ତୈଳ ପ୍ରକଳ୍ପ ଲୋକାର୍ପଣ ପରେ ବି ମୁହାଁମୁହିଁ

bjp-bjd1

ଭୁବନେଶ୍ୱର, ୯ ।୨(ବୁ୍ୟରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାରାଦୀପ୍ ଗସ୍ତ ଅବସରରେ ତିର୍ତ୍ତୋଲ ନିକଟରେ ନିଆଳି ବିଧାୟକ ଡ଼ା. ପ୍ରମୋଦ ମଲ୍ଲିକଙ୍କ ଉପରେ ହୋଇଥିବା ଆକ୍ରମଣ ଓ ତାଙ୍କ ଗାଡ଼ି ଭଙ୍ଗାରୁଜା ଘଟଣାରେ ତାଙ୍କ ସୁରକ୍ଷା କର୍ମୀ ତିର୍ତ୍ତୋଲ ଥାନାରେ ଏତାଲା ଦେଇଛନ୍ତି । ଅପରପକ୍ଷରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇ ବିଧାୟକ ଦେବାଶିଷ ସମାନ୍ତରାୟଙ୍କ ନାମରେ ଜାତିଆଣ ଆକ୍ଷେପ ଅଭିଯୋଗ ଆଣି ତିର୍ତ୍ତୋଲ ଥାନାରେ ଏତଲା ଦେଇଛନ୍ତି । ଶ୍ରୀ ସାମନ୍ତରାୟ ହାତରେ ଏକ ଲାଲ ଢେଙ୍ଗା ଧରି ରାସ୍ତାରେ ବୁଲୁଥିବା ଭିଡ଼ିଓ ଚିତ୍ର ଏକ ନିର୍ଦ୍ଧିଷ୍ଟ ଘରୋଇ ଟିଭି ଚ୍ୟାନେଲ୍ରେ ପ୍ରସାରିତ ହୋଇଛି । ବିଧାୟକ ଶ୍ରୀ ମଲ୍ଲିକ୍ କହିଛନ୍ତି, ରବିାବର ଦିନ ବିଜେପି ଟୋପି ଓ ଉତ୍ତରୀୟ ପକାଇଥିବା କିଛି ଲୋକ ତାଙ୍କ ଗାଡ଼ିକୁ ଅଟକାଇବା ସହ ତାଙ୍କୁ ମାଡ଼ ମାରିଥିଲେ । ତାଙ୍କୁ ଘେରିଯାଇ ବଳପୂର୍ବକ ତାଙ୍କ ମୁଣ୍ଡରେ ବିଜେପି ଟୋପି ଓ ବେକରେ ଉତ୍ତରୀୟ ପକାଇ କିଛି ବାଟ ଚଲାଇ ଚଲାଇ ନେଇଥିଲେ । ସେମାନେ ମଧ୍ୟ ତାଙ୍କୁ ନରେନ୍ଦ୍ର ମୋଦି ଓ ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବଦ ପକାଇବାକୁ ବାଧ୍ୟ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ବିଧାୟକ ଶ୍ରୀ ମଲ୍ଲିକଙ୍କ ପ୍ରତି ହୋଇଥିବା ଆଚରଣକୁ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ତୀବ୍ର ସମାଲୋଚନା କରିଛନ୍ତି । ଶ୍ରୀ ଦେବ କହିଛନ୍ତି, ତୈଳ ବିଶୋଧାନାଗାରର ଉଦ୍ଘାଟନ୍ ଆଳରେ ବିଜେପି କର୍ମୀମାନେ ଯେଭଳି ଆଚରଣ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ଠେଙ୍ଗା ଧରି ଜଣେ ବିଧାୟକଙ୍କୁ ତାଙ୍କ ଦଳର ଟୋପି ଓ ଉତ୍ତରୀୟ ପିନ୍ଧାଇ ଚଲାଇ ଚଲାଇ ନେବା ରୁଗ୍ଣ ମାନସିକାତାର ପରିଚୟ । ଏଥିପାଇଁ ବିଜେପି କ୍ଷମାପ୍ରାର୍ଥନା କରିବା ଉଚିତ୍ । ଯଦି ରାଜ୍ୟରେ କ୍ଷମତାକୁ ଆସିବାକୁ ଚାହୁଁଛନ୍ତି ତେବେ ଏଭଳି ଆଚରଣରୁ ଦୂରେଇ ରହି ଲୋକଙ୍କ ମନ କିଣିବାକୁ ଚେଷ୍ଟା କରନ୍ତୁ । ପ୍ରଥମେ ପ୍ରମୋଦ ମଲ୍ଲିକ୍ଙ୍କୁ ନିର୍ଯ୍ୟାତନା ଦେବାର ଉତ୍ତର ରଖନ୍ତୁ ଓ ପରେ ଅଭିଯୋଗ ଆଣନ୍ତୁ । ସ୍ୱାସ୍ଥ୍ୟ ମିଶନ ଗାଡ଼ିରେ ବିଜେଡ଼ି କର୍ମୀଙ୍କୁ ସଭାସ୍ଥଳକୁ ଅଣାଯାଇ ନାହିଁ ବୋଲି ଶ୍ରୀ ଦେବ କହିଛନ୍ତି ।
ଅପରପକ୍ଷରେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, ପ୍ରକୃତ ଘଟଣା କଣ ବିଧାୟକଙ୍କୁ ପଚାରନ୍ତୁ । ସେ ଠିକ୍ରେ କହିପାରିବେ । ଉକ୍ତ ଅଞ୍ଚଳରେ ବିଜେଡ଼ିର ଅଖଣ୍ଡ ପ୍ରଭାବ ରହିଛି । ତାଙ୍କୁ କେହି ଧମକାଇ ପାରିବେ ନାହିଁ । ହୁଏତ ମୋଦିଙ୍କୁ ଖୁସି କରିବା ପାଇଁ ସେ ଏଭଳି କରିଥାଇ ପାରନ୍ତି । ତାଙ୍କୁ କେହି ଜୋର ଜବରଦସ୍ତି କରି ନାହାଁନ୍ତି ବୋଲି ଶ୍ରୀ ଶର୍ମା କହିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ସଭାକୁ ଭଣ୍ଡୁର କରିବା ପାଇଁ ହୋଇଥିବା ଯୋଜନା ପାଇଁ ଶ୍ରୀ ଶର୍ମା ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଜଣେ ଦାୟିତ୍ୱବାନ୍ ମନ୍ତ୍ରୀ ଓ ବିଧାୟକ ବ୍ୟାରିକେଡ଼୍ ଭାଙ୍ଗୁଛନ୍ତି । ଦଳର ଲୋକ ଥାନା ଭଙ୍ଗାରୁଜା କରିଛନ୍ତି । ବିଧାୟକ ଦେବାଶିଷ ସମାନ୍ତରାୟ ଆତଙ୍କରାଜ ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ବସିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସଭାକୁ କିଏ ଭଣ୍ଡୁର କରିବାକୁ ଉଦ୍ୟମ କରିଥିଲା ତାହାର ତଦନ୍ତ କରାନ୍ତୁ ବୋଲି ସେ ଦାବି କରିଛନ୍ତି । ବିଜେଡ଼ି ମୁଖପାତ୍ର ସମୀର ଦାସ କହିଛନ୍ତି, ବିଜେପି ଯେଉଁ ବିବାଦ କଥା ଉଠାଉଛୁ, ଆଇଓସିଏଲ୍ ପ୍ରଚାର ଗାଡ଼ିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଲଗାଇ ସେମାନେ ହିଁ ତାହା ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଯାଇଛନ୍ତି । ତେଣୁ ଦଳ ପକ୍ଷରୁ ଏପରି ଅଭିଯୋଗ ଆଣିବାର ମାନେ କିଛି ନାହିଁ । ଆଇନ୍ ତା ବାଟରେ ଯାଉଛି । ତିର୍ତ୍ତୋଲ ଥାନା ଯେଉଁମାନେ ଭଙ୍ଗାରୁଜା କରିଥିଲେ ପୁଲିସ୍ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଇନ୍ ତା ବାଟରେ ଯାଉଛି ବୋଲି ସେ କହିଥିଲେ ।