Chief-Minister-Shri-Naveen-Patnaik-laying-foundation-stone-of-development-of-Fourteen-Number-of-Water-Bodies-at-Laxmisagar

ବିଭିନ୍ନ ପ୍ରକଳ୍ପର ଭିିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

29

ଭୁବନେଶ୍ୱର,(ବୁ୍ୟରୋ): ଶନିବାର ଭୁବନେଶ୍ୱର ମହାନଗର ନିଗମ ଓ ଏହାର ଆଖପାଖ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୦କୋଟି ୫୦ଲକ୍ଷ ଟଙ୍କାର ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସ୍ଥାନୀୟ ୟୁନିଟ୍-୪ ଓ ଘାଟିକିଆରେ ଯଥାକ୍ରମେ ନିର୍ମାଣ ହେବାକୁ ଥିବା ଅତ୍ୟାଧୁନିକ ଆମିଷ ବଜାରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ୨ବଜାରରେ ଯଥାକ୍ରମେ ୧୮ ଓ ୧୨ଟି ମାଂସ ପ୍ରସ୍ତୁତି ଓ ବିକ୍ରୟ କେନ୍ଦ୍ର ସ୍ଥାପନ କରାଯାଇ ଦୈନିକ ପ୍ରାୟ ୨୦ ହଜାର ଗ୍ରାହକଙ୍କୁ ଉନ୍ନତମାନର ମାଂସ ଯୋଗାଇ ଦେବାକୁ ଲକ୍ଷ ରଖାଯାଇଛି । ସେହିପରି ଶିଶୁପାଳଗଡ ଗଙ୍ଗୋତ୍ରିନଗରରେ ମୁଖ୍ୟମନ୍ତ୍ରୀ ୮କୋଟି ୪୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା କଂକ୍ରିଟ୍ ରାସ୍ତା ଓ ଡ୍ରେନ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାଦ୍ୱାରା ୩୦ହଜାର ଲୋକେ୍ ଉପକୃତ ହେବେ । ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ମନ୍ଦିର ନିକଟରେ ୧୪ଟି ଜଳାଶୟର ପ୍ରସ୍ତାବିତ ପୁନରୁଦ୍ଧାର କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ୨୭କୋଟି ୯ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏଥିସହିତ ଇଟିପୁର ପଞ୍ଚାୟତର ଇଟିପୁର ଦୟାନଦୀ ଉପରେ ଧଉଳି-ସୁନ୍ଦରପଦା ବାଇପାଶ ରାସ୍ତାରେ ନୂଆ ହାଇଲେବଲ ବ୍ରିଜ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିପାଇଁ ୧୬କୋଟି ୬ଲକ୍ଷ ବ୍ୟୟ କରାଯିବ । ପୋଖରୀପୁଟରେ ୧୫ କୋଟି ୧୭ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସହରାଞ୍ଚଳ ଛାତ୍ରୀ ନିବାସ ‘ଆକାଂକ୍ଷା’ର ଶୁଭ ଉଦ୍ଘାଟନ ମୁଖ୍ୟମନ୍ତ୍ରୀ କରିଛନ୍ତି । ଆଦିବାସୀ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା କହିଛନ୍ତି, ଏହି ଛାତ୍ରୀ ନିବାସରେ ୫୦୦ଅନୁସୂଚିତ ଜାନଜାତି ଓ ଅନୁସୂଚିତ ଜାତିର ଝିଅଙ୍କ ରହିବାର ସୁବିଧା କରାଯାଇଛି । ୮୦ପ୍ରତିଶତ ଏସ୍ଟି ଓ ୨୦ପ୍ରତିଶତ ଏସ୍ସି ଛାତ୍ରୀ ଏଠାରେ ରହିବେ । ମାଟି୍ରକ୍ ପାଶ କରିବା ପରେ ଆଦିବାସୀ ଛାତ୍ରୀମାନେ ଯୁକ୍ତ ଦୁଇରୁ ବୈଷୟିକ ଶିକ୍ଷା ସମାପ୍ତ ଯାଏଁ ଏଠାରେ ରହି ପାଠ ପଢ଼ିପାରିବେ । ସେହିପରି ଆଦିବାସୀ ଛାତ୍ରମାନଙ୍କ ପାଇଁ ମଧ୍ୟ କଳିଙ୍ଗ ବିହାରରେ ଅନୁରୂପ ବ୍ୟବସ୍ଥା କରାଯାଇଛି । ଦୁଇମାସ ଭିତରେ ଏହି ଛାତ୍ରନିବାସର ଉଦ୍ଘାଟନ କରାଯିବ । ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି, ୟୁନିଟ୍-୪ ଓ ଘାଟିକିଆରେ ଅତ୍ୟାଧୁନିକ ଆମିଷ ବଜାରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏଥିପାଇଁ ପ୍ରାୟ ୪କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହା ସହିତ ଏବେ ଜଳାଶୟଗୁଡିକ ମଧ୍ୟ ପୁନରୁଦ୍ଧାର କରାଯାଉଛି । ନୂଆପଲ୍ଲୀ, ଜାଗମରା, ପଟିଆ, ଚକେଇସିଆଣି ଓ ପାହାଳ ଅଞ୍ଚଳରେ ଥିବା ୧୨ଟି ପୋଖରୀକୁ ପୁନରୁଦ୍ଧାର କରାଯିବ । ଏଥିପାଇଁ ୨୪କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଆମେ ୨ଟି ଲେକ୍ ଜୋନ୍ ତିଆରି କରିବାକୁ ଯାଉଛୁ । ଗୋଟିଏ ଚିନ୍ତାମଣିଶ୍ୱରରେ ଓ ଅନ୍ୟଟି କପିଳଶ୍ୱର ଏବଂ ସୁନ୍ଦରପଦା ମଧ୍ୟରେ କରାଯିବ । ଚିନ୍ତାମଣିଶ୍ୱର ଲେକ୍ ଜୋନ ପାଇଁ ୬କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ କପିଳେଶ୍ୱର ଲେକ୍ ଜୋନ ପାଇଁ ସାଢ଼େ ୫କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଲେକ୍ ଜୋନରେ ସବୁଜ ବଳୟ ସୃଷ୍ଟି କରାଯିବ । ଛୋଟ ପିଲାମାନଙ୍କ ପାଇଁ ଖେଳିବାର ବ୍ୟବସ୍ଥା କରାଯିବ । ତା’ସହିତ ଲୋକମାନଙ୍କ ପାଇଁ ଜିମ୍, ବୋଟିଂର ମଧ୍ୟ ବ୍ୟବସ୍ଥା କରାଯିବ । ଦୂଷିତ ପାଣି ଯିବା ପାଇଁ ସ୍ୱତନ୍ତ୍ର ଡ୍ରେନ୍ କରାଯିବ ।

ସେଆର କରନ୍ତୁ:



Powered by odothemes.com