁ ଛିଡ଼ା ହୋଇ ଯିବାକୁ ପଡିବନାହିଁ । ଆରାମଦାୟକ ଯାତ୍ରା, ନିର୍ଦ୍ଦଷ୍ଟ ସମୟ ଭିତରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପ୍ରତି ଗୁରୁତ୍ୱ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ଏହି ବସ୍‌ର ଉଦ୍‌ଘାଟନ କରିବେ । ଏଥିପାଇଁ ମଙ୍ଗଳବାର ଦିନ ସାହାରା ରୋଡ୍‌ୱେଜ୍‌ ସଂସ୍ଥାର ସିଇଓ ସୁଧାଂଶୁ ଜେନା ଏବଂ ସିୟୁଟିଏସ୍‌ଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସିଏମ୍‌ସି କମିଶନର ଜ୍ଞାନ ଦାସଙ୍କ ମଧ୍ୟରେ ଚୁକ୍ତିପତ୍ରରେ ସ୍ୱାକ୍ଷରିତ ହୋଇଛି । ବସ ଚଳାଚଳ ଦାୟିତ୍ୱ ନେଇଥିବା ସଂସ୍ଥା ୧୦ଟି ରୁଟ୍‌ରେ ଆସନ୍ତାକାଲି ଠାରୁ ବସ୍‌ ସେବା ଆରମ୍ଭ କରିବ । ପ୍ରାଥମିକ ଭାବେ ବିକାଶ ଭବନ ଓ ମର୍କତନଗରରେ ବସ୍‌ ରହଣିସ୍ଥଳ ପାଇଁ ଜାଗା ଚିହ୍ନଟ କରାଯାଇଛି । ବିଶେଷକତା ହେଉଛି ଆସନ୍ତାକାଲି ଠାରୁ ୨ଦିନ ଧରି ଏହି ସଂସ୍ଥା ନିଜର ପ୍ରଚାର ଉଦେ୍ଦଶ୍ୟରେ ମାଗଣାରେ ଯାତ୍ରୀଙ୍କୁ ଯାତାୟତ ସୁବିଧା ପ୍ରଦାନ କରିବ । କିନ୍ତୁ ଏହି ୨ଦିନ ମାତ୍ର ୨୦ଟି ବସ୍‌ ଚଳାଚଳ କରିବ । ଅବଶିଷ୍ଟ ୧୦ଟି ବସ୍‌ ତିନିଦିନ ମଧ୍ୟରେ ପଞ୍ଜୀକରଣ ହେବା ପରେ ଚାଲିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ଆସନ୍ତାକାଲି ୧୦ଟି ବସ୍‌ ବାଦାମବାଡ଼ିରୁ ବାହାରି ମଲାଚଣ୍ଡିଆ ଛକ, ହାଇକୋର୍ଟ, ମର୍କତନଗର, ନରାଜ ଦେଇ ବାଙ୍କୀ ରୁଟ୍‌ ଅଭିମୁଖେ ଯାତ୍ରା କରିବ । ଆଉ ଏକ ରୁଟ୍‌ ଯଥା ମର୍କତନଗର ବସ ବାହାରି ବାଦାମବାଡ଼ି, ଓଏମ୍‌ପି ଛକ ଦେଇ ଚାରବାଟିଆକୁ ଚଳାଚଳ କରିବ । ଆଉ ୫ଟି ବସ୍‌ ବିଜୁ ପଟ୍ଟନାୟକ ପାର୍କରୁ ବାହାରି ସତୀଚଉରା, ବାଦାମବାଡ଼ି, ମଧୁପାଟଣା, ଓଏମ୍‌ପି ଦେଇ ଜଗତପୁର ଓ ମଙ୍ଗୁଳି ଯିବ । ଅନ୍ୟ ୫ଟି ବସ କଲେଜଛକ, ଯୋବ୍ରା ଆନିକଟ, ବିରୁପା ଆନିକଟ ଏବଂ ଚୌଦ୍ୱାର ଯିବ ବୋଲି ସ୍ଥିର ହୋଇଛି । ବସ ଗୁଡିକ ସକାଳ ୬ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବସ୍‌ ଚାଲିବ । ଯାହାହେଉ ସହର ଓ ସହର ଉପକଣ୍ଠବାସୀଙ୍କ ପାଇଁ ଏକ ପ୍ରକାର ଖୁସୀ ଖବର । ଏଣିକି ଯାତ୍ରୀମାନଙ୍କୁ ଯାତାୟାତରେ ଅସୁବିଧା ଭୋଗ କରିବା ପାଇଁ ପଡିବନାହି । କିନ୍ତୁ ଦେଖିବା ପାଇଁ ଗଲେ ଏହି ବସ ସେବା ପାଇଁ ସିଏମ୍‌ସି ପକ୍ଷରୁ କୌଣସି ଭିତ୍ତିଭୂମି ପ୍ରସ୍ତୁତ ହୋଇନାହି । ଅନ୍ୟପକ୍ଷରେ ଯାତ୍ରୀଙ୍କୁ ଭଡା ଖୁବ ବାଧିବ ବୋଲି ଚର୍ଚ୍ଚା ହେଉଛି । ସାଧାରଣ ବସ୍‌ରେ ୧କିମି ଗଲେ ୫୭ ପଇସା ଦେବାକୁ ପଡ଼ୁଥିବା ବେଳେ ଏକ୍ସପ୍ରେସ୍‌ରେ ୧ କି.ମିକୁ ୬୦ ପଇସା, ଡିଲକ୍ସରେ ୭୮ ପଇସା ଏବଂ ଏସି ଡିଲକ୍ସରେ ୯୯ ପଇସା ପଡ଼ୁଛି । ଏହି ଭଡାକୁ ନେଇ ଆଗକୁ ଯାତ୍ରୀମାନେ କଣ ପ୍ରତିକ୍ରିୟା ରଖୁଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।




Powered by odothemes.com