NEW-DELHI-RE-MUKHYAMANTRI-NABIN-PATNAIK-PRIME-MINISTER-NARENDRA-MODI-NKU-SAKHYAT-KARUCHANTI

ମୋଦି-ନବୀନ ଆଲୋଚନା , ଫୋକସ୍ରେ କୋଲ୍ ବ୍ଲକ୍

40

ନୂଆଦିଲ୍ଲୀ,୧୨ା୪(ଏଜେନ୍ସି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ୭ ରେସକୋର୍ସ ସ୍ଥିତ ବାସଭବନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନବୀନ ରାଜ୍ୟର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ମୁଖ୍ୟତଃ ଶକ୍ତି, କୋଇଲା, ପରିବେଶ ଓ ଜଙ୍ଗଲ, ଖଣି ଓ ଅର୍ଥ ବିଭାଗ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ । ଓଏମ୍ସି (ଓଡ଼ିଶା ଖଣି ନିଗମ)କୁ କେନ୍ଦ୍ର ସରକାର ବୈତରଣୀ ୱେଷ୍ଟ କୋଲ୍ ବ୍ଲକ୍ ଆବଣ୍ଟନ କରିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଇଥିଲେ । ଓଏମ୍ସିକୁ ଅଧିକ କୋଇଲା ଆବଶ୍ୟକ ହେଉଥିବାରୁ ପାତ୍ରପଡା ଓ ନୂଆଗାଁ ତେଲିସାହି କୋଲ୍ ବ୍ଲକ୍ ପ୍ରଦାନ ପାଇଁ ସେ ଦାବି ଉପସ୍ଥାପନ କରିଛନ୍ତି । ସେ ଆହୁରି ମଧ୍ୟ କହିଲେ, ଓଡିଶା କୋଲ୍ ଆଣ୍ଡ ପାୱାର ଲିମିଟେଡ୍ ପାଇଁ ବ୍ରିଜ୍ ଲିଙ୍କେଜ୍ ଜରିଆରେ କୋଇଲା ଯୋଗାଇ ଦିଆଯିବା ଆବଶ୍ୟକ । ୨୦୧୭-୧୮ରୁ ୨୦୨୦-୨୧ ମଧ୍ୟରେ ୧୬.୬୮ ନିୟୁତ ଟନ୍ କୋଇଲା ଆବଶ୍ୟକ ଥିବାରୁ ମନୋହରପୁର କୋଲ୍ ବ୍ଲକ୍ ଆବଣ୍ଟନ ପାଇଁ ସେ ପ୍ରସ୍ତାବ ଦେଇଥିଲେ । ତେନ୍ତୁଲେଇ କୋଲ୍ ବ୍ଲକ୍ ବଦଳରେ ଓଡିଶା ଥର୍ମାଲ୍ ପାୱାର କର୍ପୋରେସନ୍କୁ ବିକଳ୍ପ କୋଲ୍ ବ୍ଲକ୍ ଆବଣ୍ଟନ କରିବା ପାଇଁ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ସେ ଆହୁରି କହିଲେ, ସୁନ୍ଦରଗଡ଼ ଜିଲ୍ଲା ଭେଡାବାହଲଠାରେ ଅଲଟ୍ରା ମେଗା ପାୱାର ପ୍ଲାଣ୍ଟ୍ର ବିଡିଂ ପ୍ରକ୍ରିୟା ବିଳମ୍ବିତ ହେଉଛି । ଏହାକୁ ତ୍ୱରାନ୍ୱିତ କରାଯିବା ଆବଶ୍ୟକ । ଓଡିଶାର ଖଣି ପ୍ରକଳ୍ପକୁ ସର୍ତ୍ତମୂଳକ ପରିବେଶ ମଞ୍ଜୁରୀ ମିଳିବା ଉଚିତ । ଏହା ଛଡା ସ୍ୱଚ୍ଛ ପରିବେଶ ସେସ୍ରେ ରାଜ୍ୟ ଅଂଶ ବୃଦ୍ଧି କରିବା ପାଇଁ ନବୀନ ଗୁରୁତ୍ୱ ଦେଇଛନ୍ତି । ୨୦୧୬-୧୭ ବଜେଟ୍ରେ ଏହି ସେସ୍ ପରିମାଣ ମେଟ୍ରିକ୍ ଟନ୍ ପିଛା ୨୦୦ ଟଙ୍କା ଥିବାବେଳେ ଏହାକୁ ୪୦୦ ଟଙ୍କାକୁ ବୃଦ୍ଧି କରାଯିବା ଆବଶ୍ୟକ । କୋଇଲା ଖଣି ଥିବା ଓଡିଶା ଭଳି ରାଜ୍ୟଗୁଡିକ ଅଧିକ ପରିବେଶ ପ୍ରଦୂଷଣର ଶିକାର ହେଉଛନ୍ତି । କୋଲ୍ ବ୍ଲକ୍ ଅଞ୍ଚଳଗୁଡିକର ଜନବସତି, ଜଙ୍ଗଲ ଓ ଅନ୍ୟାନ୍ୟ ଶିଳ୍ପ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେଉଛି । ଏହାକୁ ନଜରରେ ରଖି ‘ପରିବେଶ ଓ ପୁନଃଥଇଥାନ ସେସ୍’ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ସେହିପରି ଓଡିଶାରେ ୩୭% ଜଙ୍ଗଲ ଜମି ଥିବାରୁ ବିଭିନ୍ନ ପ୍ରକଳ୍ପ ପାଇଁ ଅଣ ଜଙ୍ଗଲ ଜମି ଚିହ୍ନଟ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଛି । ତେଣୁ ବନୀକରଣ ପାଇଁ କେନ୍ଦ୍ର ସରକାର ଅଧିକ ସହାୟତା ଦେବାକୁ ସେ ଦାବି କରିଛନ୍ତି ।
କେନ୍ଦ୍ର ସରକାରଙ୍କ ନ୍ୟାସ୍ନାଲ୍ ଏନ୍ଭର୍ମେଣ୍ଟାଲ୍ ଇଞ୍ଜିନିୟରିଂ ରିସର୍ଚ୍ଚ ଇନ୍ଷ୍ଟିଚୁ୍ୟଟ୍ ରାଜ୍ୟର ବିଭିନ୍ନ ପ୍ରକଳ୍ପ କ୍ଷେତ୍ରରେ ପରିବେଶ ମଞ୍ଜୁରୀ ଦେବାରେ ବିଳମ୍ବ କରୁଛନ୍ତି । ଏହାଦ୍ୱାରା ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ରାଜ୍ୟର ଆଦିବାସୀ ଅଞ୍ଚଳରେ ନିଯୁକ୍ତି ସୁଯୋଗ ବାଧାପ୍ରାପ୍ତ ହେଉଛି । ଏସବୁ ଦିଗକୁ ନଜରରେ ରଖି ସରକାର ସର୍ତ୍ତମୂଳକ ପରିବେଶ ମଞ୍ଜୁରୀ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଉଠାଇଥିବା ପ୍ରସଙ୍ଗଗୁଡିକ ପ୍ରତି ପ୍ରଧାନମନ୍ତ୍ରୀ ସକାରାତ୍ମକ ମନୋଭାବ ଦେଖାଇଛନ୍ତି । ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟର ଦାବି ଓ ପ୍ରସ୍ତାବକୁ ସହୃଦୟତାର ସହ ବିଚାର କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।




Powered by odothemes.com