ଡିଏଫ୍ଓଙ୍କ ଘରୁ ୫.୯୨ କୋଟିର ସମ୍ପତ୍ତି ଠାବ

money

ଭୁବନେଶ୍ୱର/ଆଠଗଡ, ୨୪ ।୨ (ବୁ୍ୟରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା ଆଠଗଡ ବନଖଣ୍ଡ ଅଧିକାରୀ (ଡିଏଫ୍ଓ) ସୁଧାଂଶୁ ମିଶ୍ରଙ୍କ ଆଠଗଡସ୍ଥିତ ଅଫିସ୍, କଟକ ମଧୁପାଟଣା ଗୌଡସାହିସ୍ଥିତ ଭଡା ଘର, ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରର ଗଡଭିତରସ୍ଥିତ ପୈତୃକ ବାସଭବନ, ସମ୍ବଲପୁର ସହର ଅଇଁଠାପାଲିସ୍ଥିତ ଏସ୍ଆର୍ଆଇଟି କଲୋନୀରେ ଥିବା ଆଉ ଏକ ପୈତୃକ ବାସଭବନ, ବଲାଙ୍ଗୀର ଜିଲ୍ଲା ବିଜାଖମଣ ରୁଗୁଡିପଡାରେ ଥିବା କୋଠା, ପୁରୀ ସିପସରୁବାଲି ସେଭେନ୍ ହିଲ୍ସ ସ୍ୟାଣ୍ଡ ଆପାର୍ଟମେଣ୍ଟରେ ସେ କିଣିଥିବା ଫ୍ଲାଟ୍ (ନଂ-୧୦୭୧), ଭୁବନେଶ୍ୱର ଆଇଟିଇଆର୍ ନିକଟସ୍ଥ ଆଉ ଏକ ଆପାର୍ଟମେଣ୍ଟରେ ଥିବା ତାଙ୍କ ୩ବିଏଚ୍କେ ଫ୍ଲାଟ୍ (ନଂ-୨୦୩), ଭୁବନେଶ୍ୱର ପାଣ୍ଡବନଗରରେ ସେ ନିର୍ମାଣ କରିଥିବା ୨ ମହଲା କୋଠା, ଭବାନୀପାଟଣାସ୍ଥିତ ଶ୍ୱଶୁରାଳୟ ଆଦି ୧୦ଟି ସ୍ଥାନରେ ଆଜି ସକାଳୁ ଭିଜିଲାନ୍ସର ପୃଥକ ପୃଥକ ଦଳ ଚଢାଉ କରି ୫ କୋଟି ୯୨ ଲକ୍ଷ ୯୩ ହଜାର ୧୭୮ ଟଙ୍କାର ସ୍ଥାବର-ଅସ୍ଥାବର ସମ୍ପତ୍ତି ଠାବ କରିଛନ୍ତି । ଚଢାଉ ବେଳେ ତାଙ୍କ ଘରୁ ନଗଦ ୯୩ ଲକ୍ଷ ୬୧ ହଜାର ୭୮୦ ଟଙ୍କା ଜବତ ହୋଇଥିବା ଭିଜିଲାନ୍ସ ନିର୍ଦ୍ଧେଶକଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।
ଠାବ ହୋଇଥିବା ଅନ୍ୟାନ୍ୟ ସମ୍ପତ୍ତି ମଧ୍ୟରେ ପୋଷ୍ଟ ଅଫିସ୍, ସାହାରା ଇଣ୍ଡିଆ ଓ ବିଭିନ୍ନ ବ୍ୟାଙ୍କରେ ୨ କୋଟି ୬୧ ଲକ୍ଷ ୯୭ ହଜାର ୧୫୧ ଟଙ୍କାର ସ୍ଥାୟୀ ଜମା, ବିଭିନ୍ନ ବ୍ୟାଙ୍କରେ ସେଭିଙ୍ଗ୍ସ ଆକାଉଣ୍ଟରେ ୯୩ ଲକ୍ଷ ୨୩ ହଜାର ୭୬୨ ଟଙ୍କା, ବୀମା ପ୍ରିମିୟମ ବାବଦରେ ସେ ଜମା ଦେଇଥିବା ୧୯ ଲକ୍ଷ ୧୩ ହଜାର ୩୩୮ ଟଙ୍କା, ୩ ଲକ୍ଷ ଟଙ୍କାର ଘରୋଇ ଆସବାବପତ୍ର, ୮ ଲକ୍ଷ ୨୬ ହଜାର ୫୦୦ ଟଙ୍କାର ୫୫୧.୩୯ ଗ୍ରାମର ସୁନା ଅଳଙ୍କାର, ୧୫ ହଜାର ଟଙ୍କାର ରୁପା ଅଳଙ୍କାର, ୪୫ ହଜାର ଟଙ୍କାର ହିରୋହୋଣ୍ଡା ପ୍ଲେଜର ବାଇକ, ୬୦ ହଜାର ଟଙ୍କାର ମାରୁତି ୮୦୦ କାର୍, ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଥିବା ୧୫ ଲକ୍ଷ ଟଙ୍କାର ପ୍ଲଟ୍, ବଲାଙ୍ଗୀର ସହରରେ ଥିବା ୧ ଲକ୍ଷ ୨୦ ହଜାର ୭୫୦ ଟଙ୍କାର ଓ ୬୩ ହଜାର ୨୫୦ ଟଙ୍କା ମୂଲ୍ୟର ୨ଟି ପ୍ଲଟ୍, ଭବାନୀପାଟଣାରେ ଥିବା ୭୪ ହଜାର ୨୫୦ ଟଙ୍କାର ପ୍ଲଟ୍, ଭୁବନେଶ୍ୱର ପାଣ୍ଡବନଗରରେ ଥିବା ୨ଲକ୍ଷ ୪୭ ହଜାର ୫୦୦ ଟଙ୍କା ମୂଲ୍ୟର ପ୍ଲଟ୍, ଭୁବନେଶ୍ୱରରେ ଥିବା ୩୭ ଲକ୍ଷ ୨୩ ହଜାର ୩୦୦ ଟଙ୍କାର ଫ୍ଲାଟ୍, ସିପସରୁବାଲିରେ ଥିବା ୭ ଲକ୍ଷ ୧୨ ହଜାର ଟଙ୍କାର ଫ୍ଲାଟ୍, ପାଣ୍ଡବନଗରରେ ଥିବା ୨୯ ଲକ୍ଷ ୨୮ ହଜାର ଟଙ୍କାର ଦୁଇ ମହଲା କୋଠା, ଭବାନୀପାଟଣାରେ ଥିବା ୧୬ ଲକ୍ଷ ୯୯ ହଜାର ଟଙ୍କାର କୋଠା ଆଦି ଠାବ କରାଯାଇଛି ।
ଡିଏଫ୍ଓ ସୁଧାଂଶୁ ମିଶ୍ରଙ୍କର ଦୁର୍ଦ୍ଧାନ୍ତ ଧଳସାମନ୍ତ ଭ୍ରାତାଙ୍କ ସହ ସମ୍ପର୍କ ଥିବା ମଧ୍ୟ ଜଣାପଡିଛି ବୋଲି ଭିଜିଲାନ୍ସ ନିର୍ଦ୍ଧେଶକ ଆର୍ପି ଶର୍ମା କହିଛନ୍ତି । ତେଣୁ ଧଳସାମନ୍ତଙ୍କ ଅପରାଧ ଜଗତ ସହ ଶ୍ରୀ ମିଶ୍ରଙ୍କର କିଭଳି ସମ୍ପର୍କ ରହିଛି, ତାହାର ମଧ୍ୟ ତଦନ୍ତ ହେବ ।