malkangiri-dadana

କସା ନିଖୋଜ, ଇର୍ମାର କିଡ୍ନୀ ନାହିଁ

25

ହୃଦୟ ବିଦାରକ
ମାଲକାନଗିରି, ୨୭ ।୩(ଆପ୍ର): ମାଲକାନଗିରି ଟିଟଙ୍ଗ ଗାଁର ସମୁରୁ ମାଡକାମୀଙ୍କ ଦୁଇପୁଅ ଇର୍ମା ଓ କସା । ଦି’ପଇସା ରୋଜଗାର କରି ଭଲରେ ଚଳିବା ପାଇଁ ଦାଦନ ଖଟିବାକୁ ଯାଇଥିଲେ ଆନ୍ଧ୍ରପ୍ରଦେଶର ବିଜୟୱାଡା । ସମୁରୁ ମାଡକାମୀଙ୍କ ଦୁର୍ଭାଗ୍ୟ ଯେ, ଦାଦନ ଖଟିବାକୁ ଯାଇଥିବା ଦୁଇ ପୁଅଙ୍କ ମଧ୍ୟରୁ ଜଣଙ୍କର ପତ୍ତା ମିଳୁ ନ ଥିବା ବେଳେ ଘରକୁ ଫେରିଥିବା ପୁଅର ଗୋଟିଏ କିଡ୍୍ନୀ ନ ଥିବା ଜଣାପଡିଛି । ଏ ହେଉଛି ମାଲକାନଗିରି ଜିଲ୍ଲାର ଗୋଟିଏ ଦାଦନ ପରିବାରର ହୃଦୟ ବିଦାରକ କାହାଣୀ । ଏନେଇ ସମୁରୁ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି । ୪ଦିନ ମଧ୍ୟରେ ଏହିପରି ୨ଟି ନିର୍ଯାତନା ଘଟଣା ପଦାକୁ ଆସିବା ପରେ ଜିଲ୍ଲାରେ ଦାଦନ ସମସ୍ୟା କେତେ ଭୟଙ୍କର ସ୍ଥିତିରେ ପହଞ୍ଚିଛି, ତାହା ସ୍ପଷ୍ଟ ହୋଇଛି । ସୂଚନାଯୋଗ୍ୟ, ଇର୍ମା ଓ କସା ବିଜୟୱାଡାରେ ବୋରୱେଲ୍ କାମ କରୁଥିଲେ । ୨୦୧୪ ଏପ୍ରିଲରେ କାମ କରୁଥିବାବେଳେ ଇର୍ମା ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣାରେ ତାଙ୍କ ମଳଦ୍ୱାର ନଷ୍ଟ ହୋଇଯାଇଥିଲା । ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇ କୃତ୍ରିମ ମଳଦ୍ୱାର ଲଗାଯାଇଥିଲା । କିଛିଦିନ ଚିକିତ୍ସା ହେବା ପରେ ଠିକାଦାର ତାଙ୍କୁ ୧୦ ହଜାର ଟଙ୍କା ଦେଇ ଘରକୁ ପଠାଇ ଦେଇଥିଲେ । ଇର୍ମା ଘରକୁ ଫେରିବା ପରେ ମଧ୍ୟ ତା’ର ସ୍ୱାସ୍ଥ୍ୟରେ ଉନ୍ନତି ଘଟିନଥିଲା । ସେ ଗୁରୁତର ହୋଇପଡିବାରୁ ବିଜୟୱାଡାରେ ଚିକିତ୍ସିତ ହୋଇଥିବା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ଆଉ ଗୋଟିଏ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ । ଅର୍ଥାଭାବରୁ ତାଙ୍କୁ ଘରକୁ ନେଇଆସିଥିଲେ । ପରିବାର ଲୋକେ ସ୍ଥାନୀୟ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ । ଡାକ୍ତର ଇର୍ମାର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଗୋଟିଏ କିଡ୍ନୀ ନଥିବା ଜଣାପଡିଥିଲା । ସେହିପରି ଦାଦନ ଖଟିବାକୁ ବିଜୟୱାଡା ଯାଇଥିବା ସମୁରୁଙ୍କ ସାନ ପୁଅ କସାର ବର୍ଷେ ହେବ କୌଣସି ସନ୍ଧାନ ମିଳୁନାହିଁ । ଏନେଇ ସ୍ଥାନୀୟ ପ୍ରଶାସନକୁ ଜଣାଇଲେ ମଧ୍ୟ କିଛି ଲାଭ ହେଉନଥିବା ସମୁରୁ ଅଭିଯୋଗ କରିଛନ୍ତି ।
ମାଲକାନଗିରି ଜିଲ୍ଲାରେ ଗତ ୨୩ ତାରିଖରେ ଜଣେ ଦାଦନ ଶ୍ରମିକଙ୍କ ଏକ ହୃଦୟବିଦାରକ ମୃତୁ୍ୟ ସାରା ରାଜ୍ୟରେ ଚର୍ଚ୍ଚାର କାରଣ ପାଲଟିଥିଲା । ଆନ୍ଧ୍ର ପ୍ରଦେଶ ଯାଇ ରୋଗାକ୍ରାନ୍ତ ହେବା ପରେ ମେଡିକାଲରେ ଭର୍ତ୍ତି ହୋଇଥିବା ମାଥିଲି ଥାନା ସିନ୍ଦାବେଡା ଗାଁର ଡମ୍ବରୁ ମାଢୀକୁ ଆମ୍ବୁଲାନ୍ସ ଆଣି ଏକ ଗଛମୂଳରେ ପକାଇଦେଇ ଯାଇଥିଲା । ସେଠାରେ ଦୀର୍ଘ ୧୨ ଘଣ୍ଟା ପଡି ପଡି ଶେଷରେ ଡମ୍ବରୁ ଆଖି ବୁଜିଥିଲେ । ସ୍ଥାନୀୟ ପ୍ରଶାସନ ତାଙ୍କ ପାଖରେ ପହଞ୍ଚôନଥିବା ବେଳେ ପୁଅଝିଅ ମଧ୍ୟ ରଖିବାକୁ ଚାହିଁନଥିଲେ । ଶେଷରେ ଜଣେ ସମ୍ପର୍କୀୟ ମାମୁଁ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ ।




Powered by odothemes.com