ଭାରତ ସହନଶୀଳ ଦେଶ: ତସ୍ଲିମା

KATHA-AT-JAYADEV-BHAVAN-(1)

ଭୁବନେଶ୍ୱର,୧୨ା୨(ବୁ୍ୟରୋ): ସାହିତ୍ୟ ପତ୍ରିକା ‘କଥା’ର ୨୯ତମ ବାର୍ଷିକ ଉତ୍ସବରେ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଅନ୍ତର୍ଜାତୀୟ ଲେଖିକା ତସଲିମା ନସରିନ୍ କହିଲେ, ନାରୀମାନଙ୍କ ସ୍ୱାଧୀନତାର କଥା କହିଲା ବେଳେ ଧର୍ମୀୟ ମୌଳବାଦୀମାନେ ବିରୋଧ ତାଙ୍କୁ ବିରୋଧ କଲେ । ଫଳରେ ନିଜ ଦେଶ ବାଙ୍ଗଲାଦେଶରୁ ତାଙ୍କୁ ଦେଶାନ୍ତର ହେବାକୁ ପଡିଲା । ପଶ୍ଚିମ ବଙ୍ଗ ରାଜ୍ୟ ସରକାର ତାଙ୍କ ଲିଖିତ ପୁସ୍ତକରେ ପ୍ରତିବନ୍ଧକ ଲଗାଇଲେ । ମାତ୍ର ସେତେବେଳେ ଅସହିଷ୍ଣୁତାର ପ୍ରସଙ୍ଗ ଉଠିଲା ନାହିଁ । ବର୍ତ୍ତମାନ ରାଜନୈତିକ ଦଳଗୁଡ଼ିକ ଧର୍ମକୁ ବ୍ୟବହାର କରୁଛନ୍ତି । ଧର୍ମୀୟ ଆଧାରରେ ଅସହିଷ୍ଣୁତା ପ୍ରସଙ୍ଗ ଉଠୁଛି । କିନ୍ତୁ ଭାରତ ଏକ ସହନଶୀଳ ଦେଶ ବୋଲି ତସଲିମା କହିଛନ୍ତି ।
ଅନ୍ୟତମ ଅତିଥି ବିଶିଷ୍ଟ ଲେଖକ ଜ୍ଞାନପୀଠ ବିଜେତା କେଦାରନାଥ ସିଂହ କହିଥିଲେ, ହିନ୍ଦୀ ଭାଷା ଆଞ୍ଚଳିକ ଭାଷାଗୁଡ଼ିକର ସେତୁ ପାଲଟିଛି । ଆଞ୍ଚଳିକ ଭାଷାଗୁଡ଼ିକର ଉନ୍ନତି ପାଇଁ ବହୁଳ ଅନୁବାଦର ଆବଶ୍ୟକତା ରହିଛି । ବିଶିଷ୍ଟ ଲେଖକ ପଦ୍ମଶ୍ରୀ ସୀତାଂଶୁ ୟଶଚନ୍ଦ୍ର କହିଥିଲେ, ଯୁବ ପିଢ଼ି ସମସ୍ତ ବାଧାବିଘ୍ନ ଅତିକ୍ରମ କରି ନୂତନ ସୃଷ୍ଟିର ସଂରଚନା ପାଇଁ ଆଗେଇ ଆସିବା ଉଚିତ । ସୃଜନଶୀଳ ଲେଖକ ସମାଜର ପ୍ରତିବନ୍ଧକଙ୍କୁ ମାନିନଥାଏ ବୋଲି ପଦ୍ମଶ୍ରୀ ୟଶଚନ୍ଦ୍ର କହିଥିଲେ । ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ଲେଖକ ତଥା ଚଳିତ ବର୍ଷର ଜ୍ଞାନପୀଠ ବିଜେତା ଡ. ରଘୁବୀର ଚୌଧୁରୀ ଯୋଗ ଦେଇ ସାହିତି୍ୟକମାନେ ମାଟିମନସ୍କ ହେବା ଉଚିତ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ‘ସମ୍ବାଦ’ର ସଂପାଦକ ତଥା ‘କଥା’ର ମୁଖ୍ୟ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, ସୁଖପାଠ୍ୟ ଗଦ୍ୟ ଗୋଟିଏ ଭାଷାକୁ ବଞ୍ଚାଇବାରେ ବଳିଷ୍ଠ ମାଧ୍ୟମ । ‘କଥା’ର ସମ୍ପାଦକ ଡ. ଗୌରହରି ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମିଡ଼ିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ ତନୟା ପଟ୍ଟନାୟକ ଓ ‘କଥା’ର ସହ ସମ୍ପାଦକ ଆଶିଷ ଗଡ଼ନାୟକ ଉପସ୍ଥିତ ଥିଲେ । ଏହି ଅବସରରେ କଥା ନବପ୍ରତିଭା ପ୍ରତିଯୋଗିତାର ୧୦ ଜଣ କୃତୀ ଯୁବ ଲେଖକ ଲେଖିକାଙ୍କୁ ପୁରସ୍କୃତ କରାଯାଇଥିଲା ।