ମାଲକାନଗିରି: ୧୯ ନକ୍ସଲଙ୍କ ଆତ୍ମସମର୍ପଣ

mao-supporters

ମାଲକାନଗିରି, ୧୨ ।୩(ଆପ୍ର): ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଖଟୁଆପଦର ଗାଁର ୧୯ ଜଣ ନକ୍ସଲ ସମର୍ଥକ ଆଜି ଆତ୍ମସମର୍ପଣ କରିଛନ୍ତି । ସେମାନେ ମାଲକାନଗିରି ଏସ୍ଡିପିଓ ମାଡକର ସନ୍ଦୀପ ସମ୍ପଦଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ଏହି ୧୯ ଜଣଙ୍କ ମଧ୍ୟରେ ଅଛନ୍ତି ୫ ଜଣ ମିଲିସିଆ, ୩ ଜଣ ଗ୍ରାମ୍ୟ କମିଟି ସଦସ୍ୟ ଓ ୨ ଜଣ ଜନନାଟ୍ୟମଣ୍ଡଳୀ ସଦସ୍ୟ । ଏମାନେ ସମସ୍ତେ ଦରଭା ଡିଭିଜନ୍ ନକ୍ସଲ ସଂଗଠନର ସଦସ୍ୟ ଥିଲେ । ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଥିଲା । ଏସ୍ଡିପିଓ କହିଛନ୍ତି, “ସମାଜର ମୁଖ୍ୟସ୍ରୋତକୁ ଫେରି ଆସିଥିବା ଏହି ୧୯ ଜଣ ନକ୍ସଲ ସମର୍ଥକଙ୍କୁ ଆମେ ସ୍ୱାଗତ କରୁଛୁ । ଏମାନଙ୍କୁ ଓଡିଶା ସରକାରଙ୍କ ଆତ୍ମସମର୍ପଣ ଓ ଥଇଥାନ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ।” ଏହାସହିତ ଖଟୁଆପଦର ଆଖପାଖ ଗାଁରେ ରହିଥିବା ନକ୍ସଲ ସମର୍ଥକମାନଙ୍କୁ ହିଂସାର ପଥ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଏସ୍ଡିପିଓ ଶ୍ରୀ ସମ୍ପଦ ଆହ୍ୱାନ ଦେଇଛନ୍ତି । ସୂଚନାଯୋଗ୍ୟ, ଶୁକ୍ରବାର ୧୯ ନକ୍ସଲ ସମର୍ଥକ ମାଲକାନଗିରି ଏସ୍ପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ସେହିପରି ସୁନ୍ଦରଗଡ ଜିଲ୍ଲା ବଣାଇ ଅତିରିକ୍ତ ଏସ୍ପିଙ୍କ ନିକଟରେ ସୁଶାନ୍ତି ଓରଫ ମୁଲି ମୁଣ୍ଡା ନାମକ ଜଣେ ମହିଳା କ୍ୟାଡର ନକ୍ସଲ ଆତ୍ମସମର୍ପଣ କରିଥିଲା । ଏହା ପୂର୍ବରୁ ମାର୍ଚ୍ଚ ୫ରେ ମାଲକାନଗିରି ଏସ୍ପିଙ୍କ ନିକଟରେ ୧୪୦ରୁ ଅଧିକ ନକ୍ସଲ ସମର୍ଥକ ଆତ୍ମସମର୍ପଣ କରିଥିଲେ । ଏମାନେ ସମସ୍ତେ ପୁଜାରୀପୁଟ, ଟେ ମୁରୁପାଲି ଓ କୁକୁରକୁଣ୍ଡ ଗାଁର ଥିଲେ । ଏମାନଙ୍କ ଆତ୍ମସମର୍ପଣ ନକ୍ସଲଙ୍କ ଦରଭା ଡିଭିଜନଙ୍କୁ ଏକ ବଡ ଧକ୍କା ବୋଲି କୁହାଯାଉଛି । ଗତ ୪ ମାସ ମଧ୍ୟରେ ପୁଲିସ୍ ନିକଟରେ କାଲିମେଳା ଅଞ୍ଚଳରୁ ହଜାରେରୁ ଅଧିକ ନକ୍ସଲ ସମର୍ଥକ ଆତ୍ମସମର୍ପଣ କରିସାରିଲେଣି ।