କେନ୍ଦ୍ର ଅର୍ଥକୁ ଅପେକ୍ଷା ନକରି ଜିଲ୍ଲା ପରିଷଦ-ଡ଼ିଆର୍ଡ଼ିଏ ମିଶ୍ରଣ ପ୍ରକିୟା

dsc-(1)

ଭୁବନେଶ୍ୱର(ବୁ୍ୟରୋ): ଡ଼ିଆରଡ଼ିଏଗୁଡ଼ିକୁ ଜିଲ୍ଳା ପରିଷଦରେ ମିଶ୍ରଣ କରାଯିବ । ତେବେ ଏଥିପାଇଁ ଆବଶ୍ୟକ ଅର୍ଥ ବ୍ୟବସ୍ଥା କେନ୍ଦ୍ର ସରକାର କରିବା କଥା । ମାତ୍ର ରାଜ୍ୟ ଏଥିଲାଗି କେନ୍ଦ୍ର ଉପରେ ନିର୍ଭର ନକରି ରାଜ୍ୟ ବଜେଟ୍ରେ ଅର୍ଥ ବରାଦ କରାଯିବ ବୋଲି ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଜନତା ମଇଦାନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ, ଗରିବ ଓ ନିଃସହାୟ ଲୋକଙ୍କୁ ସେମାନଙ୍କ ହକ୍‌ଦେବା ପଞ୍ଚାୟତ ପ୍ରତିନିଧିଙ୍କ ପ୍ରଥମ ଦାୟିତ୍ୱ ହେବା ଉଚିତ୍‌ । ପଞ୍ଚାୟତକୁ ଶକ୍ତିଶାଳୀ କରିବା ଏବଂ ଲୋକଙ୍କ ହାତକୁ କ୍ଷମତା ଦେବା ବିଜୁବାବୁଙ୍କ ସବୁଠୁ ବଡ ସଫଳତା ଥିଲା । ପଞ୍ଚାୟତ ଜରିଆରେ ମହିଳାଙ୍କ ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ସହିତ ଆଦିବାସୀ, ଦଳିତ ଏବଂ ଗରିବ ଲୋକଙ୍କୁ ବିଜୁବାବୁ ବିକାଶ ସହ ଯୋଡି ପାରିଥିଲେ । ଖାଦ୍ୟ ସୁରକ୍ଷାଠୁ ଆରମ୍ଭ କରି ପକ୍କାଘର, ପେନସନ ଇତ୍ୟାଦି ହେଉଛି ଗରିବ ଲୋକଙ୍କ ହକ୍‌ । ଏସବୁ ସରକାରୀ ସୁବିଧା ସେମାନେ ଯେପରି ସମ୍ମାନର ସହ ପାଇପାରିବେ ସେଥିପାଇଁ ପଞ୍ଚାୟତ ପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିପରି ପଞ୍ଚାୟତ ଜରିଆରେ ହେଉଥିବା କାର୍ଯ୍ୟର ମାନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବାସହିତ ପଞ୍ଚାୟତମାନେ ଅଧିକ ପାଣ୍ଠି ଓ ଦାୟିତ୍ୱ ନେଇ ବିକାଶ ପାଇଁ ପ୍ରତିଯୋଗିତା କରିବାକୁ ସେ ଆହ୍ୱାନ ଦେଇଥିଲେ । ସେ କହିଥିଲେ, ରାଜ୍ୟ ଓ କେନ୍ଦ୍ର ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ଆଗାମୀ ଦିନରେ ପଞ୍ଚାୟତଗୁଡିକ ୧୬ ହଜାର କୋଟି ଟଙ୍କା ବିକାଶର କାର୍ଯ୍ୟ ପାଇଁ ପାଇପାରିବ । ଫଳରେ ପ୍ରତି ପଞ୍ଚାୟତ ୨୦ରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ପାଇପାରିବେ । ପଞ୍ଚାୟତକୁ ରାଜନୀତିର କେନ୍ଦ୍ର ନକରି ବିକାଶର ଏକ ମଡେଲ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୦୦ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, ୧୦୦ଟି ପିଇବା ପାଣି ପ୍ରକଳ୍ପ ଏବଂ ୧୦୦ଟି କଂକ୍ରିଟ ଧାନ ଖଳା ରାଜ୍ୟବାସୀଙ୍କ ଉଦେ୍ଦଶ୍ୟରେ ଅର୍ପଣ କରିଥିଲେ । ସେହିପରି ଗରିବ ଭୂମିହୀନକୁ ଘରଡିହ ଦେବା ପାଇଁ ୫୦ ହଜାର ପଟ୍ଟା ଏବଂ ଧାନ ସଂଗ୍ରହ ଅଞ୍ଚଳଗୁଡିକୁ ୫ହଜାର ପଞ୍ଚାୟତକୁ ନିୟମିତ ବଜାର କମିଟିର ଲାଭାଂଶ ବାବଦ ୫୦ କୋଟି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିସହିତ ଉକ୍ରଳ ପ୍ରସଙ୍ଗର ସ୍ୱତନ୍ତ୍ର ସଂଖ୍ୟା, ପଞ୍ଚାୟତ ଡାଏରୀ ଓ ପଞ୍ଚାୟତ ସମାଚାରର ଉନ୍ମୋଚନ କରିବା ସହିତ ମୁଖ୍ୟମନ୍ତ୍ରୀ ପଞ୍ଚାୟତିରାଜ ହାଉସିଂ ପୋର୍ଟାଲକୁ ଲୋକାର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ଆଇନ୍ମନ୍ତ୍ରୀ ଡ. ଅରୁଣ ସାହୁ ସଭାପତିତ୍ୱ କରି କହିଲେ, ଜୀବନ ଥିଲେ ମୃତୁ୍ୟ ଆସେ । ଏହା ଏକ ସାବଲୀଳ ପ୍ରକ୍ରିୟା । ମାତ୍ର, ସମାଜରେ ଏମିତି କିଛି ମଣିଷ ଅଛନ୍ତି ଯେଉଁମାନଙ୍କ ମୃତୁ୍ୟ ପରେ ଜୀବନ ଆରମ୍ଭ ହୋଇଥାଏ । ସେମିତି ଏକ ମଣିଷ ବିଜୁ ବାବୁ ଥିଲେ ବୋଲି ସେ କହିଥିଲେ । ଡ. ସାହୁ କହିଲେ, ରାଜ୍ୟର ୮୩% ଲୋକେ ଗ୍ରାମାଞ୍ଚଳରେ ବସବାସ କରନ୍ତି । ସେମାନଙ୍କର ବିକାଶରେ ରାଜ୍ୟର ବିକାଶ ହୋଇପାରିବ । ସବୁବର୍ଗର ଲୋକମାନଙ୍କୁ ପକ୍କାଘର ଯୋଗାଇବା ହେଉଛି ସରକାରଙ୍କ ଉଦେ୍ଦଶ୍ୟ । ପଞ୍ଚାୟତ ପ୍ରତିନିଧିମାନଙ୍କ ପାରିତୋଷକକୁ ୨୫% ବୃଦ୍ଧି କରାଗଲା ବୋଲି ଡ଼ଃ ସାହୁ ଘୋଷଣା କରିଥିଲେ । ଏଥି ଯୋଗୁ ରାଜ୍ୟ ଉପରେ ବାର୍ଷିକ ୧୨ କୋଟି ୬୩ ଲକ୍ଷ ଟଙ୍କା ଅଧିକ ଆର୍ଥିକ ବୋଝ ପଡିବ ବୋଲି ସେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିପର୍ଯ୍ୟୟ ଓ ପ୍ରଶମନ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସମେତ ଅନ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ । ବିଭାଗୀୟ ସଚିବ ଦେଓ ରଞ୍ଜନ ସିଂ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିଶନର ଆର୍. ବାଲ୍କ୍ରିଷ୍ଣନ୍ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ରାଜ୍ୟର ସମସ୍ତ ପଞ୍ଚାୟତରୁ ନିର୍ବାଚିତ ପ୍ରତିନଧିମାନେ ଏହି ସମାବେଶରେ ଯୋଗ ଦେଇଥିଲେ ।