ନ୍ୟାୟ ଦାବିରେ ପିଟିଜିଆଇଙ୍କ ବିକ୍ଷୋଭ | ସର୍ବସାଧାରଣ ଖବରକାଗଜ
UCHIT-NYAYA-PRADAN-DABI-RE-P.T.G.I

ନ୍ୟାୟ ଦାବିରେ ପିଟିଜିଆଇଙ୍କ ବିକ୍ଷୋଭ

33

ଭୁବନେଶ୍ୱର, ୨୨ା୨(ବୁ୍ୟରୋ): ଓଡ଼ିଶାର ସମସ୍ତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ବହୁବର୍ଷ ହେଲା ନିୟୋଜିତ ଥିବା ପାର୍ଟଟାଇମ୍ ଗେଷ୍ଟ୍ ଇନ୍ଷ୍ଟ୍ରକ୍ଟର୍ (ପିଟିଜିଆଇ)ମାନଙ୍କ ଦ୍ୱାରା ବିଧାନସଭା ସମ୍ମୁଖରେ ଏକ ରାଜ୍ୟସ୍ତରୀୟ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ । ସେମାନେ ସମ୍ମୁଖୀନ ହେଉଥିବା ବହୁବିଧ ସମସ୍ୟା ଓ ଅସୁବିଧା ସମ୍ପର୍କରେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ସମାଧାନ ହେଉନଥିବାରୁ ଆଜି ଏହା ବିକ୍ଷୋଭର ରୂପ ନେଇଥିଲା । ସୂଚନାନୁଯାୟୀ, ଆଜି ମାଷ୍ଟର୍କ୍ୟାଣ୍ଟିନ୍ ନିକଟରୁ ପିଟିଜିଆଇମାନେ ଏକ ଶୋଭାଯାତ୍ରାରେ ପ୍ଲା-କାର୍ଡ଼ ଧରି ବିଭିନ୍ନ ସ୍ଲେଗାନ ଦେଇ ଲୋୟାର୍ ପିଏମ୍ଜିଠାରେ ଏକତ୍ରିତ ହୋଇଥିଲେ । ସେଠାରୁ ଏକ ପ୍ରତିନିଧିମଣ୍ଡଳୀ ବିଭିନ୍ନ ଦାବି ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ଉନ୍ନୟନ କମିଶନରଙ୍କୁ ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ, ପିଟିଜିଆଇମାନେ ୧୯୯୩ ମସିହାରୁ ପର୍ଯ୍ୟାୟ କ୍ରମେ ସରକାରୀ ଆଇଟିଆଇମାନଙ୍କରେ ଖାଲି ପଡିଥିବା ସରକାରୀ ତାଲିମ ପ୍ରଶିକ୍ଷକଙ୍କ ପଦବୀରେ ନିରବଚ୍ଛିନ୍ନ ଫୁଲ୍ ଟାଇମ୍ ଭାବେ ଛାତ୍ରଛାତ୍ରୀମାନଙ୍କୁ ତାଲିମ୍ ଦେଇଆସୁଛନ୍ତି । ଖାଲି ସେତିକି ନୁହେଁ, ଆଡ୍ମିସନ ଏବଂ ପରିକ୍ଷା ଡୁ୍ୟଟି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ତୁଲାଇ ଆସୁଥିବା ବେଳେ ସେମାନଙ୍କ ସ୍ଥାୟୀ ନିଯୁକ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ହୋଇ ପାରିନାହିଁ । ସେମାନଙ୍କ ଅଭିଜ୍ଞତା, କୁଶଳୀ ଓ ଦକ୍ଷତାକୁ ଅଣଦେଖା କରି ଦୁଇ ତିନି ବର୍ଷ ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ଚୟନ କରାଯାଉଛି । ଏ ବିଷୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସଂଘ ପକ୍ଷରୁ ଅନେକ ଥର ବିଧାନସଭା ସମ୍ମୁଖରେ ବିକ୍ଷୋଭ, ଗଣଧାରଣା ଓ ଅନଶନ ପ୍ରଦର୍ଶନ କରିଆସୁଛନ୍ତି । ସ୍ଥାୟୀ ନିଯୁକ୍ତି ଦାବି ପୂରଣ ପାଇଁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଉଛନ୍ତି ଓ ପର ମୁହୂର୍ତ୍ତରେ ଅଣଦେଖା କରୁଥିବା ମଧ୍ୟ ଅଭିଯୋଗ ହେଉଛି । ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଧେଶକ ପିଟିଜିଆଇଙ୍କ ଚାକିରିକୁ ନିୟମିତ କରିବା ପାଇଁ ଓଡିଶା ପ୍ରଶାସନିକ ନ୍ୟାୟାଧିକରଣଙ୍କୁ ୨୦୧୪ମସିହାରେ ଶପଥ ପତ୍ର ପ୍ରଦାନ କରିଥିଲେ ମଧ୍ୟ ଡିଟିଇଟି ଏବଂ ସରକାର ପକ୍ଷରୁ କୌଣସି ପଦକ୍ଷପ ନିଆଯାଇନାହିଁ ବୋଲି ସଂଘ ଅଭିଯୋଗ କରିଛି । ବିକ୍ଷୋଭରେ ଅଲ୍ଇଣ୍ଡିଆ ୟୁଟିୟୁସିର ବିଶିଷ୍ଟ ଶ୍ରମିକନେତାମାନେ ଯୋଗ ଦେଇଥିଲେ ।




Powered by odothemes.com