ଫଳକରେ ସୀମିତ ଖୋଲା ମଳମୁକ୍ତ | ସର୍ବସାଧାରଣ ଖବରକାଗଜ
MUKTA-SOUCHA-Anugul

ଫଳକରେ ସୀମିତ ଖୋଲା ମଳମୁକ୍ତ

32

ଅନୁଗୁଳ, ୨ା୩(ଆପ୍ର): ଅନୁଗୁଳ ବ୍ଲକ୍ର କୁମୁରିସିଂହା ଗ୍ରାମପଞ୍ଚାୟତ ପ୍ରଥମ ଖୋଲା ମଳମୁକ୍ତ ଗାଁ ଭାବେ ପୁରସ୍କାର ପାଇଥିବା ବେଳେ ଏବେ କିନ୍ତୁ ଏହାର ବାସ୍ତବ ଚିତ୍ର ଓଲଟା ଦେଖିବାକୁ ମିଳିଛି । ପଞ୍ଚାୟତର କେଉଁ ଘରେ ପାଇଖାନା ନିର୍ମାଣ ହୋଇଛି; ମାତ୍ର ପାଇଖାନା ଘରୁ ଟାଙ୍କିକୁ ସଂଯୋଗ ନାହିିଁ ତ’ ଅନ୍ୟ କେଉଁଠି ପାଇଖାନା ଘରକୁ ଲୋକମାନେ ଗୋଦାମ ଘର ଭଳି ବ୍ୟବହାର କରୁଥିବା ଜଣାଯାଇଛି । ଏଭଳି ଦୃଶ୍ୟ ପଞ୍ଚାୟତ କାର୍ଯ୍ୟାଳୟଠାରୁ ମାତ୍ର ୧୦୦ ମିଟର ମଧ୍ୟରେ ହେଉଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ଏହି ପୁରସ୍କାର ଗ୍ରହଣ କରିବା ପରେ ତତ୍କାଳିନ ଅନୁଗୁଳ ଜିଲ୍ଲାପାଳ ସଚ୍ଚିନ ରାମଚନ୍ଦ୍ର ଯାଦବ ଓ କୁମୁରିସିଂହା ଗ୍ରାମପଞ୍ଚାୟତର ସରପଞ୍ଚ ଦୁର୍ଯେ୍ୟାଧନ ସାହୁ ଖୁବ୍ ଖୁସି ପ୍ରକଟ କରିଥିଲେ । ସମସ୍ତ ଗଣମାଧ୍ୟମରେ ଏକଥା ପ୍ରଚାର ହେବା ପରେ ଜିଲ୍ଲାବାସୀଙ୍କ ମନରେ ମଧ୍ୟ ଆନନ୍ଦର ଲହରୀ ଖେଳିଯାଇଥିଲା । ତତ୍କାଳିନ ଜିଲ୍ଲାପାଳଙ୍କ ସୁପରିଶ କ୍ରମେ ସରପଞ୍ଚ ଶ୍ରୀ ସାହୁ ବାଂଲାଦେଶର ଢାକା ଯାଇ ସେଠାରେ ଅନୁଷ୍ଠିତ ସମ୍ମିଳନୀରେ ମଧ୍ୟ ଯୋଗ ଦେଇଥିଲେ । କିନ୍ତୁ ଗ୍ରାମପଞ୍ଚାୟତର ପ୍ରକୃତ ଚିତ୍ର ଓଲଟା କଥା କହୁଥିବା ଦେଖାଦେଇଛି ।
ଉଲ୍ଲେଖଯୋଗ୍ୟ, ଅନୁଗୁଳ କରତଡପଟା ରାସ୍ତା କଡ଼ରେ ଏଭଳି ଦୁଇଟି ପାଇଖାନା ସ୍ପଷ୍ଟ ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ନରେଶ ଚନ୍ଦ୍ର ସାହୁଙ୍କ ପାଇଖାନା, ଯାହା ୨୦୧୪-୧୫ ମସିହାରେ ନିର୍ମାଣ ହୋଇଛି । ମାତ୍ର ଆଜି ପର୍ଯ୍ୟନ୍ତ ପାଇଖାନା ପ୍ୟାନ୍ ନିକଟରୁ ମଳଖାତ (ଟାଙ୍କି) ପର୍ଯ୍ୟନ୍ତ ପାଇପ୍ ସଂଯୋଗ କରାଯାଇନାହିଁ । ସେହିପରି ଦ୍ୱିତୀୟଟି ଗ୍ରାମର ବିଦ୍ୟାଧର ସାହୁଙ୍କ ପାଇଖାନାରେ ନିଜେ ବିଦ୍ୟାଧର ଘରର ସମସ୍ତ ଅବ୍ୟବହୃତ ସାମଗ୍ରୀ ରଖି ଗୋଦାମ ଘର ଭାବେ ବ୍ୟବହାର କରୁଛନ୍ତି । ତେବେ ଦୁହିଁଙ୍କ ପରିବାର କେଉଁଠାରେ ମଳତ୍ୟାଗ କରୁଛନ୍ତି ତାହା ସାଧରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୁଖ୍ୟ ରାସ୍ତା କଡ଼ରେ ଓ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଅନତି ଦୂରରେ ଏହି ଦୁଇ ନିର୍ମିତ ପାଇଖାନା ସୂଚାଇ ଦେଉଛି ଯେ ଗ୍ରାମବାସୀ କିଭଳି ପାଇଖାନା ବ୍ୟବହାର କରୁଛନ୍ତି । କିଛି ଗ୍ରାମବାସୀଙ୍କୁ ଏ ସମ୍ପର୍କରେ ପଚରାଯାଇଥିବାରୁ ସେମାନେ କହିଥିଲେ ଯେ ଏସବୁ ଫଳକରେ ଚାଲିଥିବା ବେଳେ କାଗଜ ପତ୍ରରେ ପୁରସ୍କାର ମିଳିଛି; ପାଇଖାନା ବ୍ୟବହାର କଥା ପଚାରେ କିଏ? ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଗ୍ରାମରେ ଶତପ୍ରତିଶତ ପାଇଖାନା ବ୍ୟବହାର ହେଉନାହିଁ କିମ୍ବା ବ୍ୟବହାର ଯୋଗ୍ୟ ହୋଇନାହିଁ । ତେବେ ଏହି ଗ୍ରାମକୁ କିଏ ଓ କାହିଁକି ଏହି ପୁରସ୍କାର ପ୍ରଦାନ କଲେ? ତେଣୁ ବର୍ତ୍ତମାନର ଜିଲ୍ଲାପାଳ ଉଚ୍ଚସ୍ତରୀୟ ତଦନ୍ତ କରି ସତ୍ୟାସତ୍ୟ ପ୍ରକାଶ କରିବାକୁ ସାଧାରଣରେ ଦାବି ହୋଇଛି ।




Powered by odothemes.com