senoir-citigen

ପଞ୍ଜିକୃତ ହେବେ ସବୁ ବରିଷ୍ଠ ନାଗରିକ

39

ପୁରୀ,୧ା୩(ଆପ୍ର): ଜିଲ୍ଲାର ସମସ୍ତ ବରିଷ୍ଠ ନାଗରିକଙ୍କୁ ପୁଲିସ ପଞ୍ଜିକୃତ କରିବ । ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ସେମାନଙ୍କୁ ସୁରକ୍ଷା ସହାୟତା ଯୋଗାଇ ଦେବାକୁ ପୁରୀ ପୁଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ପୁରୀ ପୁଲିସ ଆରମ୍ଭ କରିଛି ସିନିୟର ସିଟିଜେନ୍ ସିକୁ୍ୟରିଟି ସେଲ୍ । ଏହି ସେଲ୍କୁ ମଙ୍ଗଳବାର ଏସ୍ପି ଆଶିଷ କୁମାର ସିଂ, ଅତିରିକ୍ତ ଏସ୍ପି ଜଗନ୍ନାଥ ପ୍ରଧାନ, ସିଟି ଡିଏସ୍ପି ପ୍ରଭାତ କୁମାର ରାଉତରାୟ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ କୁଳପତି ପ୍ରଫେସର ନୀଳକଣ୍ଠ ପତି ଉଦ୍ଘାଟନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ପୁରୀ ସହରର ୬ଟି ଥାନା ଅଞ୍ଚଳରେ ବାସ କରୁଥିବା ୫୦ଜଣ ବରିଷ୍ଠ ନାଗରିକଙ୍କୁ ପୁଲିସ ବିଭାଗ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ପର୍ଯ୍ୟାୟକ୍ରମେ ଅନ୍ୟ ବରିଷ୍ଠ ନାଗରିକମାନଙ୍କୁ ପରିଚୟପତ୍ର ପ୍ରଦାନ ସହ ସେମାନଙ୍କର ବିଭିନ୍ନ ସମସ୍ୟା ପ୍ରତି ପୁଲିସ ଦୃଷ୍ଟି ଦେଇ ସହାୟତା କରିବ । ଏହି ସେଲ୍କୁ ଜିଲ୍ଲା ହେଡକ୍ୱାର୍ଟରରେ ଡିସିଆରବି ମନିଟରିଂ କରିବ ବୋଲି ଏସ୍ପି ଶ୍ରୀ ସିଂ କହିଛନ୍ତି । ଏଥିପାଇଁ ପ୍ରତ୍ୟେକ ଥାନାରେ ଜଣେ ଲେଖାଏଁ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରତି ୧୫ଦିନ ବ୍ୟବଧାନରେ ବରିଷ୍ଠ ନାଗରିକମାନଙ୍କୁ ସମ୍ପୃକ୍ତ ନୋଡାଲ ଅଫିସରମାନେ ଭେଟି ସେମାନଙ୍କ ଭଲ ମନ୍ଦ ଓ ସୁରକ୍ଷା ଦାୟିତ୍ୱ ବୁଝିବ । ପୁରୀ ଜିଲ୍ଲାରେ ଥିବା ସମସ୍ତ ବରିଷ୍ଠ ନାଗରିକଙ୍କୁ ପଞ୍ଜିକୃତ କରାଯିବ ବୋଲି ଏସ୍ପି ଶ୍ରୀ ସିଂ ସୂଚନା ଦେଇଛନ୍ତି । ବରିଷ୍ଠ ନାଗରିକମାନଙ୍କ ପାଇଁ ପୁଲିସ ବିଭାଗ ବ୍ୟାଟେରୀ ଚାଳିତ ଅଟୋରିକ୍ସା ଯୋଗାଇଦେବ । ନିଶ୍ୱ ବରିଷ୍ଠ ନାଗରିକମାନେ ଚାହିଁଲେ ଏହି ଅଟୋରେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯିବା ସହ ଚିକିତ୍ସା ପାଇଁ ଚିକିତ୍ସାଳୟକୁ ଯାଇପାରିବେ । ପରିବାର ଠାରୁ ଅଲଗା ହୋଇ ରହୁଥିବା କିମ୍ବା ପରିବାର ସଦସ୍ୟ ଦୂରଦୂରାନ୍ତରେ ରହୁଥିବାରୁ ଏକାକୀ ରହୁଥିବା ବରିଷ୍ଠ ନାଗରିକମାନଙ୍କ ଯତ୍ନ ଓ ସମସ୍ୟା ନୋଡାଲ ଅଫିସରମାନେ ବୁଝି ତାଙ୍କୁ ସହାୟତା ଯୋଗାଇଦେବେ । ସେମାନେ ବରିଷ୍ଠ ନାଗରିକମାନଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଜିଲ୍ଲା ମୁଖ୍ୟାଳୟକୁ ଜଣାଇବେ । ଏଥିପାଇଁ ୬ଜଣ ନୋଡାଲ ଅଫିସରଙ୍କୁ ପୁଲିସ ବିଭାଗ ପକ୍ଷରୁ ଗୋଟିଏ ଲେଖାଏଁ ବାଇକ୍ ଯୋଗାଇ ଦିଆଯାଇଥିବା ଏସ୍ପି ଶ୍ରୀ ସିଂ କହିଛନ୍ତି ।




Powered by odothemes.com