Konark-2

ପ୍ରାଚୀନ ଓଡ଼ିଆ ସାହିତ୍ୟ ଅନୁବାଦର ସମୟ ଆସିଛି: ମନ୍ତ୍ରୀ ଦାସବର୍ମା

64

କୋଣାର୍କ (ଆପ୍ର): ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କୋଣାର୍କ ଯାତ୍ରୀନିବାସ ଠାରେ ଆଜି ଦୁଇଦିନିଆ ସର୍ବଭାରତୀୟ କବିତା ଆସର ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ, କବିତା ସର୍ବଭାରତୀୟ ସ୍ତରରେ ବହୁ ପ୍ରାଚୀନ । କୋଣାର୍କ ଭଳି ଏକ ପ୍ରାଚୀନ ଐତିହ୍ୟ ଓ ସଂସ୍କୃତିର ପୀଠରେ ସାରା ଦେଶ ତଥା ଦେଶ ବାହାରୁ ବହୁ ପ୍ରତିଷ୍ଠିତ ସାହିତି୍ୟକମାନଙ୍କ ଯୋଗଦାନ ଓଡ଼ିଆ ସାହିତ୍ୟ ପାଇଁ ଏକ ଗୌରବର ଦିନ । ତେଣୁ ଓଡ଼ିଆ ସାହିତ୍ୟ ଓ ଭାଷାକୁ ସାରା ଦେଶ ଓ ବିଶ୍ୱରେ ଆଦୃତ କରିବା ପାଇଁ ଓଡ଼ିଶାର ପ୍ରାଚୀନ ସାହିତ୍ୟ ଓ ସଂସ୍କୃତିର ଧାରକ ଓ ବାହକ ସାରଳା ଦାସ, ଅତିବଡୀ ଜଗନ୍ନାଥ ଦାସଙ୍କ ରଚନାକୁ ଅନୁବାଦ କରିବାର ସମୟ ଆସିଛି ଓ ଏହି କବିତା ଆସର ଆମ ପ୍ରାଚୀନତମ ସାହିତ୍ୟକୁ ଅଧିକରୁ ଅଧିକ ଶକ୍ତିଶାଳୀ କରି ସାରା ବିଶ୍ୱରେ ପହଞ୍ଚାଇବ ବୋଲି ଶ୍ରୀ ଦାସବର୍ମା ତାଙ୍କ ଉଦ୍ଘାଟନୀ ଭାଷଣରେ ପ୍ରକାଶ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ସାତକଡ଼ି ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ପର୍ବରେ ପ୍ରସିଦ୍ଧ କବି ରମାକାନ୍ତ ରଥ ଯୋଗଦେଇ କହିଲେ ଯେ ସାହିତ୍ୟ ସତ୍ୟ ଓ ଆନନ୍ଦର ପୂଜାକରେ । ଯଥାର୍ଥ କବିତା ଭାଷା ଓ ସମୟର ଊଦ୍ଧ୍ୱର୍କୁ ଯାଇ କାଳୋତ୍ତୀର୍ଣ୍ଣତା ଅର୍ଜନ କରିଥାଏ । ଅନ୍ୟତମ ଖ୍ୟାତନାମା ସାହିତି୍ୟକ ଓ ଚିନ୍ତକ ହରପ୍ରସାଦ ଦାସ ଉତ୍ସବରେ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରି ମହାଭାରତୀୟ ମୌଳିକତାକୁ ବଜାୟ ରଖିବାରେ ଏବର କବିମାନେ ସାରସ୍ୱତ ତପିରତା ପ୍ରକାଶ କରିବାକୁ ମତ ଦେଇଥିଲେ । ଗ୍ରାମୀଣତା, ରହସ୍ୟବାଦ ଓ ସାମାଜିକ ପ୍ରତିବଦ୍ଧତା ହିଁ ସବୁକାଳରେ ଭାରତୀୟ ସାହିତି୍ୟର ମୂଳସ୍ରୋତ ହୋଇଆସିଛି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କନ୍ନଡ଼ ସାହିତି୍ୟକ ଏଚ.ଏସ. ଶିବପ୍ରକାଶ, ବେଙ୍ଗଲି ସାହିତି୍ୟକ ସୁବୋଧ ସରକାର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ସଭା ଆରମ୍ଭରେ ଏକାଡେମୀ ସଚିବ ଅଶ୍ୱିନୀ କୁମାର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ ସହ କବିମାନଙ୍କୁ ଓଡ଼ିଶା, ବିଶେଷକରି କୋଣାର୍କକୁ ସ୍ୱାଗତ କରିଥିଲେ । ଏକାଡେମୀର ଉପସଭାପତି ଗାଳ୍ପିକ ଗାୟତ୍ରୀ ସରାଫ ଶେଷରେ ଧନ୍ୟବାଦ ଅର୍ପଣ କରିଥିବାବେଳେ କବି ରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ଦୁଇଦିନବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ସର୍ବଭାରତୀୟ କବି ସମ୍ମିଳନୀରେ ଦେଶର ବିଭିନ୍ନ ଭାଷାର ଏବଂ ବାଂଲାଦେଶ ତଥା ନେପାଳର ସମୁଦାୟ ୩୨ ଜଣ ବିଶିଷ୍ଟ କବି ଯୋଗ ଦେଇଛନ୍ତି । ଏହାବ୍ୟତୀତ ଓଡ଼ିଆ ସାହିତ୍ୟର ପ୍ରାୟ ୧୫ ଜଣ ପ୍ରସିଦ୍ଧ କବି ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି । ପ୍ରାୟ ଚାରୋଟି ଅଧିବେଶନରେ କବିମାନେ ସେମାନଙ୍କର କବିତା ପାଠ କରିବେ । ଅନୁବାଦ ମଧ୍ୟ ଉପସ୍ଥାପିତ ହେବ । ଅଧ୍ୟାପକ ଭଗବାନ ଜୟସିଂହ ଓ ରୋହିଣୀକାନ୍ତ ମୁଖାର୍ଜୀ ସମସ୍ତ ଅଧିବେଶନର ସଂଯୋଜନା କରୁଛନ୍ତି । କବି ସମ୍ମିଳନୀ ମାଧ୍ୟମରେ ଓଡ଼ିଆ କବିତାର ପ୍ରସିଦ୍ଧି ସର୍ବଭାରତୀୟ ସ୍ତରରେ ଆଦୃତ ହେବ ବୋଲି ବିଭିନ୍ନ ମହଲରେ ଆଶା ପ୍ରକଟ କରାଯାଇଛି । ସମ୍ମିଳନୀରେ ବଙ୍ଗଳା, ତେଲୁଗୁ, କନ୍ନଡ, ଅହମୀୟା, ତାମିଲ, ହିନ୍ଦୀ, କୋଙ୍କଣୀ, ମାଲାୟାଲାମ, ଗୁଜରାଟୀ, ମରାଠୀ ଭାଷାର କବିମାନେ ପ୍ରତିନିଧିତ୍ୱ କରିଛନ୍ତି । ଓଡ଼ିଆ କବିତାର ସ୍ୱାଦ ଓ ସୌନ୍ଦର୍ଯ୍ୟ ଭାରତୀୟ କବିମାନେ ଉପଭୋଗ କରିବାକୁ ଅପେକ୍ଷା କରିଛନ୍ତି ।




Powered by odothemes.com