bjd-legal-front-pakhyaru-prathama-rajya-stariya-samilani-at-baliyatra-padiya-(16)

ପ୍ରତି ପଞ୍ଚାୟତରେ ପ୍ରତିଷ୍ଠା ହେବ ମଧୁବାବୁ ଆଇନ ସହାୟତା କେନ୍ଦ୍ର: ମୁଖ୍ୟମନ୍ତ୍ରୀ

53

ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ସମ୍ମିଳନୀ ଉଦ୍ଘାଟିତ
କଟକ(ବୁ୍ୟରୋ): ଗ୍ରାମାଞ୍ଚଳରେ ନ୍ୟାୟରୁ ବଞ୍ଚିତ ହେଉଥିବା ଗରିବ ଓ ଅନୁନ୍ନତ ଶ୍ରେଣୀର ଲୋକମାନଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ଆସନ୍ତା ବର୍ଷରୁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଆଇନ ସହାୟତା କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏଗୁଡ଼ିକୁ ‘ମଧୁ ବାବୁ ଆଇନ ସହାୟତା କେନ୍ଦ୍ର’ ନାମରେ ନାମିତ କରାଯିବ । ବିଜୁ ଜନତା ଦଳ ଆଇନଜୀବୀ ସାମ୍ମୁଖର ରାଜ୍ୟ ସମ୍ମିଳନୀର ପ୍ରଥମ ସମାବେଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । କଟକ ବାଲିଯାତ୍ରା ପଡ଼ିଆରେ ପଞ୍ଚାୟତିରାଜ ଓ ଆଇନମନ୍ତ୍ରୀ ଡ. ଅରୁଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟରେ ଆଇନ ଶିକ୍ଷାର ମାନବୃଦ୍ଧି ପାଇଁ ଆଗାମୀ ଦିନରେ ଆଉ ଏକ ଆଇନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ରାଜ୍ୟର ସମସ୍ତ ଆଇନ ବିଦ୍ୟାଳୟର ବିକାଶ ସହିତ ଓଡ଼ିଶାରେ ଲ’ କମିଶନ ପ୍ରତିଷ୍ଠା ହେବ । ସରକାର ରାଜ୍ୟରେ ଆଇନ ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ଓ ନୂଆ କୋର୍ଟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଇନଜୀବୀ କଲ୍ୟାଣ ପାଣ୍ଠି ୩କୋଟି ଟଙ୍କାକୁ ବୃଦ୍ଧି କରାଯିବ । ଏହି ପାଣ୍ଠି ଆଇନଜୀବୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।
ଏହି ଅବସରରେ ଆଇନ୍ ମନ୍ତ୍ରୀ ଶ୍ରୀ ଅରୁଣ କୁମାର ସାହୁ କହିଲେ ଯେ ସାଧାରଣ ଜନତାଙ୍କୁ ଉଚିତ୍ ଆଇନ ସେବା ପ୍ରଦାନ କରିବା ‘ବିଜୁ ଜନତା ଦଳ ଆଇନଜୀବୀ ସାମ୍ମୁଖ୍ୟ’ର ମୂଳ ଉଦ୍ଧେଶ୍ୟ । ଗରିବ ଓ ଅନୁନ୍ନତ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ଦିଗରେ ଓକିଲମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମାନବିକ ଅଧିକାରର ସୁରକ୍ଷା ଓ ସାମ୍ବିଧାନିକ ଲକ୍ଷ୍ୟ ପୂରଣ ନିମନ୍ତେ ତୃଣମୂଳ ସ୍ତରରେ ଲୋକମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବା ପାଇଁ ନୂତନ ଆଇନଜୀବୀଙ୍କୁ ସେ ପରାମର୍ଶ ଦେଇଥିଲେ ।
ଉତ୍ସବରେ ସମ୍ମାନିତ ଅତିଥି ଭାବେ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା, ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, କ୍ରୀଡା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗ ଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ବିଧାୟକ ପ୍ରତାପ ଜେନା, ଚନ୍ଦ୍ର ସାରଥି ବେହେରା, ଆକାଶ ଦାସ ନାୟକ, ପ୍ରମୋଦ ମଲ୍ଲିକ, ରାସେଶ୍ୱରୀ ପାଣିଗ୍ରାହୀ, ସାଂସଦ ପିନାକୀ ମିଶ୍ର, ଧର୍ମେଶ ନାୟକ, ପୁଷ୍ପେନ୍ଦ୍ର ସିଂହ ଦେବ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟରୁ ପ୍ରାୟ ୧୦ ହଜାରରୁ ଊଦ୍ଧ୍ୱର୍ ଆଇନଜୀବୀ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ ବିଭୁଦେନ୍ଦ୍ର ମିଶ୍ର, ବାରିଷ୍ଠର ରଣଜିତ୍ ମହାନ୍ତି, ପ୍ରବୀର ପାଲିତ ଓ ବ୍ରହ୍ମାନନ୍ଦ ପଣ୍ଡାଙ୍କୁ ‘ଆଇଜୀବୀଙ୍କୁ ମରଣୋତ୍ତୋର’ ସମ୍ମାନରେ ମୁଖ୍ୟଅତିଥି ସମ୍ମାନିତ କରିଥିଲେ ।

ସେଆର କରନ୍ତୁ:



Powered by odothemes.com