ଭାରତୀୟ ଯୁବ ବିଜ୍ଞାନ କଂଗ୍ରେସ ଉଦ୍ଘାଟିତ

kiit-1

ଭୁବନେଶ୍ୱର, ୨୬ ।୨ (ଆପ୍ର): କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ୭ମ ଯୁବ ବିଜ୍ଞାନ କଂଗ୍ରେସ ଶୁକ୍ରବାର ଉଦ୍‍ଘାଟିତ ହୋଇଯାଇଛି । ଏମ୍‍.ଏସ୍‍. ସ୍ୱାମୀନାଥନ୍‍ ରିସର୍ଚ୍ଚ ଫାଉଣ୍ଡେସନ୍‍ (ଏମ୍‍ଏସ୍‍ଏସ୍‍ଆର୍‍ଏଫ୍‍), ରାଜୀବ ଗାନ୍ଧୀ ଜାତୀୟ ଯୁବ ବିକାଶ ପ୍ରତିଷ୍ଠାନ ଓ ଏସ୍‍ ଆର୍‍ ଏମ୍‍ ବିଶ୍ୱବିଦ୍ୟାଳୟ ସହଯୋଗରେ କିଟ୍‍ ପକ୍ଷରୁ ଅନୁଷ୍ଠିତ ଏହି ବିଜ୍ଞାନ କଂଗ୍ରେସ ତିନି ଦିନ ଧରି ଚାଲିବ । ଆଜି ଅନୁଷ୍ଠିତ ଉଦ୍‍ଘାଟନୀ ଉତ୍ସବରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ପ୍ରଦୀପ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏମ୍‍ଏସ୍‍ଏସ୍‍ଆର୍‍ଏଫ୍‍ର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ଏମ୍‍ ଏସ୍‍ ସ୍ୱାମୀନାଥନ୍‍, ଜାତିସଂଘ ଖାଦ୍ୟ ଓ କୃଷି ସଂସ୍ଥାର ଭାରତ ପ୍ରତିନିଧି ଶ୍ୟାମ ବାହାଦୁର ଖଡ଼କା, ଏମ୍‍ଏସ୍‍ଏସ୍‍ଆର୍‍ଏଫ୍‍ର କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ ଡଃ ଭି ସେଲ୍‍ଭାମ୍‍, ଏମ୍‍ଏସ୍‍ଏସ୍‍ଆର୍‍ଏଫ୍‍ର ବାୟୋଟେକ୍ନୋଲୋଜି ମୁଖ୍ୟ ସଂଯୋଜକ ଡଃ ଏସ୍‍ ରାଜଲକ୍ଷ୍ମୀ, ୱାଲକମ୍‍ ୱାର୍‍ଲେସ୍‍ ରିଚ୍‍ର ବରିଷ୍ଠ ପ୍ରୋଗ୍ରାମ ମ୍ୟାନେଜର ଅନିର୍ବାଣ ମୁଖାର୍ଜୀ ଏବଂ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ୭ମ ଯୁବ ବିଜ୍ଞାନ କଂଗ୍ରେସର ବିଷୟବସ୍ତୁ ରହିଛି ‘ଜାତିସଂଘର ଶତତ ବିକାଶ ଲକ୍ଷ୍ୟ’ । ଯୁବ ବିଜ୍ଞାନ କଂଗ୍ରେସ ଅବସରରେ ଶତତ ବିକାଶ ଲକ୍ଷ୍ୟର କ୍ଷୁଧାମୁକ୍ତ ଓ ଖାଦ୍ୟ ସୁରକ୍ଷା ଲକ୍ଷ୍ୟ ହାସଲ, ଶତତ ବିକାଶ ନିମନ୍ତେ ମହାସାଗର, ସାଗର ଓ ସାମୁଦ୍ରିକ ସମ୍ବଳର ସଂରକ୍ଷଣ ଓ ବ୍ୟବହାର, ଜଳବାୟୁ ପରିବର୍ତ୍ତନ, ଲିଙ୍ଗଗତ ସାମ୍ୟତା ଉପରେ ଆଲୋଚନା ହେବ । ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ପାଣିଗ୍ରାହୀ କହିଲେ, ଶତତ ବିକାଶ ଲକ୍ଷ୍ୟ ହାସଲ୍‍ରେ ଯୁବବର୍ଗଙ୍କ ବିଶେଷ ଭୂମିକା ରହିଛି । ବିଶେଷ କରି ଯୁବ ବୈଜ୍ଞାନିକ ଓ ଗବେଷଣାରତ ଛାତ୍ରଛାତ୍ରୀମାନେ ଏ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ । ଏହି କଂଗ୍ରେସରେ ଯୁବ ବୈଜ୍ଞାନିକମାନେ ଅଭିଜ୍ଞ ଓ ବରିଷ୍ଠ ବୈଜ୍ଞାନିକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବାର ସୁଯୋଗ ପାଇବେ । କଂଗ୍ରେସରୁ ଯେଉଁ ନିଷ୍କର୍ସ ବାହାରିବ ତାହା ଶତତ ବିକାଶ ଲକ୍ଷ୍ୟ ହାସଲ୍‍ରେ ସହାୟକ ହେବ ବୋଲି ସେ କହିଥିଲେ । ପ୍ରଫେସର ସ୍ୱାମୀନାଥନ୍‍ କହିଲେ, ବିଶ୍ୱରେ ଦାରିଦ୍ର୍ୟ ହାର କମିଥିଲେ ମଧ୍ୟ ଏବେ ସୁଦ୍ଧା ବିଶ୍ୱ କ୍ଷୁଧାମୁକ୍ତ ହୋଇପାରିନାହିଁ । ଆମକୁ ବିଶ୍ୱକୁ କ୍ଷୁଧାମୁକ୍ତ କରିବା ସହ ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ । ଏଥିପାଇଁ କୃଷି ଉପିାଦନ ବଢ଼ାଇବା ସହ କୃଷିକ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ସେ କହିଥିଲେ । କୃଷି ହେଉଛି ନିଯୁକ୍ତି ଭିତ୍ତିକ ଅଭିବୃଦ୍ଧି । ଏଥିପାଇଁ ଯୁବବର୍ଗ ଆଗେଇ ଆସିବା ଦରକାର । ସେହିପରି ଆମ ଜଳସଂପଦର ୯୭ ଭାଗ ହେଉଛି ସାମୁଦ୍ରିକ ଜଳ । ସାମୁଦ୍ରିକ ଜଳ ସମ୍ବଳର ସୁବିନିଯୋଗ ହେବା ଦରକାର । ଏ କ୍ଷେତ୍ରରେ ଅନେକ ସୁଯୋଗ ମଧ୍ୟ ରହିଛି । ଜୈବ ବିବିଧତାକୁ ବଜାୟ ରଖି ସାମୁଦ୍ରିକ ଜଳ ସଂପଦର କିପରି ସୁବିନିଯୋଗ କରାଯାଇପାରିବ ତାହା ଉପରେ ମଧ୍ୟ ଗବେଷଣା ହେବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ମତ୍ସ୍ୟଜୀବୀଙ୍କ ପାଇଁ ଏମଏସ୍‍ଏସ୍‍ଆର୍‍ଏଫ୍‍ ପକ୍ଷରୁ ୱାଲ୍‍କମ୍‍ ସହଯୋଗରେ ତିଆରି କରାଯାଇଥିବା ଫିସର୍‍ ଫ୍ରେଣ୍ଡ ମୋବାଇଲ୍‍ ଆପ୍ଲିକେସନ୍‍ ଏବଂ ୨୪ ଘଣ୍ଟିଆ ହେଲପ୍‍ ଲାଇନ୍‍ ମୁଖ୍ୟ ଅତିଥି ଡଃ ପାଣିଗ୍ରାହୀଙ୍କ ଦ୍ୱାରା ଉଦ୍‍ଘାଟିତ ହୋଇଥିଲା । ଡ. ଭି ସେଲ୍‍ଭାମ୍‍ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।