brick

ଇଟାଭାଟିର ପଞ୍ଝାରେ ବନ୍ଦୀ ସବୁଜ ବନାନୀ

44

ବାରଙ୍ଗ (ଜଗନ୍ନାଥ ଭଞ୍ଜ): ଓଡ଼ିଶାର ଦୀର୍ଘତମ ନଦୀ ମହାନଦୀ । ଐତିହାସିକ ପୀଠ ନରାଜକୁ ସ୍ପର୍ଶ କରିବା ପରେ ସେ ଜନ୍ମ ଦେଇଛି ପୁଣ୍ୟତୋୟା କାଠଯୋଡ଼ିକୁ । ଅନତି ଦୂରରେ ପୁରୀ ମେନ୍ କେନାଲ । ଏଇ ଜଳଧାରାତ୍ରୟର ମଧ୍ୟବର୍ତ୍ତୀ ଅଞ୍ଚଳ ଦିନେ ଶସ୍ୟ ଶ୍ୟାମଳା ଥିଲା । ଏ ଅଞ୍ଚଳର ସବୁଜିମାକୁ ଆହୁରି ଖୋରାକ୍ ଯୋଗାଉଥିଲା ସେତେବେଳର ଜୟପୁର କେନାଲ । ସେଦିନ କିନ୍ତୁ ଆଜି ସ୍ୱପ୍ନରେ ପରିଣତ ହୋଇଛି । ଗହୀର, ବିଲ ସାରା କେବଳ ଇଟାଭାଟି । ଶୀତ ସନ୍ଧ୍ୟାର ଆକାଶକୁ ଏଇ ଇଟାଭାଟିମାନଙ୍କର ଚିମିନିରୁ ନିର୍ଗତ ଧୂଆଁ ଆଚ୍ଛାଦିତ କରି ରଖୁଛି । ନରାଜଠାରୁ ବାରଙ୍ଗ ପର୍ଯ୍ୟନ୍ତ ଯୁଆଡ଼େ ବି ଚାହିଁଲେ ଆଖିରେ ପଡ଼େ ଖାଲି ଇଟାଭାଟି । ସତେ ଯେପରି ଆଧୁନିକ ସହର ନିର୍ମାଣ ନିମନ୍ତେ ଏ ଅଞ୍ଚଳର ମାଟି ମାଆ ଉପରେ ଚାଲିଛି ଅନବରତ ଅତ୍ୟାଚାର । ଅର୍ଥଲିପ୍ସୁ ଏଇ ଅବୋଧ ସନ୍ତାନମାନଙ୍କର ଭୋଗ ଲାଳସାକୁ ଚରିତାର୍ଥ କରିବା ପାଇଁ ମାଟି ମାଆ ନୀରବରେ ସେ ଅତ୍ୟାଚାରକୁ ସହି ଚାଲିଛି । ଆଉ ନରାଜ ମାଆର ସନ୍ତାନମାନେ ତାକୁ ଝୁଣି ଚାଲିଛନ୍ତି । ଜଳ, ଉର୍ବରତା ସହିତ ନିଜର ଶରୀର କେତେକ ଅଂଶକୁ ହରାଇ ସାରିବା ପରେ ଏବେ ସେ କିଂ କର୍ତ୍ତବ୍ୟ ବିମୁଢ଼ । କିନ୍ତୁ ମାଆର ଦୁଃଖକୁ କେବେ ବି ଅନୁଭବ କରିନାହାଁନ୍ତି ତାର ସନ୍ତାନମାନେ ।
ଏବେ ସେ ନିର୍ଯାତିତା ହେଉଛି ସପୁତ୍ରମାନଙ୍କଦ୍ୱାରା । ଦୂର ଦୂରାନ୍ତରୁ ଛୁଟି ଆସୁଛନ୍ତି ଅନେକ ଏଠାକୁ । କିଏ ବସତି ପାଇଁ ତ କିଏ ବ୍ୟବସାୟ ଅର୍ଥରେ । ଏଇ ବ୍ୟବସାୟୀମାନଙ୍କ ମଧ୍ୟରେ କେତେ ଜଣ ହାତଗଣତି ଇଟାଭାଟି ମାଲିକ । ମାଟି ଖନନ ପାଇଁ ବା ଇଟା ଗଢ଼ିବାପାଇଁ ଏମାନଙ୍କୁ ବିଧିବଦ୍ଧ ଭାବେ ଅନୁମତି ନେବାକୁ ପଡ଼େ ନାହିଁ । କିନ୍ତୁ ସୁଦୂର କଳାହାଣ୍ଡି, ବଲାଙ୍ଗୀର, କେନ୍ଦୁଝର, କୋରାପୁଟ, ବ୍ରହ୍ମପୁର, ବିହାର, ଭବାନୀପାଟଣା, ଛତିଶଗଡ଼ ଆଦି ଅଞ୍ଚଳରୁ ଦାଦନମାନଙ୍କୁ ଆଣି ମାଟି ମାଆର ମାଂସ ଓ ହାଡ଼କୁ ପଳ ପଳ କରି ଛିଣ୍ଡାଇ ବିକ୍ରି କରି ଅର୍ଥ ଉପାର୍ଜନ କରି ଚାଲିଛନ୍ତି । ସେମାନଙ୍କର ଏ ତୃଷ୍ଣାର ଯେପରି ଶେଷ ନାହିଁ ।
ଇଟା କାରଖାନାର ମାଲିକମାନଙ୍କର ଅର୍ଥ ଉପାର୍ଜନର ଲାଳସା ଯେତିକି ଯେତିକି ବଢ଼ି ଚାଲିଛି, ସେତିକି ସେତିକି ଶୋଷିତ ହୋଇ ଚାଲିଛନ୍ତି ନରାଜ ମାଟି ଓ ନିରୀହ ଦାଦନ ଶ୍ରମିକମାନେ । ଫସଲ ଅମଳ ପରେ ନିଜର ଭିଟାମାଟି ଛାଡ଼ନ୍ତି ଏଇ ଶ୍ରମିକମାନେ । ଏଥି ପୂର୍ବରୁ ଦାଦନ ଦଲାଲ ଓ ସର୍ଦ୍ଧାରମାନଙ୍କ ଜରିଆରେ ଦଶରୁ ପନ୍ଦର ହଜାର ପର୍ଯ୍ୟନ୍ତ ଅଗ୍ରୀମ ଟଙ୍କା ନେଇ ପୂରା ବର୍ଷକ ପାଇଁ ସେମାନେ ମୁଣ୍ଡ ବିକି ଦେଇଥାନ୍ତି । ଦଶହରା ପାର୍ବଣର ସମାପ୍ତି ପରେ ଏଇ ଦଲାଲମାନେ ଜାଲ ବିଛେଇ ଧରିଆଣନ୍ତି ଏମାନଙ୍କ ସପରିବାରକୁ । କେବଳ ଓଡ଼ିଶା କାହିଁକି ବାହାର ରାଜ୍ୟକୁ ମଧ୍ୟ ଏମାନଙ୍କୁ ଚାଲାଣ କରାଯାଏ । ଥରେ ଏମାନଙ୍କ କବଳିତ ହେବା ପରେ ନିରୀହ ଶ୍ରମିକମାନେ ପାଲଟିଯାଆନ୍ତି ମଧ୍ୟଯୁଗୀୟ କ୍ରୀତଦାସ । ବର୍ଷାଋତୁ ଆସିବା ପର୍ଯ୍ୟନ୍ତ ଏମାନଙ୍କୁ ଇଟାଭାଟି ମାଲିକମାନଙ୍କର ନିଜର ବନ୍ଦୀ ଭାବେ ସମୟ କଟାଇବାକୁ ପଡ଼େ । ପୂର୍ବାକାଶରେ ସିନ୍ଦୁରା ଫାଟିବା ପୂର୍ବରୁ ଏମାନଙ୍କର ଖଟଣି ଆରମ୍ଭ ହୋଇଯାଏ ଓ ଶେଷହୁଏ ସଞ୍ଜ ନଇଁଲେ । ସାରା ଦିନ ହାଡ଼ଭଙ୍ଗା ଖଟଣି ପରେ ଏମାନଙ୍କର ଅବଶ ଶରୀର ଲୋଟି ପଡ଼େ ଧୂଳି ଧୂସରିତ ଫୁଙ୍ଗୁଳା ଖଜୁରୀ ପଟି ଉପରେ । ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ, ରାତ୍ରିର ନିବିଡ଼ ଅନ୍ଧକାର, ଆଉ ନୂଆଁଣିଆ ପଲାଘର ଏଇତ ଏମାନଙ୍କର ଜୀବନ । କେତେବେଳେ ଏମାନେ ରୋଗରେ ସଢ଼ନ୍ତି ତ କେତେବେଳେ ବଣ୍ୟଜନ୍ତୁ ବା ବିଷାକ୍ତ ସାପମାନଙ୍କ କବଳରେ ପଡ଼ନ୍ତି । ସେ କଥା ଭାବିବା ପାଇଁ ସେମାନଙ୍କ ନିକଟରେ ସମୟ ନ ଥାଏ । ଦିନଟା ସାରା ପରିଶ୍ରମ ପରେ ଏମାନଙ୍କୁ ପ୍ରାପ୍ୟ ମିଳେ ମାତ୍ର ଟଙ୍କା କେତେଟା, ଯାହାକୁ ସେମାନେ ଠିକ୍ ଭାବରେ ଗଣି ଜାଣନ୍ତି ନାହିଁ । ଏଇ କଷ୍ଟୋପାର୍ଜିତ ଟଙ୍କା କେତେଟାକୁ ଧରି ପ୍ରତି ରବିବାର ଉପରବେଳା ଏମାନେ ଭିଡ଼ ଜମାନ୍ତି ନରାଜ ବଜାରରେ । ନରାଜ ବଜାରରୁ ଇଟାଭାଟିଗୁଡ଼ିକର ଦୂରତା ପ୍ରାୟ ଦୁଇରୁ ତିନି କିଲୋମିଟର ମଧ୍ୟରେ । ସପ୍ତାହକର ସଉଦା କରିବାପାଇଁ ଏମାନଙ୍କର ଭିଡ଼ ଜମିଯାଏ ଏଠାରେ । ରବିବାର ଦିନ ନରାଜ ଗାଁର ଏଇ ଛୋଟିଆ ବଜାରଟି ଏକ ସାପ୍ତାହିକ ହାଟରେ ପରିଣତ ହୋଇଯାଏ ।
ଦାଦନ ଖଟୁଥିବା ଦୁଇ ଶ୍ରମିକକୁ ଏ ସଂପର୍କରେ ପଚାରିବାରୁ କହିଥିଲେ ଆମର କାମ ହେଲା କଞ୍ଚାଇଟାଗୁଡ଼ିକୁ ଭାଟି ପର୍ଯ୍ୟନ୍ତ ବୋହି ନେବା । ପ୍ରତି ଦଶଟି ଇଟା ପାଇଁ ଏମାନଙ୍କୁ ମିଳେ ଗୋଟାଏ ଟୋକନ୍ । ଟୋକନ୍ ପିଛା ରୋଜଗାର ଟଙ୍କାଟିଏ । ଏହିପରି ଭାବରେ ଦିନ ଯାକରେ ଏମାନେ ଆୟ କରନ୍ତି ଏକଶହରୁ ଏକଶହ କୋଡ଼ିଏ ଟଙ୍କା ପର୍ଯ୍ୟନ୍ତ । ବେଳେବେଳେ ରାତି ବାରଟା ପର୍ଯ୍ୟନ୍ତ ଏମାନଙ୍କୁ କାମ କରିବାକୁ ପଡ଼ିଥାଏ । ଶୀତ,କାକର, ମଶା, ଡ଼ାଆଁଶ କଳବରୁ ଏମାନଙ୍କର ନିସ୍ତାର ନାହିଁ । ଏଇ ନିରୀହ ଶ୍ରମିକମାନେ ଆଧୁନିକ ଜୀବନ ଶୈଳୀର ପାଖ ମାଡ଼ି ପାରନ୍ତି ନି । ସବୁଠାରୁ ଦୁଃଖ ଆଉ ଚିନ୍ତାର ବିଷୟ ହେଉଛି ଏମାନଙ୍କ ସହିତ ଆସିଥିବା ତାଙ୍କର ସନ୍ତାନମାନେ । ଜୀର୍ଣ୍ଣ, ଶୀର୍ଣ୍ଣ, ଲମ୍ବୋଦର, କୃଶୋଦର କଳେବର ଧାରୀ ଅବୋଧ ଶିଶୁମାନଙ୍କର ଭବିଷ୍ୟତ ଟାଣି ହୋଇଯାଏ ଆଉ ଏକ ଦାଦନ ପିଢ଼ିକୁ । ପ୍ରଶାସନ, ସମାଜସେବୀ କିମ୍ବା ଶିଶୁ କଲ୍ୟାଣ ବିଭାଗ କାହାରି ଦୃଷ୍ଟି ପଡ଼େ ନାହିଁ ଏମାନଙ୍କ ଉପରେ । କ୍ରମଶଃ ଏମାନେ ପାଲଟି ଯିବେ ଶିଶୁ ଶ୍ରମିକ ଓ ପରବର୍ତ୍ତୀ ଅବସ୍ଥାରେ ଦାଦନ ଶ୍ରମିକ । ଏମାନଙ୍କ ଝାଳ ପିଇ ପିଇ ଇଟାଭାଟିର ମାଲିକମାନେ ତ୍ରିତଳ ପ୍ରସାଦରେ ରଙ୍ଗୀନ ସ୍ୱପ୍ନରେ ବିଭୋର ହୋଇଯାଆନ୍ତି । ଏମାନଙ୍କ ମଙ୍ଗଳର ଦାୟିତ୍ୱ ନେଇଥିବା ତଥାକଥିତ ବ୍ୟକ୍ତି ବା ଗୋଷ୍ଠୀ ହାତଗୁଞ୍ଜା ନେଇ ଖୁସ୍ ହୁଅନ୍ତି । ରାଜନେତାମାନେ ୟାଙ୍କୁ ନେଇ କରନ୍ତି ରାଜନୀତି ଆଉ ଗଣମାଧ୍ୟମବାଲାଙ୍କୁ ମିଳିଯାଏ ସମ୍ବାଦ ପରିବେଷଣର ଖୋରାକ୍ । କିନ୍ତୁ ଏଇ ଦାଦନମାନଙ୍କ ଅବସ୍ଥାରେ କିଛି ପରିବର୍ତ୍ତନ ଆସେନି । ବାରଙ୍ଗ ତହସିଲ ଅନ୍ତର୍ଭୁକ୍ତ ରାମଦାଶପୁର ରାଜସ୍ୱ ନିରୀକ୍ଷକ (ଆର୍.ଆଇ) ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ କହନ୍ତି ‘ଇଟାଭାଟି କରିବାକୁ ପ୍ରଥମତଃ ପରିବେଶ ମଞ୍ଜୁରିର ଆବଶ୍ୟକ ରହିଛି । କିନ୍ତୁ ଏ ଅଞ୍ଚଳର ଇଟାଭାଟିଗୁଡ଼ିକ ଏ ସବୁ ସର୍ତ୍ତଗୁଡ଼ିକ ପୂରଣ କରୁଛନ୍ତି କି ନାହିଁ ଏବଂ ଏହା ଉପରେ କାହାର କଟକଣା ରହିଛି ତାହା ତଦନ୍ତ ସାପେକ୍ଷ ।

ସେଆର କରନ୍ତୁ:



Powered by odothemes.com