12-tama-dhauli-kalinga--mahostav-ku-makhyamantri-nabin-patnaik-udghatan-karuchanti--(1)

ଆରମ୍ଭ ହେଲା ଧଉଳି କଳିଙ୍ଗ ମହୋତ୍ସବ

24

ଭୁବନେଶ୍ୱର, (ବୁ୍ୟରୋ): ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ପକ୍ଷରୁ ଧଉଳୀ ପାଦଦେଶରେ ‘ଧଉଳୀ କଳିଙ୍ଗ ମହୋତ୍ସବ’ ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିବା ବେଳେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଭାଗୀୟ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗୀୟ ପ୍ରମୁଖ ସଚିବ ଗଗନ ଧଳ ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସମ୍ପାଦକ ଲଳୀତ ମାନସିଂହ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଯେଉଁ ସ୍ଥାନରୁ ସମ୍ରାଟ ଅଶୋକ ଶାନ୍ତିର ବାର୍ତ୍ତା ପ୍ରଚାର ଆରମ୍ଭ କରିଥିଲେ ଆଜି ସେହି ସ୍ଥାନରୁ ଭାରତନାଟ୍ୟମ୍, କଥକ ଏବଂ ଓଡ଼ିଶୀ ନୃତ୍ୟ ସହିତ ସମରକଳା ନୃତ୍ୟର ଅପୂର୍ବ ଛନ୍ଦ ଓ ମୂର୍ଚ୍ଛନା ଝଙ୍କୃତ ହେଉଥିଲା । ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ବାଙ୍ଗାଲୋର ଶିଳ୍ପୀଙ୍କ ଦ୍ୱାରା ଭାରତନାଟ୍ୟମ୍ ପରିବେଷଣ କାରାଯାଇଥିଲା । କୃଷ୍ଣ ଓ ତାଙ୍କ ଭକ୍ତଙ୍କ ଭିତରେ ଥିବା ଅଗାଢ ପ୍ରେମ, ଭାବନା, ସାଧନାକୁ ସେମାନେ ତାଙ୍କ ନୃତ୍ୟରେ ଦର୍ଶାଇଥିଲେ । କୃଷ୍ଣଙ୍କ ଜନ୍ମଠାରୁ ଆରମ୍ଭ କରି ଗୋପର ଲୀଳା ଖେଳାକୁ ଶିଳ୍ପୀମାନେ ସୁନ୍ଦରଭାବେ ନୃତ୍ୟ ମାଧ୍ୟମରେ ବର୍ଣ୍ଣନା କରିଥିଲେ, ଯାହା ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଗୋପାଳକୃଷ୍ଣ ଶ୍ରୀକାନ୍ତ । ସନ୍ଧ୍ୟାର ଦ୍ୱିତୀୟ ପରିବେଷଣ ଥିଲା ଅଭିନବ ଡ଼୍ୟାନ୍ସ କମ୍ପାନି କଳାକାରଙ୍କ ଦ୍ୱାରା କଥକ ନୃତ୍ୟ । ପରେପରେ ନୂପୁର ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ବର୍ଷା ଓ ବସନ୍ତ ଉପରେ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରଥମ ସନ୍ଧ୍ୟାର ଶେଷ ପରିବେଷଣ ଥିଲା ନୂଆଦିଲ୍ଲୀରୁ ଆସିଥିବା ଶିଳ୍ପୀଙ୍କ ଦ୍ୱାରା ସମରକଳା ନୃତ୍ୟ । ଯେଉଁଥିରେ ମହାଭାରତ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଭିମନୁ୍ୟର ସାହସ ଓ କୌରବଙ୍କ ସହିତ ଜୀବନର ଶେଷ ମୁହୂର୍ତ୍ତର ଯୁଦ୍ଧକୁ କଳାକାରମାନେ ପରିବେଷଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶୀ କୁମ୍କୁମ୍ ମହାନ୍ତିଙ୍କୁ ରୁଚି ବୁଦ୍ଧ ସମ୍ମାନ ପ୍ରଦାନ କରାଯାଇଥିଲା ।




Powered by odothemes.com