ରାଜ୍ୟ ସ୍ୱାର୍ଥ ପାଇଁ ବିରୋଧୀ ଭୂମିକା ନିର୍ବାହ କର: ନବୀନ

ଭୁବନେଶ୍ୱର,୭ା୩(ବୁ୍ୟରୋ): ସଂସଦରେ ରାଜ୍ୟର ସ୍ୱାର୍ଥ ପାଇଁ ଲଢେଇ କରିବା ସହ ଗଠନମୂଳକ ବିରୋଧୀଦଳର ଭୂମିକା ନିର୍ବାହ କରିବାକୁ ବିଜେଡି ସାଂସଦମାନଙ୍କୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାର ଆଣିଥିବା ଅନେକ ଅଧ୍ୟାଦେଶ ରାଜ୍ୟର ସ୍ୱାର୍ଥ ବିରୋଧୀ ହୋଇଥିବାରୁ ସଂସଦର ଉଭୟ ଗୃହରେ ଏହାକୁ ବିରୋଧ କରିବାକୁ ମଧ୍ୟ ଶ୍ରୀ ପଟ୍ଟନାୟକ ଦଳୀୟ ସାଂସଦଙ୍କୁ କହିଛନ୍ତି । ବିଶେଷକରି ଜମି ଅଧିଗ୍ରହଣ ବିଲ, ଖଣିି ଅଧ୍ୟାଦେଶରେ ଥିବା କେତକ ବ୍ୟବସ୍ଥା ଓ ବଜେଟ୍ରେ ଓଡ଼ିଶାକୁ ଅବହେଳାକୁ ବିଜେଡ଼ି ସାଂସଦମାନେ ଦୃଢ ବିରୋଧ କରିବେ । ଏହାଛଡ଼ା କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ବଜାୟ ରଖିବାକୁ ମଧ୍ୟ ସେ ସାଂସଦମାନଙ୍କୁ କହିଛନ୍ତି ।
ନବୀନ ନିବାସରେ ବିଜେଡିର ଲୋକସଭା ଓ ରାଜ୍ୟସଭାର ମୋଟ ୨୮ ଜଣ ସାଂସଦଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଲେ, ସଂସଦରେ କେଉଁ ପ୍ରସଙ୍ଗକୁ ବିଜେଡ଼ି ସାଂସଦମାନେ ଉପସ୍ଥାପନ କରିବେ ସେ ସଂପର୍କରେ ବ୍ୟାପକ ବିଚାରବିମର୍ଶ କରାଯାଇଛି । କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ବିଜେପି ସରକାର ରାଜ୍ୟକୁ ବହୁ କ୍ଷେତ୍ରରେ ଅବହେଳା କରୁଛି । ବିଜେଡ଼ି ସାଂସଦମାନେ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ଲଢେଇ କରିବା ଦରକାର । ଚର୍ତୁଦ୍ଧଶ ଅର୍ଥ କମିଶନଙ୍କ ସୁପାରିସ ଓ ସାଧାରଣ ବଜେଟ୍ରେ ଓଡ଼ିଶାକୁ ଅବହେଳା କରଯାଇଛି । ଏହା ବିରୋଧରେ ସ୍ୱର ଉତ୍ତୋଳନ କରାଯିବ । ରାଜ୍ୟର ସ୍ୱାର୍ଥ ସହ କୌଣସି ମୂହର୍ତ୍ତରେ ସାଲିସ କରାଯିବ ନାହିଁ ବୋଲି ସେ କହିଛନ୍ତି । ସଂସଦୀୟ ଦଳରେ କେନ୍ଦ୍ର ସରକାରଙ୍କୁ ବିରୋଧ କରିବା ନେଇ ମତ ପାର୍ଥକ୍ୟ ରହିଛି ବୋଲି ସାମ୍ବାଦିକମାନେ ପଚାରିଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ସଂସଦୀୟ ଦଳରେ ଏଭଳି କୌଣସି ମତ ପାର୍ଥକ୍ୟ ନାହିଁ ।
ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୁହରି ମହତାବ କହିଲେ, ଅନେକ ପ୍ରସଙ୍ଗ ସଂପର୍କରେ ଆଲୋଚନା କରାଯାଇଛି । ଦଳ ପକ୍ଷରୁ ମଧ୍ୟ ଅନେକ ପ୍ରସଙ୍ଗ ଉତ୍ଥାପନ କରାଯାଇଛି । ସାଧାରଣ ବଜେଟ୍ ଆଲୋଚନାରେ ରାଜ୍ୟକୁ କିଭଳି ଅବହେଳା କରାଯାଇଛି ସେ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯିବ । ଦଳ ବିରେଧୀଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଆସନରେ ବସୁଛି । ବିଜେଡ଼ି ଗଠନ ମୂଳକ ବିରୋଧୀଦଳର ଭୂମିକା ନିର୍ବାହ କରିବ । ପ୍ରଧାନମନ୍ତ୍ରୀ ଦାବି କରୁଛନ୍ତି ଯେ, ଗୋଟିଏ ଗୋଟିଏ ରାଜ୍ୟ କେନ୍ଦ୍ରୀୟ ଟିକସରୁ ସେମାନଙ୍କ ଅଂଶ ବାବଦରେ ୬୨% ପାଇବେ । ଯାହା କେବଳ ଗାଣିତିକ ଭେଳିକି । ଆମେ ଏସଂପର୍କରେ ତଥ୍ୟ ଭିତ୍ତିକ ସନ୍ଦର୍ପ ଉପସ୍ଥାପନ କରିବୁ । ସେହିଭଳି କୋଲଇା ନିଲାମରୁ ରାଜ୍ୟର ବିଶେଷ କିଛି ଲାଭ ହେବାର ନାହିଁ । ବିଜେପି ନେତାମାନେ କହୁଛନ୍ତି କୋଇଲା ଓ ଲୁହାପଥର ଖଣି ନିଲାମୀରୁ ରାଜ୍ୟ ୧ଳକ୍ଷ କୋଟିଟଙ୍କା ପାଇବ । ମାତ୍ର ବାସ୍ତବ ସ୍ଥିତି ଭିନ୍ନ । କୋଇଲା ନିଲାମରୁ ରାଜ୍ୟକୁ ମାତ୍ର ୫୦୦ରୁ ୭୦୦ କୋଟିଟଙ୍କା ମିଳିବ, ଅବଶିଷ୍ଟ ୯୯,୫୦୦ କୋଟିଟଙ୍କା ଅନ୍ୟରାଜ୍ୟ ପାଇବେ ବୋଲି ଶ୍ରୀ ମହାତାବ କହିଛନ୍ତି । ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ପାଇର୍ ଲଢେଇ କରିବା ବିଜେଡ଼ିର ଏକମାତ୍ର ଏଜେଣ୍ଡା । ଦଳ ସେହି ଏଜେଣ୍ଡାରେ କାର୍ଯ କରୁଛି ବୋଲି ସେ କହିଥିଲେ । ଏହି ବୈଠକରେ ସାଂସଦ ବୈଜୟନ୍ତ ପଣ୍ଡା, ଅନଙ୍ଗ ଉଦୟ ସିଂହଦେ. କଳ୍ପତରୁ ଦାସ, ଭୂପିନ୍ଦର ସିଂଙ୍କ ସମେତ ଲୋକସଭାର ୨୦ ଜଣ ଓ ରାଜ୍ୟସଭାର ୮ ଜଣ ସାଂସଦ ଉପସ୍ଥିତ ଥିଲେ ।