turtle-death

ଗହୀରମଥା ଉପକୂଳରେ ହଜାରେ ମୃତ କଇଁଛ

51

କେନ୍ଦ୍ରାପଡା, ୧୭ ।୨(ଆପ୍ର): ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କ ଗଣଅଣ୍ଡାଦାନ ସମୟ ନିକଟତର ହେଉଥିବାବେଳେ ଗହୀରମଥା ଅଭୟାରଣ୍ୟର ବେଙ୍ଗାପସାଗର ବେଳାଭୂମିରେ ଶହ ଶହ କଇଁଛଙ୍କ ମୃତଦେହ ପଡିଥିବା ପରିବେଶବିତ୍ମାନଙ୍କ ମଧ୍ୟରେ ପୁଣି ଉଦ୍ବେଗ ସୃଷ୍ଟି କରିଛି । ସ୍ମରଣଯୋଗ୍ୟ, ଗତମାସ ପୁରୀ ବେଳାଭୂମିରେ ଶତାଧିକ ଅଲିଭ୍ ରିଡ୍ଲେ କଇଁଛଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଅଲିଭ୍ ରିଡ୍ଲେ କଇଁଛଙ୍କ ନିରାପଦ ଅଣ୍ଡାଦାନ ପାଇଁ ଧାମରାରୁ ପାରାଦୀପ ମଧ୍ୟରେ ୧୬ଟି ପାଟ୍ରୋଲିଂ କ୍ୟାମ୍ପ ୨୪ ଘଣ୍ଟିଆ ପ୍ରହରା ପାଇଁ ମୁତୟନ । ତେବେ ଏହି ଉପକୂଳରେ ଗତ ୧୦ ଦିନ ମଧ୍ୟରେ ପ୍ରାୟ ୧ ହଜାରରୁ ଊଦ୍ଧ୍ୱର୍ ମୃତ କଇଁଛକୁ ପାଟ୍ରୋଲିଂ ଦଳ ଠାବ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ପେଣ୍ଠ, ହୁକିଟୋଲା ସମେତ ଜଗତସିଂହପୁର ଜିଲ୍ଲା ପାରାଦୀପ ବେଳାଭୂମିରେ କଇଁଛଙ୍କ ମୃତଦେହ ଦେଖିବାକୁ ମିଳୁଛି । କଇଁଛଗୁଡିକ ଗଳିତ ଶବ ଏସବୁ ଉପକୂଳ ପର୍ଯ୍ୟଟନସ୍ଥଳୀକୁ ପୁତି ଗନ୍ଧମୟ କରିବା ଆଶଙ୍କା ଥିବାରୁ ମୃତ କଇଁଛଗୁଡିକୁ ଜଙ୍ଗଲ ବିଭାଗ କର୍ମଚାରୀମାନେ ବାଲିରେ ପୋତି ଦେବାକୁ ବାଧ୍ୟ ହେଉଛନ୍ତି । ରାଜନଗର ହେନ୍ତାଳବନ (ବନ୍ୟଜନ୍ତୁ) ଡିଭିଜନର ଡିଏଫ୍ଓ ବିମଲ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, କଇଁଛଙ୍କ ମୃତୁ୍ୟ ରୋକିବା ପାଇଁ ବହୁବିଧ ପଦକ୍ଷେପ ନିଆଯାଉଛି । ଏହାସତ୍ତ୍ୱେ ଗତ ୧୦ ଦିନ ମଧ୍ୟରେ ଏତେ ସଂଖ୍ୟକ ଅଲିଭ୍ ରିଡ୍ଲେଙ୍କ ମୃତଦେହ ମିଳିବା ଉଦ୍ବେଗର ବିଷୟ ।
ବିଶେଷକରି ଅଲିଭ୍ ରିଡ୍ଲେଙ୍କ ଆଗମନଠାରୁ ସେମାନଙ୍କ ସମୂହ ଅଣ୍ଡାଦାନ ଓ କଇଁଛ ଶାବକଗୁଡିକ ଅଣ୍ଡାରୁ ଫୁଟି ସମୁଦ୍ରକୁ ଯିବା ଯାଏ ଗଣଅଣ୍ଡାଦାନ ସ୍ଥଳୀଗୁଡିକରେ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହି ସମୟ ମଧ୍ୟରେ ଉପକୂଳର ୧୦ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ ଟ୍ରଲରରେ ମାଛଧରାକୁ ନିଷିଦ୍ଧ କରାଯାଇଛି । ଏହାସତ୍ତ୍ୱେ ନିଷିଦ୍ଧାଞ୍ଚଳରେ ବେଆଇନ ଟ୍ରଲର ଚଳାଚଳ ରୋକିବା ପାଇଁ ମୁତୟନ ପାଟ୍ରୋଲିଂ ଟିମ୍ ଚଳିତ ଋତୁରେ ୩୫ଟି ଟ୍ରଲର ଜବତ କରିବା ସହ ସେଥିରେ ଥିବା ୧୪୩ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛନ୍ତି । ପରିବେଶବିତ୍ମାନଙ୍କ ମତରେ ଟ୍ରଲରରେ ମାଡଖାଇ କିମ୍ବା ମତ୍ସ୍ୟଜୀବୀଙ୍କ ଜାଲରେ ଅଲିଭ୍ ରିଡ୍ଲେଗୁଡିକ ପଡି ମୃତୁ୍ୟବରଣ କରୁଛନ୍ତି । ମୃତ କଇଁଛଗୁଡିକ ଢେଉରେ ଭାସିଆସି ବେଳାଭୂମିରେ ପଡିରହୁଛନ୍ତି । ବେଆଇନ ଟ୍ରଲରଗୁଡିକ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ବିରଳ ଅଲିଭ୍ ରିଡ୍ଲେ ବହୁ ସଂଖ୍ୟାରେ ମୃତୁ୍ୟମୁଖରେ ପଡୁଛନ୍ତି ।




Powered by odothemes.com