chiefsec_140316AA-(1)-1

କୃଷିର ଅଭିବୃଦ୍ଧି ଦାରିଦ୍ର୍ୟ ହ୍ରାସର ପରିପୂରକ

46

ଭୁବନେଶ୍ୱର (ବୁ୍ୟରୋ): ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତୃତା ମାଳାର ୨ୟ ସୋମବାର ସଚିବାଳୟ ସଭା ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷିବିତ୍ ପଦ୍ମଶ୍ରୀ ଡଃ ଅଶୋକ ଗୁଲାଟି ବିକାଶ ପ୍ରକ୍ରିୟାରେ କୃଷିର ନିର୍ଣ୍ଣାୟକ ଭୂମିକା ଉପରେ ଏକ ବୈଜ୍ଞାନିକ ଅନୁଶୀଳନ ଉପସ୍ଥାପନ କରିଥିଲେ । କୃଷିର ଅଭିବୃଦ୍ଧି ଦାରିଦ୍ର୍ୟ ହ୍ରାସର ପରିପୂରକ ବୋଲି ଡଃ ଗୁଲାଟି ମତବ୍ୟକ୍ତ କରିବା ସହ ଭାରତରେ ୧୯୯୩ରୁ ୨୦୧୪-୧୫ ମସିହା ମଧ୍ୟରେ ଏହାର ପ୍ରତିଫଳନର ବାସ୍ତବ ଉଦାହରଣ ଦେଇଥିଲେ । ଅର୍ଥନୈତିକ ଅଭିବୃଦ୍ଧି ଯୋଜନାକୁ କୃଷିଭିତ୍ତିକ କରାଗଲେ ବିକାଶ ହାର ନିରବଚ୍ଛିନ୍ନ ହୋଇପାରିବ ବୋଲି ଡଃ ଗୁଲାଟି କହିଥିଲେ । ବିକାଶ ପ୍ରକ୍ରିୟାକୁ ଏକ “ପିରାମିଡ୍’ ସହ ତୁଳନା କରି ଏହାର ଭୂଭାଗରେ କୃଷି, ମଧ୍ୟଭାଗରେ ଶିଳ୍ପ ଏବଂ ଅଗ୍ରଭାଗରେ ସେବା କ୍ଷେତ୍ରକୁ ଅବସ୍ଥାପିତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ, ଅସମୟ ବୃଷ୍ଟିପାତ ଓ ଅସନ୍ତୁଳିତ ପାଣିପାଗ ଓଡ଼ିଶା କୃଷି ବିକାଶରେ ବାଧକ ବୋଲି ଡଃ ଗୁଲାଟି ମତ ଦେଇଥିଲେ । ଓଡ଼ିଶାରେ କୃଷିର ବିକାଶ ହାରକୁ ଜାତୀୟ ସ୍ତର ସହ ସମାନ କରିବା ନିମନ୍ତେ ଜଳସେଚନ, ଗ୍ରାମାଞ୍ଚଳ ରାସ୍ତା, କୃଷି ପାଇଁ ଅଧିକ ବିଦୁ୍ୟତ୍ ଯୋଗାଣ ଏବଂ ଉପଯୋଗିତା- ଶୃଙ୍ଖଳା (ଭେଲୁ୍ୟ-ଜେନ୍) ଆଦି ଭିତ୍ତିଭୂମିର ବିକାଶ କରିବା ପାଇଁ ପରାମର୍ଶ ଦେଇଥିଲେ । କୃଷି ଉତ୍ପାଦନ ବୃଦ୍ଧି ସହ କୃଷି ବିପଣନକୁ ବ୍ୟାପକ କଲେ କୃଷକର ଆୟ ବଢ଼ିବ ଏବଂ ଦାରିଦ୍ର୍ୟ ହାର ହ୍ରାସ ପାଇବ । ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଲାଲ୍ ବିହାରୀ ହିମିରିକା, ଯୋଜନା ଓ ସଂଯୋଜନା ବିଭାଗ ମନ୍ତ୍ରୀ ଉଷାଦେବୀ, ଅର୍ଥ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ପଞ୍ଚାୟତିରାଜ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଶାସନ ସଚିବମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉନ୍ନୟନ କମିଶନର ଆର୍ ବାଲାକ୍ରିଷ୍ଣନ୍ ପ୍ରାରମ୍ଭରେ ଡଃ ଗୁଲାଟିଙ୍କର ପରିଚୟ ଦେବା ସହ ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତୃତା ମାଳାର ଉଦେ୍ଦଶ୍ୟ ବିଷୟରେ ଆଲୋକପାତ କରିଥିଲେ । ବକ୍ତୃତା ଶେଷରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବାଲାକ୍ରିଷ୍ଣନ୍ କହିଥିଲେ ଯେ ଏହି ବକ୍ତୃତାମାଳାକୁ ଏକ ଆନୁଷ୍ଠାନିକ ବ୍ୟବସ୍ଥାରେ ପରିଣତ କରାଯିବ । ଏହା ମାଧ୍ୟମରେ ରାଜ୍ୟର ଯୋଜନା ପ୍ରଣୟନ ଏବଂ କାର୍ଯ୍ୟାନ୍ୱୟନ ପାଇଁ ନୂତନ ଜ୍ଞାନ ଓ ବ୍ୟବହାରିକ ପଦ୍ଧତି ମିଳିପାରିବ । ବିଭିନ୍ନ ଗବେଷଣା ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ନାବାର୍ଡ଼, ରିଜର୍ଭ ବ୍ୟାଙ୍କ୍ ଓ ଷ୍ଟେଟ୍ ବ୍ୟାଙ୍କ ଆଦିର ବରିଷ୍ଠ ବିଶେଷଜ୍ଞ ଓ ଅଧିକାରୀମାନେ ବକ୍ତୃତାମାଳାରେ ଯୋଗ ଦେଇଥିଲେ । ଏହି ବକ୍ତୃତାମାଳାର ଲୋକପ୍ରିୟତା ବଢ଼ୁଥିବାରୁ ଏହାକୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସମସ୍ତ ଜିଲ୍ଲା ଏବଂ ସଚିବାଳୟ ରାଜସ୍ୱ ବିକାଶ ସମ୍ମିଳନୀ କକ୍ଷକୁ ସଂପ୍ରସାରଣ କରାଯାଇଥିଲା । ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀମାନେ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବକ୍ତୃତା ଶେଷରେ କୃଷିମନ୍ତ୍ରୀ ଶ୍ରୀ ମହାରଥୀ ଡଃ ଗୁଲାଟିଙ୍କୁ ଏକ ଓଡ଼ିଶା ସ୍ମାରକୀ ଉପହାର ଦେଇ ସମ୍ମାନିତ କରିଥିଲେ ।

ସେଆର କରନ୍ତୁ:



Powered by odothemes.com