puri

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି

52

ପୁରୀ(ଆପ୍ର):ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି ରବିବାର ପୂର୍ବାହ୍ନରେ ପୁରୀ ଆସି ଶ୍ରୀମନ୍ଦିରରେ ଭୋଗମଣ୍ଡପ ପୂର୍ବରୁ ବେଶ ହୋଇଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରତ୍ନ ସିଂହାସନରେ ଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପୂର୍ବାହ୍ନ ୧୦ଟା ୨୨ରେ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ହେଲିପ୍ୟାଡଠାରେ ଅବତରଣ କରିଥିଲେ । ହେଲିକପ୍ଟରରୁ ଓହ୍ଲାଇବା ପରେ ପ୍ରଧାନମନ୍ତ୍ରୀ ହାତ ହଲାଇ ଉପସ୍ଥିତ ଜନତାଙ୍କୁ ଅଭିନନ୍ଦନ ଜଣାଇବା ସହ ହେଲିପ୍ୟାଡ ଚତୁଃପାଶ୍ୱର୍ ବ୍ୟାରିକେଡ ପଛରେ ଥିବା ଲୋକମାନଙ୍କ ନିକଟକୁ ଯାଇଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଅତି ନିକଟରୁ ଦେଖି ଦେଖଣାହାରୀମାନେ ଅତ୍ୟନ୍ତ ଆନନ୍ଦିତ ହେବା ସହ ମୋଦିଙ୍କ ଜୟ ଜୟକାର କରିଥିଲେ । ସେଠାରେ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଓ ଏସ୍ପି ଆଶିଷ କୁମାର ସିଂ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ । ହେଲିପ୍ୟାଡ଼ରେ ଜିଲ୍ଲା ପରିଷଦ ସଭାପତି ଦିବାକର ପାତ୍ର ଓ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଖଣ୍ଡୁଆ ପ୍ରଦାନ ପୂର୍ବକ ସ୍ୱାଗତ ଜଣାଇଥିଲେ । ସେଠାରେ ବିଜେପି ନେତା କୃଷ୍ଣଚନ୍ଦ୍ର ଜଗଦ୍ଧେବ, ପ୍ରଭଞ୍ଜନ ମହାପାତ୍ର, ଡକ୍ଟର ବିଶ୍ୱନାଥ ରଥ ଓ ଗାୟତ୍ରୀ ଦାଶ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଶ୍ରୀମନ୍ଦିର ଅଭିମୁଖେ ଯାଇ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଥିଲା । ବୁଲେଟ୍ପ୍ରୁଫ୍ କାର୍ରୁ ଓହ୍ଲାଇ ପ୍ରଧାନମନ୍ତ୍ରୀ ହାତ ହଲାଇ ଉପସ୍ଥିତ ଜନତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଜୟ ଜୟକାର ଧ୍ୱନିରେ ସିଂହଦ୍ୱାର ସମ୍ମୁଖ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା । ସିଂହଦ୍ୱାର ସମ୍ମୁଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର ଓ ଛତିଶାନିଯୋଗ ନାୟକ ଜନାର୍ଦ୍ଧନ ପାଟ୍ଟଯୋଶୀ ମହାପାତ୍ର ପ୍ରଧାନମନ୍ତ୍ରୀଙ୍କ କୌଳିକ ପଣ୍ଡା ରଘୁନାଥ ଗୋଚ୍ଛିକାର, ବିଜେପିର ପୂର୍ବତନ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂଦେଓ, ବିଜେପି ନେତା କୃଷ୍ଣଚନ୍ଦ୍ର ପଣ୍ଡା, ରବି ଦାସ, ଦୀନବନ୍ଧୁ ପ୍ରତିହାରୀ ଓ ଟୁକୁ ସାମନ୍ତରାୟ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଆଦିବାସୀ କଲ୍ୟାଣମନ୍ତ୍ରୀ ଜୁଏଲ୍ ଓରାମ ଓ ପେଟ୍ରୋଲିୟମ୍ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ୧୦ଟା ୫୫ରେ ଶ୍ରୀଜିଉମାନଙ୍କ ଦର୍ଶନ ପାଇଁ ବାଇଶି ପାହାଚ, ସାତ ପାହାଚ, ନାଟ ମନ୍ଦିର ଓ ଜଗମୋହନ ଦେଇ ଗର୍ଭଗୃହରେ ପ୍ରବେଶ କରିଥିଲେ । ରତ୍ନ ସିଂହାସନ ସମ୍ମୁଖରେ ଶ୍ରୀମୋଦି ଚତୁର୍ଦ୍ଧାମୂର୍ତ୍ତିର୍ଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରି ପ୍ରଣିପାତ କରିଥିଲେ । ପରେ ସେ ସିଂହାସନ ଚତୁଃପାଶ୍ୱର୍ ପରିକ୍ରମା କରିଥିଲେ । ମୁକ୍ତିମଣ୍ଡପକୁ ଯାଇ ବ୍ରାହ୍ମଣ ପଣ୍ଡିତମାନଙ୍କୁ ପ୍ରଣାମ ଜଣାଇବା ସହ ପ୍ରଣାମୀ ଦେଇଥିଲେ । ଏହାପରେ ବିମଳାଙ୍କ ମନ୍ଦିରକୁ ଯାଇ ଆଳତି କରିବା ସହ ପୂଜାର୍ଚ୍ଚନା କରିଥିଲେ । ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ପରେ ବାଇଶିପାହାଚ ଦେଇ ମନ୍ଦିରରୁ ପ୍ରସ୍ଥାନ କରିଥିଲେ । ମନ୍ଦିର ଭିତରେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଭଗବାନ ସୁଆର, ବରିଷ୍ଠ ସେବାୟତ ରାମଚନ୍ଦ୍ର ସିଂହାରୀ, ହରେକୃଷ୍ଣ ଖୁଣ୍ଟିଆ ଓ ବିଜିନା ମହାପାତ୍ର ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ସମସ୍ତ ସେବାୟତଙ୍କୁ ହାତ ହଲାଇ ଅଭିନନ୍ଦନ ଜଣାଇଥିଲେ । ମନ୍ଦିର ଭିତରେ ସେବାୟତମାନେ ମହାପ୍ରଭୁଙ୍କ ଲାଗି ନାକଚଣା, ପେଟି, ତୁଳସୀମାଳ, ନିର୍ମାଲ୍ୟ, ଶୁଖିଲି ମହାପ୍ରସାଦ ଓ ମାତା ମହାଲକ୍ଷ୍ମୀଙ୍କ ଧାନକେଣ୍ଡା ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ମହାଲକ୍ଷ୍ମୀଙ୍କୁ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ମନ୍ଦିର ସଂଲଗ୍ନ ଚଉପାଟିରେ କିଛିକ୍ଷଣ ବସିଥିଲେ । ଶ୍ରୀମନ୍ଦିରରୁ ବାହାରି ପ୍ରଧାନମନ୍ତ୍ରୀ କାରକେଡରେ ହେଲିପ୍ୟାଡ ଅଭିମୁଖେ ଯାତ୍ରାକରିଥିଲେ । ଶ୍ରୀମନ୍ଦିର ଭିତରେ ପ୍ରଧାନମନ୍ତ୍ରୀ ମାତ୍ର ୨୦ମିନିଟ୍ ପରିକ୍ରମା କରି ୧୧ଟା ୧୫ରେ ବାହାରକୁ ଆସିଥିଲେ । କାରକେଡ଼ ହେଲିପ୍ୟାଡ଼ ଅଭିମୁଖେ ଯିବା ସମୟରେ ପ୍ରଧାନମନ୍ତ୍ରୀ ଦୀର୍ଘ ସମୟ ଯାଉଥିବା ଗାଡିର ଫୁଟରେଷ୍ଟରେ ଠିଆ ହୋଇ ବଡଦାଣ୍ଡର ଉଭୟ ପାର୍ଶ୍ୱ ଓ କୋଠାଉପରେ ଥିବା ଉତ୍ସୁକ ଜନତାଙ୍କୁ ହାତ ହଲାଇ ଅଭିନନ୍ଦନ ଜଣାଉଥିବା ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ଉଦ୍ଧେଶ୍ୟରେ ସହର ସାରା ବିଜେପି ଓ ବିଜେଡିର ଦଳୀୟ ପତାକା ଛାଇ ହୋଇଯାଇଥିଲା । ପ୍ରଧାନମନ୍ତ୍ରୀ ପହଞ୍ଚିବା ପୂର୍ବରୁ ତାଳବଣିଆସ୍ଥିତ ହେଲିପ୍ୟାଡ, ସହରର ବିଭିନ୍ନ ସ୍ଥାନ ଓ ସିଂହଦ୍ୱାର ସମ୍ମୁଖସ୍ଥ ରାସ୍ତାରେ ଉତ୍ସୁକ ଜନତା ତାଙ୍କୁ ଦେଖିବା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ଲକ୍ଷ୍ୟ କରାଯାଇଥିଲା । ପ୍ରଧାନମନ୍ତ୍ରୀ ହେଲିପ୍ୟାଡରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିରରୁ ବାହାରିବା ପରେ ସିଂହଦ୍ୱାର ବ୍ୟତୀତ ଅନ୍ୟ ତିନିଦ୍ୱାର ଦେଇ ଦର୍ଶନାର୍ଥୀମାନେ ମନ୍ଦିର ଭିତରକୁ ଯାଇଥିଲେ ।




Powered by odothemes.com