SWACH-BHARAT-Anugul

ବ୍ୟବହାର ନୁହେଁ, ଲାଭ ପାଇଁ ପାଇଖାନା ନିର୍ମାଣ

21

ସ୍ୱଚ୍ଛ ଭାରତ ମିଶନ ବାଟବଣା
ଅନୁଗୁଳ, ୩ା୩(ଆପ୍ର): ଜିଲ୍ଲାରେ ସ୍ୱଚ୍ଛ ଭାରତ ମିଶନ(ଗ୍ରାମୀଣ) ସମ୍ପୂର୍ଣ୍ଣ ଦିଗହରା ହୋଇପଡିଛି । ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଲୋକଙ୍କ ସୁବିଧା ପାଇଁ ବ୍ଲକ୍ ପ୍ରଶାସନ ପକ୍ଷରୁ ଠିକାଦାରଙ୍କ ସହାୟତାରେ ପାଇଖାନା ନିର୍ମାଣ କରାଯାଇଥିଲା । କିନ୍ତୁ ନିର୍ମିତ ପାଇଖାନା ଠାରୁ ଦୀର୍ଘ ରାସ୍ତା ଯାଏଁ କୌଣସି ଘରଦ୍ୱାର ନଥିବା ସହ ଜଳଉତ୍ସର ସମ୍ଭାବନା ମଧ୍ୟ ନାହିଁ । କିଛି ହିତାଧିକାରୀ ନିର୍ମାଣରତ ପାଇଖାନା ଜମିରେ ମାଟି ପକାଇ ପୋତି ଦେଇଥିବାରୁ ପାଇଖାନାଟି ମାତ୍ର ୩ ଫୁଟ୍ ଦେଖାଦେଉଛି । ଫଳରେ ଏହାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚô ପାରୁନଥିବା ବେଳେ ସ୍ଥାନୀୟ ପ୍ରଶାସନ ନିଘୋଡ ନିଦରେ ଶୋଇଥିବା ଜଣାଯାଇଛି । ଉଲ୍ଲେଖଯୋଗ୍ୟ, ଅନୁଗୁଳ ବ୍ଲକ୍ର କିଛି ଗ୍ରାମବାସୀଙ୍କ ଘର ନିକଟରେ ପାଇଖାନା ନିମନ୍ତେ ଜାଗା ନଥିବାରୁ ଘରଠାରୁ ପ୍ରାୟ ୧ରୁ ୨ କି.ମି. ଦୂରରେ ଥିବା ଚାଷ ଜମିରେ ପାଇଖାନା ନିର୍ମାଣ ହୋଇଛି । ମାତ୍ର ସେହି ହିତାଧିକାରୀଙ୍କ ଘର ନିକଟରେ ଜଳଉତ୍ସ ତଥା ନଦୀ, ନାଳ ପୋଖରୀ ଆଦି ଥିବାରୁ ଲୋକମାନେ ପାଇଖାନା ଥାଇ ବି ଖୋଲାରେ ମଳତ୍ୟାଗ କରୁଛନ୍ତି । ବନ୍ତଳାରୁ ମହିଧରପୁର ରାସ୍ତାରେ ଏଭଳି ଅନେକ ପାଇଖାନା ଦେଖିବାକୁ ମିଳୁଛି । ପାଇଖାନା ନିର୍ମାଣ ସ୍ଥଳୀଠାରୁ ଦୀର୍ଘ ବାଟ ଯାଏଁ କୌଣସି ଘର ଦ୍ୱାର ଦେଖାଯାଉନାହିଁ । ବ୍ଲକ୍୍ର ପ୍ରତି ଗ୍ରାମରେ ସମାବସ୍ଥା । ସେହିଭଳି ଅନୁଗୁଳ ବଉଳିଗଡ଼ ରାସ୍ତାର ନିକଟରେ କାଙ୍ଗୁଲା ଗ୍ରାମରେ ମଧ୍ୟ ଏକ ପାଇଖାନା ନିର୍ମାଣ ହୋଇଥିବା ଜମିକୁ ଜମି ମାଲିକ ପୋତି ଦେଇଥିବାରୁ ତାହା ଦୃଶ୍ୟମାନ ହେଉନାହିଁ । ତେଣୁ ଏଭଳି ପାଇଖାନା ଗୃହକର୍ତ୍ତା ବ୍ୟବହାର କରୁଥିବା ଆଦୌ ସମ୍ଭବ ନୁହେଁ ବାଲି ଅନୁମାନ କରାଯାଇପାରେ । ବହୁଲୋକଙ୍କ ଉନ୍ନତମାନର ପାଇଖାନା ଥିଲେ ବି ସରପଞ୍ଚ, ଠିକାଦାର ଓ ବିଭାଗୀୟ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ହିତାଧିକାରୀଙ୍କ ଆବଶ୍ୟକତା ନଥାଇ ପାଇଖାନା ନିର୍ମାଣ ହୋଇଛି । ଜିଲ୍ଲାପାଳ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି । ସୂଚନାଯୋଗ୍ୟ, ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ସଚିନ୍ ରାମଚନ୍ଦ୍ର ଯାଦବଙ୍କ ପ୍ରୋତ୍ସାହନରେ ଅନୁଗୁଳ ବ୍ଲକ୍ରେ ପାଇଖାନା ତିଆରି ହୋଇଥିଲା । କିନ୍ତୁ ଠିକାଦାର, ସରପଞ୍ଚ ଓ ବିଭାଗୀୟ କର୍ମଚାରୀଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ମନଇଚ୍ଛା ପାଇଖାନା ତିଆରି କରି ନିଜର ଟାର୍ଗେଟ୍ ପୂରଣ କରିଥିଲେ । ତେଣେ ହିତାଧିକାରୀ ପାଇଖାନା ବ୍ୟବହାର କରୁନ୍ତୁ କି’ ନାହିଁ କାହାର ନିଘା ନାହିଁ ।




Powered by odothemes.com