ସାଇବର କ୍ରାଇମ୍ ରୋକିବାକୁ ତାଲିମ୍ ନେବେ ପୁଲିସ୍

cyber-crime

କଟକ (ବୁ୍ୟରୋ): ରାଜ୍ୟରେ ସାଇବର ଅପରାଧ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ସାଇବର ଅପରାଧକୁ ରୋକିବା ପାଇଁ ଅନଭିଜ୍ଞ ପୁଲିସ ଅସମର୍ଥ । ତେବେ ବଢିଚାଲିଥିବା ସାଇବର ଅପରାଧର ମୁକାବିଲା କରିବା ପାଇଁ ପୁଲିସ୍ ଅଧିକାରୀମାନଙ୍କର ଏକ ସ୍ୱତନ୍ତ୍ର ତାଲିମ୍ ଶିବିର ବୁଧବାର କଟକ କ୍ରାଇମ୍ବ୍ରାଞ୍ଚ ମୁଖ୍ୟାଳୟରେ ଅନୁଷ୍ଠିତ ହେବ । ରାଜ୍ୟରେ ହେଉଥିବା ସାଇବର କ୍ରାଇମ୍ ଓ ସାଇବର ଫୋରେନସିକ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶିବିରରେ ପୁଲିସ୍ ଅଧିକାରୀମାନଙ୍କୁ ତାଲିମ୍ ପ୍ରଦାନ କରାଯିବ ବୋଲି କ୍ରାଇମ୍ବ୍ରାଞ୍ଚର ସ୍ୱତନ୍ତ୍ର ଡିଜି ବି.କେ. ଶର୍ମା ସୂଚନା ଦେଇଛନ୍ତି । ବିଶେଷ କରି ହ୍ୟାକିଂ, ଏଟିମ୍ କାର୍ଡରୁ ଟଙ୍କା ଗାଏବ ହେବା, ଫେସ୍ବୁକ ସଂପର୍କିତ ଅପରାଧ, ଅନ୍ଲାଇନ୍ ଠକେଇ, ଫୋନ୍ ଯୋଗେ ଠକେଇ, ଲଟେରୀ ଠକେଇ, ଅନ୍ଲାଇନ୍ରେ ଚାକିରି ଦେବା ଆଳରେ ହେଉଥିବା ଠକେଇ, ଡିଜିଟାଲ ପ୍ରମାଣ ସଂଗ୍ରହ ଓ ଜବତ କରିବା ଆଦି ବିଷୟରେ ବିସ୍ତୃତ ଆଲୋଚନା କରାଯିବା ସହ ବୈଠକରେ ଏହାର ସମାଧାନ ଦିଗରେ ଦୃଷ୍ଟି ଦିଆଯିବ । ଏହାସହ କିଭଳି ଭାବେ ସାଇବର ମାମଲାଗୁଡିକ ପଞ୍ଜିକରଣ କରାଯିବ ଓ କେଉଁ ଦଫାରେ ମାମଲା ରୁଜୁ କରାଯିବ ସେ ବିଷୟରେ ମଧ୍ୟ ତାଲିମ୍ ପ୍ରଦାନ କରାଯିବ ବୋଲି ଡିଜି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଶର୍ମାଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରରେ କୋଲକତା ସ୍ଥିତ ସିଏଫ୍ଏସ୍ଏଲର ବରିଷ୍ଠ ଅଧିକାରୀଙ୍କ ସହ ରାଜ୍ୟର ସାଇବର ବିଶେଷଜ୍ଞମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଶିବିରରେ ରାଜ୍ୟର ପ୍ରତି ଜିଲ୍ଲାରୁ ୨ଜଣ କରି ପୁଲିସ୍ ଅଧିକାରୀ ଯୋଗଦେଇ ତାଲିମ୍ ଗ୍ରହଣ କରିବେ ବୋଲି ଶ୍ରୀ ଶର୍ମା କହିଛନ୍ତି । ୨୦୦୫ ଅକ୍ଟୋବର ମାସ ୨ତାରିଖରେ କ୍ରଇମବ୍ରାଞ୍ଚ ପରିସରରେ ସାଇବର ପୁଲିସ ଷ୍ଟେସନ କାର୍ଯ୍ୟ କରିଆସୁଛି । ୩ବର୍ଷ ମଧ୍ୟରେ ମାତ୍ର ୪୫ଟି ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୨୧ଟି କେବଳ ଥିବା ୱେବସାଇଟଜନିତ । ୨୦୧୫ ମସିହାରେ ୧୧ଟି ସାଇବର ମାମଲା ରୁଜୁ ହୋଇଥିଲା । ତେବେ ୨୦୧୨ମସିହାରେ ୧୦ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୩ରେ ୧୬ଟି, ତେବେ ୨୦୧୪ ମସିହା ସୁଦ୍ଧା ଏହି ଷ୍ଟେସନରେ ମାତ୍ର ୧୫ଟି ମାମଲା ରୁଜୁ ହୋଇଥିବାବେଳେ କେବଳ କ୍ରେଡିଟ୍‌ କାର୍ଡ ମାଧ୍ୟରେ ଠକେଇ, ଅନ୍‌ ଲାଇନ ବ୍ୟାଙ୍କ ଠକେଇ ଘଟଣା ସର୍ବାଧିକ ଥିଲା । ଅନ୍ୟପକ୍ଷରେ ଏବେ ଫେସ୍‌ ବୁକ ଆକାଉଣ୍ଟ ସଂପର୍କିତ ଅପରାଧ, ଇ-ମେଲ ହ୍ୟାକିଂ, ଏସ୍‌ଏମ୍‌ଏସ୍ ଓ ଅନ୍‌ଲାଇନ ଠକେଇ ଘଟଣାରେ ପ୍ରତି ମାସରେ ୩୦ରୁ ଊଦ୍ଧ୍ୱର୍ ମାମଲା ପହଞ୍ଚôଥିବା ଜଣାଯାଇଛି ।