avinetri-JC-ku-police-giraf-kari-neuchi-(1)

ଜେସିଙ୍କ ପଲିଗ୍ରାଫ୍ ପରୀକ୍ଷା

68

ଭୁବନେଶ୍ୱର, ୧୭ ।୨(ବୁ୍ୟରୋ): ଟେଲି ଅଭିନେତା ତଥା ନୃତ୍ୟ ନିର୍ଦ୍ଧେଶକ ରଞ୍ଜିତ ପଟ୍ଟନାୟକ (ରାଜା)ର ସନ୍ଦେହଜନକ ମୃତୁ୍ୟ ମାମଲାରେ ସୋରୋ ଜେଲ୍ରେ ବିଚାରବିଭାଗୀୟ ହାଜତରେ ଥିବା ଅଭିନେତ୍ରୀ ପ୍ରଲିପ୍ତା ପ୍ରିୟଦର୍ଶିନୀ ସାମଲ (ଜେସି)ଙ୍କୁ ସୋରୋ ପୁଲିସ୍ ଆଜି ଭୁବନେଶ୍ୱର ଆଣି ପହଞ୍ଚାଇବା ପରେ ରାଜ୍ୟ ଫୋରେନ୍ସିକ୍ ସାଇନ୍ସ ଲାବୋରେଟୋରୀ (ଏଫ୍ଏସ୍ଏଲ୍)ରେ ତାଙ୍କ ପଲିଗ୍ରାଫ ପରୀକ୍ଷା କରାଯାଇଛି । ପ୍ରାୟ ୬ ଘଣ୍ଟା ଧରି ଜେସି ଏଫ୍ଏସ୍ଏଲ୍ରେ ରହିଥିଲେ । ରାଜାଙ୍କ ମୃତୁ୍ୟ ରହସ୍ୟ ଉନ୍ମୋଚନ ପାଇଁ ତଦନ୍ତକାରୀ ଅଫିସରମାନେ ଜେସିଙ୍କୁ ୫୦ରୁ ଅଧିକ ପ୍ରଶ୍ନ ପଚାରିଥିଲେ । ଇଭେଣ୍ଟ ଫେବ୍ରୁଆରି ୬ ତାରିଖ ରାତି ରାଜା କାଂଶବାଂଶ ନଦୀର ଚପରପଦା ପୋଲରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିବା ସକାଶେ ଜେସି ତାଙ୍କୁ ଉତ୍ତେଜିତ କରିଥିଲେ ବୋଲି ଇଭେଣ୍ଟ ମ୍ୟାନେଜର ପ୍ରଳୟ ଜେନା ଓ ଡ୍ରାଇଭର ଧନେଶ୍ୱର ବେହେରା ପୁଲିସ୍କୁ ବୟାନ ଦେଇଥିଲେ । ମାତ୍ର ଜେସି ତାହାକୁ ଫାଙ୍କିଥିଲେ । ତେଣୁ ଜେସିଙ୍କ ମୁହଁରୁ ସତ ଓଗାଳିବା ପାଇଁ ଆଜି ପଲିଗ୍ରାଫ୍ ପରୀକ୍ଷା କରାଯାଇଛି । ଯଦି ଆବଶ୍ୟକ ପଡେ ତେବେ ପ୍ରଳୟ ଓ ଧନେଶ୍ୱରଙ୍କ ପଲିଗ୍ରାଫ୍ ପରୀକ୍ଷା କରାଯାଇପାରେ ବୋଲି ବାଲେଶ୍ୱର ଏସ୍ପି ନୀତି ଶେଖର ସୂଚନା ଦେଇଛନ୍ତି ।
ଏସ୍ପି କହିଛନ୍ତି, ପଲିଗ୍ରାଫ୍ ପରୀକ୍ଷା ବେଳେ ଜେସି ଦେଇଥିବା ଉତ୍ତରକୁ ବିଶ୍ଳେଷଣ କରାଯାଇ ପ୍ରଳୟ ଓ ଧନେଶ୍ୱରଙ୍କ ବୟାନ ସହ ତାହା ମେଳ ଖାଉଛି କି ନାହିଁ ଦେଖାଯିବ । ଅନ୍ୟପକ୍ଷରେ ଜେସି ପୂର୍ବରୁ ଯେଉଁ ବୟାନ ଦେଇଥିଲେ, ତାହା ମଧ୍ୟ ଆଜିର ବୟାନ ସହ ମେଳ ଖାଉଛି କି ନାହିଁ ଅନୁଧ୍ୟାନ କରାଯିବ । ରାଜାଙ୍କ ସହ ଝଗଡା କରି ଆତ୍ମହତ୍ୟା ପାଇଁ ତାଙ୍କୁ ଉତ୍ତେଜିତ କରିଥିବା ଅଭିଯୋଗରେ ଜେସିଙ୍କୁ ଗତକାଲି ଗିରଫ କରାଯାଇଥିଲା । ସୋରୋ ଏସ୍ଡିଜେଏମ୍ ତାଙ୍କ ଜାମିନ ନାମଞ୍ଜୁର କରି ୧୫ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇଦେଇଥିଲେ । ସୋରୋ ଜେଲ୍ରେ ଥିବା ମହିଳା ବ୍ଲକ୍ର ୯ ନମ୍ବର ସେଲ୍ରେ ଜେସିଙ୍କୁ ରଖାଯାଇଛି । ତେବେ କାଲି ରାତ୍ରଭୋଜନ ପାଇଁ ତାଙ୍କୁ ଦିଆଯାଇଥିବା ରୁଟି, ସନ୍ତୁଳା ସେ ଖାଇନଥିଲେ । କେବଳ ମନସ୍ତାପରେ ବସିଥିଲେ । ସେଲ୍ରେ ଥିବା ଅନ୍ୟ ୩ ଜଣ ମହିଳା କଏଦୀ ତାଙ୍କୁ ବୁଝାଶୁଝା କରିଥିଲେ । ଅପରପକ୍ଷରେ କଟକ ଜିଲ୍ଲା ବଡମ୍ବାରେ ପୂଜ୍ୟପୂଜା ପରିଷଦ ପକ୍ଷରୁ ରାଜାଙ୍କ ଏକାଦଶାହ ପାଳନ କରାଯାଇଛି । ସେଥିରେ ବହୁ କଳାକାରଙ୍କ ଗହଣରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ସେଆର କରନ୍ତୁ:



Powered by odothemes.com