ମାତ୍ର ୩୦ଦିନରେ ୨୧ ବନ୍ଧୁକ ସହ ୫୪୨ ଗୁଳି ଜବତ

25

୫ବର୍ଷରେ ମିଳିଥିଲା ୧୪୪ବନ୍ଧୁକ, ୪୩୮ ଗୁଳି ବିହାରୀ ବେପାରୀ କାରବାର ମାନ୍ଦା
କଟକ(ବୁ୍ୟରୋ): କଟକ ସହରେ ଏବେ ଧଳସାମନ୍ତ ଭ୍ରାତାଙ୍କ ସାମ୍ରାଜ୍ୟକୁ ଖୋଳତାଡ କରି କମିଶନରେଟ୍ ପୁଲିସ୍ ଅନେକ ଅସ୍ତ୍ରଶସ୍ତ୍ରକୁ ଜବତ କରିଛି । ବିଗତ ପାଞ୍ଚ ବର୍ଷ ମଧ୍ୟରେ ପୁଲିସକୁ ମାରଣାସ୍ତ୍ର ଜବତରେ ଯେତିକି ସଫଳତା ମିଳିଥିଲା, ଗତ ମାସକରେ ସଫଳତା ହାର ତାଠାରୁ ଅଧିକ ରହିଛି ।  ଧଳସାମନ୍ତ ଭାତ୍ରାଙ୍କ ଗିରଫଦାରୀର ୩୦ଦିନ ମଧ୍ୟରେ ପୁୁଲିସ ଦୁଇ ଭାଇଙ୍କ ସମେତ ତାଙ୍କ ସହଯୋଗୀମାନଙ୍କ ନିକଟରୁ ୨୧ଟି ବନ୍ଧୁକ ଓ ୫୪୨ଟି ଜୀବନ୍ତ ଗୁଳି ଜବତ କରିଛି । ସେଥିମଧ୍ୟରେ ଅନେକ ଅତ୍ୟାଧୁନିକ ବନ୍ଧୁକ ରହିଛି । ପୂର୍ବରୁ କମିଶନରେଟ୍ ପୁଲିସ୍ ୨୦୧୧ ମସିହାରେ ୧୨ବନ୍ଧୁକ ସହ ୬୩ଟି ଗୁଳି ଜବତ କରିଥିବା ବେଳେ ୨୦୧୨ରେ ୨୯ ବନ୍ଧୁକ ସହ ୬୧, ୨୦୧୩ରେ ୪୦ବନ୍ଧୁକ ସହ ୭୩, ୨୦୧୪ରେ ୩୬ ବନ୍ଧୁକ ସହ ୧୨୮ ଓ ୨୦୧୫ ମସିହାରେ ୨୭ଟି ବନ୍ଧୁକ ସହ ୧୧୩ ଗୁଳି ଜବତ କରିଥିଲା । ମୋଟ୍ ୫ବର୍ଷ ମଧ୍ୟରେ ପୁଲିସ ୧୪୪ ବନ୍ଧୁକ ଓ ୪୩୮ ଗୁଳିଗୋଳା ଜବତ କରିଥିଲା । କଟକ ସହରକୁ ଏହି ମାରାଣାସ୍ତ୍ର କେଉଁଠାରୁ ଆସୁଛି, ଏହାର କାର୍ପଟ୍ଦାର କିଏ ସେ ସମ୍ପର୍କରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଥିବା ବେଳେ ଜଣକୁ ବି ଗିରଫ କରିପାରିନାହିଁ । ତେବେ ଏହି ଅସ୍ତ୍ରଶସ୍ତ୍ର ବିହାରରୁ ଆସୁଥିବା ପୁଲିସକୁ ପ୍ରାଥମିକ ସୂଚନା ମିଳିଛି । ଓଡିଶାରେ ବିହାରୀ ବେପାରୀ ବେଶ ସକ୍ରିୟ ଥିବା ୮୦ ଦଶକରୁ ପ୍ରମାଣ ମିଳିସାରିଛି । ବେପାରୀମାନେ ନିରାପଦରେ ଏଠାକୁ ଆସି ଲଜିଂରେ ରହି ବେପାର କରୁଥିବା ଅନେକ ସମୟରେ ପ୍ରମାଣ ମିଳିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଅପରାଧିଙ୍କ ସହ କେତେଜଣ ଦୁର୍ନୀତିଖୋର ପୁଲିସ୍ ଅଧିକାରୀ ଓ କର୍ମଚାରୀ ହାତ ମିଳାଉଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ ୨୦୧୫ମସିହାରେ ପୁଲିସ ପକ୍ଷରୁ ୧୫ଟି ମାମଲା ରୁଜୁ କରାଯାଇ ୨୨ଟି ପିସ୍ତଲ, ଗୋଟିଏ ରିଭଲଭର, ୪ଟି ମାଉଜର ଜବତ କରଥିବାବେଳେ ୨୦୧୪ରେ ୨୪ଟି ମାମଲା ରୁଜୁ କରାଯାଇ ୨୨ଟି ପିସ୍ତଲ ଜବତ କରାଯାଇଥିବାବେଳେ ରିଭଲବର ୮, ମାଉଜର ୬ ଜବତ କରିଥିଲା । ସେହିପରି ୨୦୧୩ରେ ୩୫ଟି ମାମଲା ରୁଜୁ କରାଯାଇ ୨୮ଟି ପିସ୍ତଲ, ୫ଟି ରିଭଲବର, ମାଉଜର ୭ଟି ଜବତ କରାଯାଇଛି । ୨୦୧୨ମସିରେ ୩୦ମାମଲା ରୁଜୁ କରାଯାଇ ୨୩ଟି ପିସ୍ତଲ, ୬ଟି ମାଉଜର ଜବତ କରାଯାଇଥିଲା । ୨୦୧୧ମସିହାରେ ୧୯ଟି ମାମଲା ରୁଜୁ କରାଯାଇ ୬ଟି ପିସ୍ତଲ, ୫ଟି ରିଭଲଭର, ଗୋଟିଏ ମାଉଜର ଜବତ କରାଯାଇଥିଲା । ୫ବର୍ଷ ମଧ୍ୟରେ ୪୩ଟି ଫାୟାରିଂ ମାମଲା ରଜୁ ହୋଇଥିବା ଜଣାଯାଇଛି । ୨୦୧୧ରେ ୯ଟି ଫାୟାରିଂ ମାମଲା ରୁଜୁ ହୋଇଥିବାବେଳେ ୨୦୧୨ରେ ୧୧ଟି, ୨୦୧୩ରେ ୧୩ଟି, ୨୦୧୪ରେ ୬ଟି ମାମଲା ରୁଜୁ ହୋଇଥିବାବେଳେ ୨୦୧୫ମସିହାରେ ମାତ୍ର ୪ଟି ମାମଲା ହୋଇଥିବା ଜଣାଯାଇଛି ।
ପୁଲିସ କମିଶନର ଭାବେ ରାଜେନ୍ଦ୍ର ପ୍ରସାଦ ଶର୍ମା ଯୋଗଦେବା ପରେ ଏହିପରି ଚୋରା ବେପାରୀ ଓ ଅପରାଧିଙ୍କୁ ଧରିବା ପାଇଁ ଗଢିଥିଲେ ‘ଅପରେସନ ତ୍ରିଶୂଳ’ । ଏହି ସ୍ୱତନ୍ତ୍ର ଅପରେସନ ପୁଲିସକୁ ଦେଇଥିଲା ଅନେକ ସଫଳତା । ଏହି ଅପରେସନ ମାଧ୍ୟମରେ ୨୨ଟି ପିସ୍ତଲ, ଗୋଟିଏ ରିଭଲଭର, ୪ଟି ମାଉଜର ସହ ୧୧୩ଟି ଗୁଳିଗୋଳା ଜବତ କରାଯାଇଥିଲା । ୨୦୧୫ମସିହା ସୁଦ୍ଧା ୬୦ଟି ଆଗ୍ନେୟାସ୍ତ୍ର ଜବତ କରାଯାଇଥିବାବେଳେ ୨୦୧୪ ଓ ୨୦୧୫ ମସିହାରେ ସମୁଦାୟ ୧୫୨ ଆଗ୍ନେୟାସ୍ତ୍ର ସହ ୪୦୭ଗୁଳି ଜବତ କରାଯାଇଥିଲା । ନୂଆ କମିଶନର ୱାଇ.ବି ଖୁରାନିଆ ଯୋଗଦେବା ପରେ ହଠାତ୍ ଅପରେସନ୍ ଡି’ ଆରମ୍ଭ କରାଯାଇଥିଲା । ୨୦୧୬ ମସିହା ଆରମ୍ଭରୁ କଟକ ସହରର ଅନେକ ମାରଣାସ୍ତ୍ର ଜବତ ମଧ୍ୟ ହେଲାଣି । ହେଲେ ଅନ୍ୟ ଗ୍ୟାଙ୍ଗ ଉପରେ କମିଶନରେଟ୍ ପୁଲିସ୍ ନଜର ପକାଇଲେ ଅନେକ କିଛି ମାରଣାସ୍ତ୍ର ଜବତ ହୋଇପାରିବ ବୋଲି ବୁଦ୍ଧି ଜୀବୀମାନେ ମତବ୍ୟକ୍ତ କରିଛନ୍ତି । କିଛି ଅପରାଧୀ ନିଜ ପାଖରେ ରଖିଥିବା ବନ୍ଧୁକ ଗାଏବ କରି ନିଜେ ଅନ୍ତର୍ଦ୍ଧାନ ହୋଇଯାଇଥିବାରୁ ଆଗାମୀଦିନରେ ଆଉ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିବା ସହଜସାଧ୍ୟ ନୁହେ ବୋଲି ଖୋଦ ପୁଲିସ ଅଧିକାରୀମାନେ କହୁଛନ୍ତି । ଅନ୍ୟପକ୍ଷରେ ଏଠାକୁ ନିୟମିତ ଆସୁଥିବା ବିହାରୀ ବେପାରୀ ପୁଲିସର ଚଢାଉ ଦେଖି କଟକ ଆସିବା ପାଇଁ ସାମୟିକ ବନ୍ଦ କରିଦେଇଛନ୍ତି । ବିହାରୀ ବେପାରୀଙ୍କ କାରବାର ସଂପୂର୍ଣ୍ଣ ଭାବେ ମାନ୍ଦା ପଡିଯାଇଛି ।




Powered by odothemes.com