gajapati-maharaja

ଶ୍ରୀଜଗନ୍ନାଥଙ୍କ ପରମ୍ପରା ଏକ ସୁନ୍ଦର ରତ୍ନହାର

27

‘ଓଡ଼ିଶା ରାଜବଂଶ ପରମ୍ପରାରେ ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର’ ଆଲୋଚନାଚକ୍ର
ଭୁବନେଶ୍ୱର,୪ା୪(ବୁ୍ୟରୋ): ଶ୍ରୀଜଗନ୍ନାଥଙ୍କ ପରମ୍ପରା ଏକ ସୁନ୍ଦର ରତ୍ନହାର, କିନ୍ତୁ ମାଙ୍କଡ଼ଟିଏ ରତ୍ନହାରର ମୂଲ୍ୟ ବୁଝିନପାରିବା ପରି, ଆଜି ଏହି ସୁନ୍ଦର ରତ୍ନହାରର ଅବସ୍ଥା ବୋଲି ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଆୟୋଜିତ ଜାତୀୟ ଆଲୋଚନାଚକ୍ରକୁ ଉଦ୍ଘାଟନ କରି କହିଛନ୍ତି । ପୁରୀର ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ‘ଓଡ଼ିଶା ରାଜବଂଶ ପରମ୍ପରାରେ ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର’ ଶୀର୍ଷକ ଏହି ଆଲୋଚନାଚକ୍ର ଉଦ୍ଘାଟିତ ହୋଇଥିଲା । ଏଥିରେ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମନୋରଞ୍ଜନ କର ମୁଖ୍ୟ ଅତିଥି ଓ ବାୟୋଟେକ୍ ଗବେଷଣା ପ୍ରକଳ୍ପର ବିଜ୍ଞାନୀ ଡକ୍ଟର ନୀଳମାଧବ ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତିଷ୍ଠାନର ସଭାପତି ସଚ୍ଚିଦାନନ୍ଦ ଦାସ ବାବାଜୀ ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ମହାସଚିବ ରବୀନ୍ଦ୍ର ନାଥ ପ୍ରତିହାରୀ, ଆଲୋଚନାଚକ୍ର ସଚିବ ଅଧ୍ୟାପକ ସୁନୀଲ ରଥ ପ୍ରତିଷ୍ଠାନର ଆଭିମୁଖ୍ୟ ଓ ଆଲୋଚନାଚକ୍ରର ଅଭିପ୍ରାୟ ସମ୍ପର୍କରେ ସୂଚନା ଦେଇଥିଲେ । ଦୀର୍ଘ ପ୍ରାୟ ଅର୍ଦ୍ଧ ସହସ୍ର ବର୍ଷ ଧରି ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ବିଦେଶୀ ଐତିହାସିକମାନେ ବହୁ ବିଭ୍ରାନ୍ତିକର ତଥ୍ୟ ଦେଇଛନ୍ତି ଏବଂ ଦେଶ ସ୍ୱାଧୀନ ହେବାର ଦୀର୍ଘ ପ୍ରାୟ ସତୁରି ବର୍ଷ ପରେ ମଧ୍ୟ ଆମେ ସେହି ବିଭ୍ରାନ୍ତି ଗୁଡ଼ିକର ସଂଶୋଧନ ନକରି ତାକୁ ଗ୍ରହଣ କରି ଚାଲିଛୁ ବୋଲି କହିବା ସହ ଗଜପତି ମହାରାଜା କ୍ଷୋଭ ପ୍ରକାଶ କରିଥିଲେ । ଶନିବାର ଓ ରବିବାର ଦୁଇଦିନ ମଧ୍ୟରେ ଏହି ଆଲୋଚନାଚକ୍ରରେ ପ୍ରାୟ ୩୦ଟି ପ୍ରବନ୍ଧ ଉପସ୍ଥାପିତ ହୋଇଥିଲା । ଓଡ଼ିଶା ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ବିମଳେନ୍ଦୁ ମହାନ୍ତି, ଉକ୍ରଳ ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗର ପୂର୍ବତନ ପ୍ରଫେସର ଗୋପାଳକୃଷ୍ଣ ଦାଶ, ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ମହିମୋହନ ତ୍ରିପାଠୀ, ଉକ୍ରଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ ଗବେଷଣା ସଂସ୍ଥାର ସଚିବ ଡକ୍ଟର ସୁନୀଲ ପଟ୍ଟନାୟକ, ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡକ୍ଟର ଜୟନ୍ତୀ ରଥ ଓ ସହଯୋଗୀ କୁ୍ୟରେଟର ଡକ୍ଟର ଭାରତୀ ପାଲ୍, ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡକ୍ଟର ଭାଗ୍ୟଲିପି ମଲ୍ଲ, ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଚିବ ରାଜକିଶୋର ମିଶ୍ରଙ୍କ ସମେତ ଅନ୍ୟନ୍ୟ ଅତିଥିଗଣ ସ୍ୱଲିଖିତ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଉଦ୍ୟାପନୀ ଉତ୍ସବରେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ନବନିଯୁକ୍ତ କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗଙ୍ଗାଧର ପଣ୍ଡା ଓ ପ୍ରଫେସର ରାଜକିଶୋର ମିଶ୍ର ଅତିଥି ଭାବେ ଯୋଗ ଦେଇଲେ । ଏହି ଅବସରରେ ଡକ୍ଟର ନୀଳମାଧବ ନନ୍ଦ ଓ ମନୋରଞ୍ଜନ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com