baripada-ST.FRANCIS-XAVIER-S-HAGH-SCHOOL-ra-chatra-chatri-parikhyaru-banchita-cuttack-chauliyaganj-thana-re-mamala-(1)

ସିବିଏସ୍ଇ ପରୀକ୍ଷାରୁ ୨ଠ ବିଦ୍ୟାର୍ଥୀ ବଞ୍ଚିତ

8

ବାରିପଦା/କଟକ, ୨ା୩(ଆପ୍ର): ବାରିପଦା ସହରର ପ୍ରଫୁଲ୍ଲ ନଗର ଅଞ୍ଚଳରେ ଗତ ୧୦ବର୍ଷ ଧରି ଚାଲିଥିବା ସେଣ୍ଟ ଫ୍ରାନସିସ୍ ଜାଭିୟର ହାଇସ୍କୁଲର ୨୦ଜଣ ଛାତ୍ରଛାତ୍ରୀ ବୁଧବାର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଦେବାରୁ ବଞ୍ଚିତ ହେବା ସହ ଠକେଇର ଶିକାର ହୋଇଥିବା ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଛି । ପୁଲିସ ହାଇସ୍କୁଲର ପ୍ରିନ୍ସିପାଲ ସଞ୍ଜୟ ସେନ ଓ ନିର୍ଦ୍ଧେଶିକା ଶ୍ରାବଣୀ ସେନଙ୍କୁ ବାରିପଦା ଟାଉନ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି । ଘଟଣାରୁ ପ୍ରକାଶଯେ, ସିବିଏସଇ କର୍ତ୍ତୃପକ୍ଷଙ୍କ ସ୍ୱୀକୃତି ପାଇଥିବା ଦର୍ଶାଇ ଏହି ହାଇସ୍କୁଲ ବେଆଇନ ଭାବେ ଗତ ୧୦ବର୍ଷ ଧରି ଚାଲି ଆସିଥିଲା । ଏହି ହାଇସ୍କୁଲର ୨୦ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ସିବିଏସଇ ବୋର୍ଡ ପରୀକ୍ଷା ଦେବା ଲାଗି ହାଇସ୍କୁଲର ପ୍ରିନ୍ସିପାଲ ସଞ୍ଜୟଙ୍କ ସହ ନିଜ ନିଜର ଅଭିଭାବକମାନଙ୍କୁ ସାଥିରେ ଧରି କଟକରେ ପରୀକ୍ଷା ଦେବାକୁ ଗତ ମଙ୍ଗଳବାର ପହଁଞ୍ଚିଥିଲେ । ବୁଧବାର ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ହାଇସ୍କୁଲର ପ୍ରିନ୍ସିପାଲ ପରୀକ୍ଷା ଆଡ୍ମିଟକାର୍ଡ ପ୍ରଦାନ କରିବାକୁ ବିଫଳ ହେବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଫଳରେ ସେମାନେ କଟକର ଚାଉଳିଆଗଞ୍ଜ ଥାନାକୁ ଯାଇ ଏ ସମ୍ପର୍କରେ ପ୍ରଥମେ ପୁଲିସକୁ ସୂଚନା ଦେଇଥିଲେ । ମାତ୍ର ଚାଉଳିଆଗଞ୍ଜ ପୁଲିସର ପରାମର୍ଶକ୍ରମେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ହାଇସ୍କୁଲର ପ୍ରିନ୍ସିପାଲଙ୍କୁ ସାଙ୍ଗରେ ଧରି ବାରିପଦା ଟାଉନ ଥାନାରେ ପହଁଞ୍ଚି ଘଟଣା ସମ୍ପର୍କରେ ଖବର ଦେଇଥିଲେ । ଉତ୍ତ୍ୟକ୍ତ ଅଭିଭାବକ ଓ ଲୋକେ ହାଇସ୍କୁଲର ପ୍ରିନ୍ସିପାଲ ସଞ୍ଜୟ ଓ ନିର୍ଦ୍ଧେଶିକା ଶ୍ରାବଣୀଙ୍କୁ ଥାନା ସାମ୍ନାରେ ନିସ୍ତୁକ ମାଡ ମାରିଥିବାର ଜଣାପଡିଛି । ପରେ ଉତ୍ତ୍ୟକ୍ତ ଅଭିଭାବକମାନଙ୍କ ପକ୍ଷରୁ ଥାନାରେ ୨୦ଟି ଏତଲା ଦାଏର ହୋଇଥିବା ପ୍ରକାଶ । ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ କବଳରୁ ପୁଲିସ୍ ହାଇସ୍କୁଲର ପ୍ରିନ୍ସିପାଲ ସଞ୍ଜୟ ଓ ନିର୍ଦ୍ଧେଶିକା ଶ୍ରାବଣୀଙ୍କୁ ଉଦ୍ଧାର କରି ଥାନା ଭିତରକୁ ନେଇଥିଲା । ଜଣାପଡିଛିଯେ, ଗତ ବର୍ଷକ ତଳେ ହାଇସ୍କୁଲ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କଠାରୁ ସିବିଏସଇ ରେଜିଷ୍ଟ୍ରେସନ ଫିସ୍ ବାବଦରେ ୬ହଜାର ଟଙ୍କା ଲେଖାଏଁ ଏବଂ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଲାଗି ବିପୁଳ ଅର୍ଥ ଆଦାୟ କରାଯାଇଥିଲା । କଟକର ଏକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷାକେନ୍ଦ୍ର ହୋଇଥିବାର ଧାରଣା ଦିଆଯାଇ ସେମାନଙ୍କୁ କଟକକୁ ନିଆଯାଇଥିଲା । ଏ ଘଟଣାରେ ପୋଲିସ୍ ଏକ ଠକେଇ ମାମଲା ରୁଜୁ କରିଛି । ବାରିପଦା ସହରରେ ଗତ କିଛିବର୍ଷ ମଧ୍ୟରେ ବହୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲାଯାଇ ଛାତ୍ରଛାତ୍ରୀମାନଙ୍କଠାରୁ ବିପୁଳ ଅର୍ଥ ଅସୁଲି ଚାଲିଥିବା ବେଳେ ଏସବୁ ବିଦ୍ୟାଳୟର ସ୍ଥିତି କ’ଣ ତାହା ଜଣାପଡିନାହିଁ । ଏପରିକି ଜିଲା ଶିକ୍ଷା ଅଧିକାରୀ ବେଆଇନ ଭାବେ ଚାଲିଥିବା ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡିକ ସମ୍ପର୍କରେ ଜାଣିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି । ଫଳରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଠକାମୀର ଅଯଥା ଶିକାର ହେବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ନାନା ଆଶଙ୍କା ସୃଷ୍ଟି ହେଲାଣି ।




Powered by odothemes.com