ଧଳସାମନ୍ତଙ୍କ ସହଯୋଗୀକୁ ଜେରା

42

ଭାଇଜାଗ୍ ପେଡ଼ିର ଖୋଳତାଡ ଆରମ୍ଭ – ଦୀପୁ ମାମଲା ରଫାଦଫାରେ ପୁଲିସ୍ ହାତ!
କଟକ,୬ା୨(ବୁ୍ୟରୋ): ଦୁର୍ଦ୍ଧାନ୍ତ ଅପରାଧୀ ତଥା ଟେଣ୍ଡର ମାଫିଆ ସୁଶାନ୍ତ ଓ ସୁଶିଲ୍ ଧଳସାମନ୍ତଙ୍କ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାସ୍ଥିତ ବାସଭବନରେ ଛାନ୍ଭିନ୍ କରି କମିଶନରେଟ୍ ପୁଲିସ୍ ଫେରିବା ପରେ ଜବତ ତଥ୍ୟକୁ ଆଧାର କରି ଲିଙ୍କ୍ ଖୋଜୁଛି । ବିଶାଖାପାଟଣା ଘରୁ ମିଳିଥିବା କାଗଜପତ୍ର, ମୋବାଇଲ, ସିମ୍ ଓ କମ୍ପୁ୍ୟଟର ହାର୍ଡଡିସ୍କ ଯାଞ୍ଚ କରାଯାଇଥିବା କଟକ ଡିସିପି ସଞ୍ଜୀବ ଆରୋରା କହିଛନ୍ତି । ରିମାଣ୍ଡର ପର୍ଯ୍ୟାୟ ଶେଷ ହେଉଥିବା ବେଳେ ପୁଲିସ୍ ଛାନ୍ଭିନ୍ କାର୍ଯ୍ୟକ୍ରମକୁ ଜୋରଦାର କରିଛି । ଆଜି ଦୁଇ ଭାଇଙ୍କ ସହ କଟକ ବିଡାନାସୀ ଅଞ୍ଚଳର ନିର୍ମଳ ରାଉତଙ୍କୁ ମାରାଥନ ଜେରା କରାଯାଇଥିବା ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି । ଜେରା ସମୟରେ ଦୁଇଭାଇ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି । ବିଭିନ୍ନ ସମୟରେ ବହୁ ନେତା, ପୁଲିସ୍, ସାମ୍ବାଦିକ ଟଙ୍କା ନେଇଥିବାର ପୁଲିସ୍ ଆଗରେ ସ୍ୱୀକାର ରହିଛନ୍ତି ଦୁଇଭାଇ । ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ପୁଅ ବାହାଘର ପାଇଁ ୭୦ ଲକ୍ଷ ଟଙ୍କା ନେଇଥିବା ଜଣାପଡ଼ିବା ପରେ ଏବେ ପୁଲିସ୍ ହରଡ଼ଘଣାରେ ପଡ଼ିଯାଇଛି । ପୁଲିସ୍ ନିର୍ମଳକୁ ପାଖାପାଖି ୪ ଘଣ୍ଟା ଜେରା କରିଥିଲା । ତା’ ମୁହଁରୁ ଅନେକ ତଥ୍ୟ ପଦାକୁ ଆସିଛି । ପୁଲିସ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସୂଚନା ଦେବ ବୋଲି ଜଣାଯାଇଛି । ସୂଚନାଯୋଗ୍ୟ, ଗତକାଲି ଡି ବ୍ରଦର୍ସଙ୍କ ଲିଙ୍କ୍ ଖୋଜିବା ପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ବିଶାଖାପାଟଣା ଯାଇଥିବା ଟିମ୍ ଡି ବ୍ରଦର୍ସଙ୍କ ବିଶାଖାପାଟଣା ଘରୁ ଗୋଟିଏ, ସିଙ୍ଗିଲ ବ୍ୟାରେଲ ବନ୍ଧୁକ, ୫୦ ରାଉଣ୍ଡ ଗୁଳି, ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଜବତ କରିଥିଲା । ଅନ୍ୟପକ୍ଷରେ ନିଖୋଜ ଦୀପୁ ମଲ୍ଲିକର ଡ୍ରାଇଭିଂ ଲାଇସେନ୍ସ ଓ ଫଟୋ ମିଳିଥିଲା । ଦୁଇଦିନ ହେବ କମିଶନରେଟ୍ ପୁଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । କିଛି ସହଯୋଗୀଙ୍କୁ ଅଟକ ରଖି ସେମାନଙ୍କ ତଥ୍ୟକୁ ମଧ୍ୟ ଆଧାର କରି ଚଢାଉ ଜାରି ରହିଛି ।




Powered by odothemes.com